ଭୁବନେଶ୍ଵର, ୦୪/୧୧ : ଭୁବନେଶ୍ୱରରେ ପହଁଚିଲେ ଛତିଶଗଡ଼ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ବହୁ କଂଗ୍ରେସ ନେତା ତାଙ୍କୁ ସ୍ଵାଗତ କରିଛନ୍ତି। ତେବେ ଚରଣ ଦାସ ମହନ୍ତ ଯିବା ପାଇଁ ଉଦ୍ଧିଷ୍ଟ ଥିବା ଗାଡିରେ ନଯାଇ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ବିମାନ ବନ୍ଦରରୁ କଂଗ୍ରେସ ଭବନ ଯାଇଛନ୍ତି। ଦିନ ୧ଟା ବେଳକୁ କଂଗ୍ରେସ ଭବନରେ ବୈଠକ ଆରମ୍ଭ ହେବ।
ରାଜ୍ୟ କଂଗ୍ରେସର ମୁଖିଆ ବାଛିବା ପ୍ରସଙ୍ଗରେ ଚରଣ ଦାସ ମହନ୍ତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୋ ପାଖେ ଲବି କାମ ଦେବନି। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଓଡ଼ିଶା ଆସିଛି। ସିନିୟର ଲିଡରଙ୍କ ଠାରୁ ଆରମ୍ଭ କରି ଜୁନିୟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଥା ଶୁଣିବି। ଚର୍ଚ୍ଚା ହେଉଥିବା ନାଁ ପ୍ରଭାବ ପକାଇବନି। ଅନ୍ୟ ରାଜ୍ୟର ନିର୍ବାଚନ ପରେ ନଭେମ୍ବର ୨୩ ବେଳକୁ ହାଇକମାଣ୍ଡଙ୍କ ପାଖେ ରିପୋର୍ଟ ପ୍ରଦାନ କରିବି।
ପ୍ରକାଶ ଥାଉକି, ଆଜିଠାରୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ। ଚରଣ ଦାସ ମହନ୍ତ କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ବୈଠକ କରିବେ। ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଏସବୁ ପରେ ରାଜ୍ୟ କଂଗ୍ରେସ ମୁଖିଆ ନାଁରେ ମୋହର ବାଜିବ।