ବ୍ରହ୍ମପୁର ୨୩/୧୨: ରାଗିଂ ମୁକ୍ତ ହୋଇପାରୁନାହିଁ ଉଚ୍ଚ ଶିକ୍ଷାନୁଷ୍ଠାନ । ସଚେତନତା ସତ୍ତେ୍ୱ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ କବଳରୁ ବାହାରିପାରୁନି ସମାଜ । ରକ୍ତ ସଂପର୍କରେ ହତ୍ୟାକାଣ୍ଡ,ଦୁର୍ଘଟଣା ମୃତ୍ୟୁ ଆଦି ବର୍ଷତମାମ ଦେଖିବାକୁ, ଶୁଣିବାକୁ ମିଳିଥିଲା । ତେବେ ବର୍ଷ ଆରମ୍ଭରୁ କନ୍ଧମାଳରେ ମାଓଦମନ କ୍ଷେତ୍ରରେ ପୁଲିସକୁ ମିଳିଥିଲା ସଫଳତା...
ମାଓନେତା ଦାସୁର ସମେତ ୪ ନିହତ
ବର୍ଷକ ମଧ୍ୟରେ ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ମାଓନେତା ଦାସୁର ସମେତ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଫେବ୍ର୍ରୁଆରୀ ୪ ତାରିଖ ରାତିରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କେକେବିଏନ ଡିଭିଜନ ସଦସ୍ୟ ଗୁଡୁ ମଣ୍ଡାରୀ ଓରଫ ଦାସୁର ନିହତ ହୋଇଥିଲେ । ଦାସୁରଙ୍କ ବିରୋଧରେ ହତ୍ୟା, ଲୁଣ୍ଠନ ଭଳି ୨୨ରୁ ଅଧିକ ମାମଲା ଥିବା ବେଳେ ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ରହିଥିଲା ।
ଏପ୍ରିଲ ୨୫ରେ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ପାଢେଲ ଡ୍ୟାମ୍ ନିକଟରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ ହୋଇ ଦୁଇ ମାଓବାଦୀ ନିହତ ହୋଇଥିଲେ ।
ଅକ୍ଟୋବର ୨୫ରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ଶେଷାରୀଗାଁ ଜଙ୍ଗଲରେ ଗତ ଏସ୍ଓଜି ଯବାନମାନେ କମ୍ବିଂ ଅପରେସନ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ପୁଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିଲେ ।
ପୁଲିସ ଇନ୍ଫର୍ମର୍ ନାଁରେ ହତ୍ୟା
ପୁଲିସ ଇନଫର୍ମର ନାଁରେ ମେ ୨୭ରେ କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତ ବାଡ଼ିପାଙ୍ଗା ଗ୍ରାମର ଯୁବକ ମେଟାଲା ରଇତଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିଲେ ମାଓବାଦୀ । ପରେ ମୃତଦେହ ଜଙ୍ଗଲ ରାସ୍ତାରେ ଫିଙ୍ଗି ଦେଇଥିଲେ । ରଇତ ଘରେ ଶୋଇଥିବା ସମୟରେ ୧୫/୧୬ ଜଣ ବନ୍ଧୁକଧାରୀ ଘର ଭିତରକୁ ପଶି ରଇତକୁ ଉଠାଇ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ ।
ରଣନୀତି ପ୍ରସ୍ତୁତ କଲେ ଡିଜିପି
ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଅକ୍ଟୋବର ୧୭ରେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲ୍ଲାରେ ମାଓ ସ୍ଥିତି ଅନୁଧ୍ୟାନ ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ । ସମୀକ୍ଷା ପରେ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଓ କ୍ୟାମ୍ପ ଗସ୍ତ କରିଥିଲେ ଡିଜିପି ।
ସମ୍ପର୍କରେ ରକ୍ତପାତ
ଅନୈତିକ ସମ୍ପର୍କ ଦେଖିଦେବାରୁ ମାଆ-ପୁଅକୁ ହତ୍ୟା
ଫେବ୍ରୁଆରୀ ୧୯: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଚୁଡ଼ିଆଲାଞ୍ଜି ଗାଁରେ ଡି. ମୋହନ ରାଓଙ୍କ ସ୍ତ୍ରୀ ଡି. ନିଲାବେଣୀ (୨୬) ଏବଂ ସାନ ପୁଅ ଡି. ଋତିକ (୭) ରାତିରେ ଶୋଇଥିଲେ । ସକାଳୁ ମୃତାବସ୍ଥାରେ ପାଇଥିଲେ ଘରଲୋକ । ମହିଳାଙ୍କ ବେକରେ କ୍ଷତ, ପୁଅର ମୁହଁ ଓ ନାକରେ ଦାଗ ଚିହ୍ନ ଥିଲା । ଶବ ବ୍ୟବଚ୍ଛେଦ ବେଳେ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ଡି. ମୋହନ ଦାଦନ ଯାଇଥିବା ବେଳେ ନିଲାବେଣୀ ଓ ଋତିକ ଗାଁରେ ଘରେ ରହୁଥିଲେ । ପୁଲିସ ଆଖିରୁ ହତ୍ୟାକାରୀ ଖସିପାରିନଥିଲା । ନିଲାବେଣୀଙ୍କ ଭଣଜା ଗାଲି ଦେବେନ୍ଦ୍ର ଓ ଯାଆ ଡି.ଗୁନାମ୍ମା ହତ୍ୟା କରିଥିବା ପୁଲିସ ଅନୁସନ୍ଧାନରେ ଜଣାପଡିଥିଲା । ଭଣଜା ଦେବେନ୍ଦ୍ର ଓ ମାଇଁ ଗୁନାମ୍ମାଙ୍କ ଅନୈତିକ ସମ୍ପର୍କଦେଖିଦେଇଥିଲେ ନିଲାବେଣୀ । ଧରାପଡିବା ଭୟରେ ସେମାନେ ନିଲାବେଣୀ ଓ ତାଙ୍କ କୋଳରେ ଶୋଇଥିବା ରିତିକକୁ ହତ୍ୟା କରିଥିଲେ ।
ରକ୍ଷା ବନ୍ଧନରେ ଭଉଣୀ ଗଳା କାଟିଲା ଭାଇ
ଅଗଷ୍ଟ ୧୯- ସେଦିନ ଥାଏ ରକ୍ଷାବନ୍ଧନ । ପୁଣି ଘରେ ଚାଲିଥାଏ ଶ୍ରାଦ୍ଧ । ତଳ ଘରେ ଜେଜେ ବାପାଙ୍କ ଶ୍ରାଦ୍ଧ ଚାଲିଥିବା ବେଳେ ଉପର ଘରେ ଯାହା ଘଟିଗଲା ତାହା ସମସ୍ତଙ୍କୁ ହତଚକିତ କରି ଦେଇଥିଲା । ବଡ଼ ଭାଇ ଗଳା କାଟି ସାନ ଭଉଣୀକୁ ଆରପାରିକୁ ପଠାଇ ଦେଇଥିବା ବେଳେ ସାନ ଭାଇକୁ ଗୁରୁତର କରି ପକାଇଥିଲା । ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନାଥ ବିହାର ସପ୍ତମ ଗଳିରେ ଏଭଳି ହୃଦୟବିଦାରକ ଘଟଣା ଘଟିଥିଲା । ବଡ଼ ବାପା ରବୀନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଜକ୍ତା (୧୩)ଙ୍କ ଜୀବନ ଯାଇଥିବା ବେଳେ ସାନ ବାପା ପ୍ରଦୀପ ପାଣିଗ୍ରାହୀଙ୍କ ପୁଅ ଆୟୁଷ୍ମାନ (୧୫)ଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଘଟଣା ପରେ ଅଭିଯୁକ୍ତ ତଥା ବଡ ବାପାଙ୍କ ପୁଅ ଏମ୍.ଫାର୍ମା ଛାତ୍ର ଆଶୁତୋଷ ପାଣିଗ୍ରାହୀ ଏଠାରୁ ପଳାୟନ କରି ହିଞ୍ଜିଳି ନିକଟ ପୋଚିଲିମା ଛକରେ ବସ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲା
ଏମ୍କେସିଜି, ବିୟୁରେ ରାଗିଂ କଳଙ୍କ
ଏବର୍ଷ ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗିଥିଲା ରାଗିଂ ଓ ଆତ୍ମହତ୍ୟାର କଳଙ୍କ । ଏମ୍କେସିଜି ମେଡିକାଲ କଲେଜ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏଥିପାଇଁ ଚର୍ଚ୍ଚାରେ ରହିଥିଲେ । ଅକ୍ଟୋବର ମାସରେ ନିୟମିତ ବ୍ୟବଧାନରେ ରାଗିଂ ଖବର ଆସିଥିଲା । ଜଣେ ଛାତ୍ରଙ୍କ ଅଭିଭାବକ ପାଞ୍ଚ ବରିଷ୍ଠ ଛାତ୍ରଙ୍କ ବିରୋଧରେ ଲିଖିତ ଭାବେ ଜଣାଇଥିବା ବେଳେ ଆଉ ଗୋଟିଏ ଅଭିଯୋଗ ନ୍ୟାସନାଲ୍ ମେଡିକାଲ କାଉନ୍ସିଲ ଆଣ୍ଟି ରାଗିଂ ସେଲ୍ରୁ ଆସିଥିଲା । ରାତି ୧୨ଟାରୁ ସକାଳ ୫ଟା ମଧ୍ୟରେ ସିନିୟରମାନେ ହଷ୍ଟେଲ୍ ଛାତ ଉପରେ ମଦ୍ୟପାନ କରି ଜୁନିୟରମାନଙ୍କୁ ଆଣ୍ଠେଇବା ସହ ଚାପୁଡା ମାରିଥିବା ଅଭିଯୋଗ ହୋଇଥିଲା । କଲେଜ କର୍ତ୍ତୃପକ୍ଷ ପାଞ୍ଚ ଜଣ ଛାତ୍ରଙ୍କୁ ୬ ମାସ ଓ ଚାରି ଜଣ ଛାତ୍ରଙ୍କୁ ୩ ମାସ ପାଇଁ କ୍ୟାମ୍ପସ୍ ବାରଣ କରିଥିଲେ । ପରୀକ୍ଷା ଦେବାକୁ ବି ଆସିପାରିବେ ନାହିଁ ବୋଲି ଆଣ୍ଟି ରାଗିଂ ସେଲ୍ ବୈଠକରେ ନିଷ୍ପତ୍ତି ହୋଇଥିଲା । ଛଅ ଜଣଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ସୂଚାଇଥିଲେ ଏସ୍ପି ଡା. ସର୍ବଣା ବିବେକ ଏମ୍ ।
ସେହି ଅକ୍ଟୋବର ମାସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୭ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସେପ୍ଟେମ୍ବର ୨୧ ରାତିରେ ନୂତନ ହଷ୍ଟେଲ୍ରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ସିଧାସଳଖ ୟୁଜିସି ଆଣ୍ଟି ରାଗିଂ ସେଲ୍ରେ ହୋଇଥିଲା। ସିସି ଫୁଟେଜକୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ଜଣ ଜଣ କରି ମୌଖିକ ଭାବେ ପଚରାଉଚରା କରାଯାଇଥିଲା । ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟି ନିଷ୍ପତ୍ତି ପ୍ରକାରେ ୪ଟି ବିଭାଗର ଜଣେ ଲେଖାଏଁ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସପ୍ତାହକ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ହୋଇଥିଲା । ଅନ୍ୟ ୧୩ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିଲା ।
କ୍ୟାମ୍ପସ୍ରେ ଅଘଟଣ
➲ଜାନୁଆରୀ ୧୬- ଧରାକୋଟ ବ୍ଲକ୍ର ଏକ ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ୭ମ ଶ୍ରେଣୀ ଛାତ୍ରୀ ବିଷ ପିଇଦେଲେ ।
➲ମେ ୧୦- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଚିଲିକା ଛାତ୍ରୀନିବାସରୁ ଆସିକା ଅଞ୍ଚଳର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।
➲ଜୁନ୍ ୨୭- ବଚସାରୁ ସାନଖେମୁଣ୍ଡି ବ୍ଲକ୍ ରଘୁନାଥ ହାଇସ୍କୁଲରେ ୯ମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଥିଲେ ଅନ୍ୟ ଜଣେ ସହପାଠୀ । ➲ଅଗଷ୍ଟ ୩- ଚମାଖଣ୍ଡି ଥାନା ଅନ୍ତର୍ଗତ ଏକ ଆବାସିକ ମହାବିଦ୍ୟାଳୟ ହଷ୍ଟେଲ୍ରେ ୧୬ ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା ।
➲ସେପ୍ଟେମ୍ବର ୧୩- ଶୀତଳାପଲ୍ଲୀ ପିଏମ୍ଇସି ହଷ୍ଟେଲ୍ରେ ଗୋ-ମାଂସ ଖୁଆଇବା ଅଭିଯୋଗ, ୭ ଅନ୍ତେବାସୀ ବହିଷ୍କୃତ ।
➲ସେପ୍ଟେମ୍ବର ୨୭- ବ୍ରହ୍ମପୁର ଉପକଣ୍ଠ ଏକ ଫାର୍ମାସୀ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।
