ନୂଆଦିଲ୍ଲୀ, ୦୨/୧୦: ୩ ଦିନ ହେଲା ପିଓକେରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଛି । ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବା ବାହାନରେ ନିରୀହ ଲୋକଙ୍କ ଉପରେ ଗୁଳିମାଡ଼ କରିଛି ପାକ୍ ସେନା । ଏଥିରେ ୧୨ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି । ସେହିପରି ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ବାହନାରେ ଲୁହ ଗ୍ୟାସ୍ ମାରିବା ବଦଳରେ ଗୁଳି ଚଳାଇଥିଲା । ପ୍ରାଣ ହରାଇଥିବା ମୃତକ ମଧ୍ୟରେ ୫ଜଣ ମୁଜଫରାବାଦର, ୫ଜଣ ଧିରକୋଟର ଏବଂ ଆଉ ୨ଜଣ ଡାଡିୟାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଭିଡ଼ ଆନ୍ଦୋଳରେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ପୁଲିସଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । 
ଶାହବାଜ ସରକାର ପିଓକେ ବାସୀଙ୍କ ଦାବି ପୂରଣ ନକରିବାରୁ ଏ ଆନ୍ଦୋଳନ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନୀ ସେନାଙ୍କ ଦୌରାତ୍ମ୍ୟ ବିରୁଦ୍ଧରେ ଏକ ବ୍ୟାପକ ପ୍ରତିବାଦରେ ପରିଣତ ହୋଇଛି । ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି, ପିଓକେ ଲୋକେ ବାରମ୍ବାର ଶୋଷଣ ସହ ଲୁଟ୍ ଶିକାର ହେଉଛନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଏପଟେ ହିଂସାରେ ଆହତ ହୋଇଥିବା ଅଧିକାଂଶ ଲୋକଙ୍କ ଶରୀରରେ ଗୁଳି ବାଜିଛି । ଅଧିକାଂଶ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସ୍ୱାସ୍ଥ୍ୟସେବା ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷଜ୍ଞ କହିଛନ୍ତି, ଏହି ଆନ୍ଦୋଳନ ପିଓକେରେ ଦୀର୍ଘଦିନ ପରେ ସବୁଠାରୁ ବଡ଼ ଆନ୍ଦୋଳନ । ଯାହା ପାକିସ୍ତାନ ପ୍ରଶାସନ ଏବଂ ସେନା ବିରୁଦ୍ଧରେ ଥିବା ଅସନ୍ତୋଷକୁ ସାମ୍ନାକୁ ଆଣିଛି ।
ଜମ୍ମୁ କାଶ୍ମୀର ୟୁନାଇଟେଡ୍ ଅବାମୀ ଆକ୍ସନ୍ କମିଟି (AAC) ନେତୃତ୍ୱରେ ଚାଲିଥିବା ପ୍ରତିବାଦ, ଜୀବନଯାତ୍ରାକୁ ଅଚଳ କରିଦେଇଛି । ପାକିସ୍ତାନରେ ରହୁଥିବା କାଶ୍ମୀର ଶରଣାର୍ଥୀଙ୍କ ପାଇଁ ସୁରକ୍ଷିତ ପିଓକେରେ ଥିବା ୧୨ ବିଧାନସଭା ଆସନକୁ ଉଚ୍ଛେଦ କରିବା ଦାବି ଉପରେ ଏହି ଆନ୍ଦୋଳନ କେନ୍ଦ୍ରିତ । ସେପ୍ଟେମ୍ୱର ୨୯ରେ ପ୍ରତିବାଦ ଆରମ୍ଭ ହେବା ପରଠାରୁ ଦୋକାନ ବଜାର ଏବଂ ସ୍ଥାନୀୟ ବ୍ୟବସାୟ ବନ୍ଦ ରହିଛି । ମୋବାଇଲ, ଇଣ୍ଟରନେଟ୍ ଏବଂ ଲ୍ୟାଣ୍ଡ ଲାଇନ ସେବା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ଏହି ସମୟରେ ୟୁନାଇଟେଡ୍ କାଶ୍ମୀର ପିପୁଲ୍ସ ନ୍ୟାସନାଲ ପାର୍ଟି (UKPNP) ମୁଖପାତ୍ର ନାସିର ଅଜିଜ୍ ଖାନ୍ ମିଳିତ ଜାତିସଙ୍ଘ  ଏବଂ ଅନ୍ତର୍ଜାତୀୟ ସମ୍ପ୍ରଗଦାୟରୁ ତୁରନ୍ତ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି ।