କଟକ, ୦୨/୧୨: ରାଜ୍ୟ ପୁଲିସ ମୁଖ୍ୟାଳୟରୁ ବରିଷ୍ଠ ଅଧିକାରୀମାନେ ଲାଗତାର ସମନ୍ୱୟ ରଖୁଛନ୍ତି । ଅନ୍ୟ ରାଜ୍ୟ ପୁଲିସର ସହଯୋଗ ଆବଶ୍ୟକ ପଡ଼ିଲେ ତାହା ମଧ୍ୟ ତୁରନ୍ତ ଯୋଗାଇ ଦିଆଯାଉଛି । ତତ୍କକ୍ଷଣାତ ଆକ୍ସନ୍ ପାଇଁ ଗୋଟିଏ ସ୍ୱତନ୍ତ୍ର ପୁଲିସ ଟିମ୍ ରାଜ୍ୟ ବାହାରେ ଦୀର୍ଘ ଦିନ ହେବ ଡେରା ପକାଇଛି । ବିହାର, ଛତ୍ତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ଏହି ଟିମ୍ ଏକାଧିକ ଥର ଯାଇ ସାରିଲାଣି³ ହେଲେ ଫଳ ଶୂନ । ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ଦୁଇ ବିହାରୀ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଧରିବା ତ ଦୂରର କଥା, ସେମାନଙ୍କର ଛାଇ ବି ଏଯାବତ ଦେଖିପାରିନି । ଦୁଇ ଜଣଙ୍କୁ ଖୋଜିବାରେ ପୁରା ରାଜ୍ୟ ପୁଲିସ କଳ-ବଳ ଲଗାଇ ଗତ ଦୁଇ ମାସ ହେବ ଏକପ୍ରକାର ନୟାନ୍ତ ହେଲାଣି ।

୨୦୨୫ ଜାନୁଆରୀ ୪ ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲିର ପଣ୍ଡା ଜୁଏଲାରୀରେ ହୋଇଥିବା ଲୁଟ୍ ଘଟଣାରେ ଦୁଇ ଅପରାଧୀ ବିହାରର ରାଜା ସାହାଣୀ ଓ ମଧୁକାନ୍ତ କୁମାର ଗିରଫ ହୋଇ ଚୌଦ୍ୱାର ଜେଲ୍ର ଦୁଇଟି ଭିନ୍ନ ସେଲ୍ରେ ରହିଥିଲେ । ମାତ୍ର ଦୁହେଁ ସେଠାରେ ରହିବାର ପ୍ରାୟ ୮ ମାସ ପରେ ଅର୍ଥାତ୍ ସେପ୍ଟେମ୍ବର ମାସ ୨ ତାରିଖ ରାତିରେ ସେଲ୍ର ଗ୍ରୀଲ୍ କାଟି ଦୁଇଟି ବଡ଼ ପାଚେରି ଡେଇଁ ଜେଲ୍ରୁ ଚମ୍ପଟ ମାରିଲେ । ଘଟଣା ପରଠୁ ଦୁଇ ଅପରାଧୀଙ୍କୁ ଖୋଜିବା ପାଇଁ ରାଜ୍ୟ ପୁଲିସ ତନାଘନା କରୁଥିଲେ ମଧ୍ୟ ଏଯାବତ ସେମାନଙ୍କର ଟେର୍ ମିଳିପାରିନି । ପ୍ରାଥମିକ ଭାବେ ଚୌଦ୍ୱାର ଥାନା ପୁଲିସ ଏହାର ତଦନ୍ତ କରୁଥିଲା । ପରେ ଡିଜିପିଙ୍କ ନିର୍ଦ୍ଦେଶରେ କମିସନରେଟ୍ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାହାର ତଦନ୍ତ କରାଯାଉଛି । ତଦନ୍ତର ଗୋଟିଏ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯାଇଥିଲାଯେ, ଦୁଇ ଅପରାଧୀ ରାଜ୍ୟ ଛାଡ଼ି ପଳାଇଛନ୍ତି । ତେଣୁ ଫୋକସ୍ ରାଜ୍ୟ ବାହାରେ ରହିଲା । ଓଡ଼ିଶା ପୁଲିସକୁ ଯେପରି ଅନ୍ୟ ରାଜ୍ୟରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ ସେଥିପାଇଁ କଟକ ସ୍ଥିତ ପୁଲିସ ମୁଖ୍ୟାଳୟରୁ ମଧ୍ୟ ଜଣେ ବରିଷ୍ଠ ଅଧିକାରୀ ସନମ୍ବୟ ରଖି ଅନ୍ୟ ରାଜ୍ୟରେ ତଦନ୍ତରେ ସହଯୋଗ କରୁଛନ୍ତି ।

ତେବେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଅଭିଯୁକ୍ତଙ୍କୁ ନେଇ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରିବାକୁ ସ୍ୱତନ୍ତ୍ର ପୁଲିସ ଟିମ୍ ବିହାର ଯାଇ ଫେରିଲା । ଏହା ପରେ ସବୁ ଛୋଟ ବଡ଼ ସୁରାକକୁ ଏକାଠି କରି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ ତଦନ୍ତ ଜାରି ରଖିଛି । ଏହା ମଧ୍ୟରେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରକୁ ଏହି ତଦନ୍ତକାରୀ ଦଳ ଯାଇସାରିଛି । କେବଳ ବିହାର ରାଜ୍ୟକୁ ଏହି ଟିମ୍ ୪ ଥର ଗଲାଣି । ଏହା ମଧ୍ୟରେ ତଦନ୍ତକାରୀ ଦଳ ମୁମ୍ବାଇରେ ଅଛି । ଗୋଟିଏ ଛୋଟ ସୁରାକ ପାଇ ଗତ ସପ୍ତାହରେ ଦୁଇଟି ପୁଲିସ ଟିମ୍ ମୁମ୍ବାଇରେ ଏକା ସମୟରେ ଚଢ଼ଉ କରିଥିଲା । ମାତ୍ର କୁହାଯାଉଛି ଅଭିଯୁକ୍ତ ଦ୍ୱୟ ସେଠାରୁ ଚମ୍ପଟ ମାରିଲେ । ତଥାପି ସେଠାରେ ଗୋଟିଏ ଟିମ୍ ଏବେ ବି ଡେରା ପକାଇଛି । ତଦନ୍ତକାରୀ ଟିମ୍ ସଦସ୍ୟ ସନ୍ଦେହ କରୁଛନ୍ତି ଯେ, ଦୁହେଁ କାଳେ ଭାରତ ଛାଡ଼ି ବାହାରକୁ ଚାଲିଯାଇଛନ୍ତି । ଏପରିକି ସେମାନଙ୍କୁ ନେଇ ଯେଉଁସବୁ ସୂଚନା ବା ସୁରାକ ଆସୁଛି ତାହା କେବଳ ଭ୍ରମିତକରିବା ପାଇଁ । ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜା ଓ ମଧୁକାନ୍ତ ଗିରଫ ହେବା ବିହାର ପୁଲିସ ପାଇଁ ମଧ୍ୟ ନିହାତି ଆବଶ୍ୟକ । ହେଲେ ବିହାର ପୁଲିସ ଏବେ ଆଉ ଓଡ଼ିଶା ପୁଲିସକୁ ସହଯୋଗ କରୁନି । ବିହାରରେ ନିର୍ବାଚନ ଚାଲିଥିବା ବେଳେ ସେଠାକାର ପୁଲିସ କିଛି ମାତ୍ରାରେ ସହଯୋଗ କରୁଥିଲା । ମାତ୍ର ଏବେ ଆଉ ବିହାର ପୁଲିସ ଧରାଛୁଆଁ ଦେଉନଥିବା ତଦନ୍ତକାରୀ ଦଳ କହୁଛି ।

ଅନ୍ୟପଟେ ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର୍ ହେବା ପରେ ମଧ୍ୟ ଜେଲ୍ କର୍ତ୍ତୃପକ୍ଷଙ୍କ ଉପରେ ସେଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଏଯାବତ ହୋଇନି । କେବଳ ଜଣେ ୱାର୍ଡର, ଜଣେ ମୁଖ୍ୟ ୱାର୍ଡରଙ୍କୁ ନିଲମ୍ବନ କରାଯିବା ସହିତ ଜେଲ୍ରଙ୍କୁ ବଦଳି କରାଯାଇଛି । ପ୍ରକୃତରେ କାହା ପୃଷ୍ଠପୋଷକରେ ଦୁହେଁ ଏତେ ବଡ଼ ଜେଲ୍ରୁ ଚମ୍ପଟ ମାରିଲେ ତାହା ଏବେ ବି ରହସ୍ୟାବୃତ୍ତ । ଜେଲ୍ର କିଛି କର୍ମଚାରୀଙ୍କ ହାତ ବିନା ସେଠାରୁ ଫେରାର୍ ହେବା ଅସମ୍ଭବ । ତେବେ ଜେଲ୍ କର୍ମଚାରୀ ଓ କତ୍ତୃପକ୍ଷ ନିଜର ଦୋଷ ଘୋଡ଼ାଇବା ପାଇଁ ଲଗାତାର ଭାବେ ଉଦ୍ୟମ କରୁଥିବା ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।