ଅନ୍ଧବିଶ୍ୱାସ, ଗୁଣି ସନ୍ଦେହ
ୱାର୍ଡମେମ୍ବର୍ ଦମ୍ପତିଙ୍କୁ ହତ୍ୟା
ମାର୍ଚ୍ଚ ୯ ଗୁଣିଗାରେଡି ସନ୍ଦେହରୁ ୱାର୍ଡମେମ୍ବର୍ ଦମ୍ପତିଙ୍କୁ ଗ୍ରାମବାସୀ ହତ୍ୟା କରିଥିବା ଅଭିଯୋଗ । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଜଣେ ମହିଳା ଓ ଗାଁ ମୁଖିଆଙ୍କ ସମେତ ୧୦ ଜଣଙ୍କୁ ବାନ୍ଧିଥିଲା ପୁଲିସ । ସଲାଗୁଡା ପଞ୍ଚାୟତ କାସେରୁ ଜଙ୍ଗଲ ଭିତରେ ମିଳିଥିଲା ଲୁଇସିଂ ପଞ୍ଚାୟତର ପୂର୍ବତନ ୱାର୍ଡମେମ୍ବର୍ (୨୦୧୨ ମସିହା) ଡାହିରା କହଁର ଓ ତାଙ୍କ ସ୍ତ୍ରୀ ବତାସୀ କହଁର (୨୦୧୭ ମସିହାର ୱାର୍ଡମେମ୍ବର୍)ଙ୍କୁ ହତ୍ୟା କରାଯାଇଥିଲା । ନିଜ ଗାଁ ଲୁଇସିଂ ପଞ୍ଚାୟତ ଲୁବୁକି ଗ୍ରାମରୁ ଲୋକେ ଦୁହିଁଙ୍କୁ ଗୁଣିଗାରେଡି ସନ୍ଦେହରେ ତଡ଼ି ଦେଇଥିଲେ । ପରେ ଅଭିଯୁକ୍ତମାନେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ ।
ନିଖୋଜର ବର୍ଷକ ପରେ ମିଳିଲା କଙ୍କାଳ
ଅଗଷ୍ଟ ୧୧- ବର୍ଷକ ତଳେ ପୁଅ ଅନୀଲର ଶବ ଜଙ୍ଗଲରୁ ମିଳିଥିଲା । ସେହି ଜାଗାରୁ ଅଳ୍ପ ଦୂରରେ ବର୍ଷକ ପରେ ମିଳିଥିଲା ଝିଅର କଙ୍କାଳ, ସାଇକେଲ୍ । ଘଟଣା ପାଟପୁର ଥାନା ବୃନ୍ଦାବନପୁର ଗ୍ରାମ ନିକଟ ଜଙ୍ଗଲରେ ଘଟିଥିଲା । କଙ୍କାଳଟି ସନାତନ ନାୟକଙ୍କ ୧୯ ବର୍ଷୀୟ ଝିଅ ଅନିତା ନାୟକଙ୍କ ଥିଲା । ପୁଅର ହତ୍ୟାକାରୀ ହିଁ ଝିଅକୁ ମାରି ପୋତିଦେଇଥିବା ବାପା ଅଭିଯୋଗ କରିଥିଲେ । ଘଟଣା ପଛରେ ଗୁଣିଗାରେଡିଜନିତ ସନ୍ଦେହ ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ।
ଏମିତି ବି ମୃତ୍ୟୁ ଆସେ...
ଚାହା ଦୋକାନ ଉପରେ ଓଲିଟଲା ବସ୍, ୪ ମୃତ
ଅଗଷ୍ଟ ୨୨: ହିଞ୍ଜିଳିକାଟୁ ନିକଟ ସମରଝୋଳ ଛକ ଜାତୀୟ ରାଜପଥ-୫୯ । ସମୟ ଭୋର ୪ଟା । ରାସ୍ତାକଡରେ ପାର୍କିଂ ହୋଇଥିଲା ଏକ ସିମେଣ୍ଟ୍ ବୋଝେଇ ଟ୍ରକ୍ । ତାକୁ ଧକ୍କା ଦେଇ ଏକ କେମିକାଲ୍ ଟ୍ୟାଙ୍କର୍ ବିପରୀତ ଦିଗରୁ ଆସୁଥିବା ବସ୍କୁ ଧକ୍କା ଦେଲା । ଦୁର୍ଘଟଣାଗ୍ରସ୍ତ ବସ୍ ରାସ୍ତାକଡ ଚାହା ଦୋକାନ ଉପରେ ଓଲଟି ପଡ଼ିଲା । ପ୍ରାଣ ହରାଇଲେ ଟ୍ରକ୍ ଡ୍ରାଇଭର୍, ଚାହା ଦୋକାନୀ ଓ ଚାହା ପିଉଥିବା ୨ ଗ୍ରାହକ । ୧୫ରୁ ଅଧିକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଧାନ ଅମଳ ମେସିନ୍ ଓଲଟି ୨ ଯାଆ ମୃତ
ଜାନୁଆରୀ ୨୧: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆମୁଣ୍ଡି ଗ୍ରାମରେ ଧାନ ଅମଳ ମେସିନ୍ ଓଲଟିଯିବାରୁ ଶାସନଗାଁର ଦୁଇ ଯାଆଙ୍କ ମୃତ୍ୟୁ ଘଟିଥିଲା । ଉଭୟଙ୍କ ନାମ ଥିଲା ଝୁନୁ ନାଇକ । ଧାନ ମଳା ସରିବା ପରେ ଅମଳ ମେସିନ୍ ସହ ଗାଁକୁ ଦୁହେଁ ଫେରୁଥିଲେ । ଗାଁ ମୁଣ୍ଡରେ ମେସିନ୍ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଉଭୟେ ତାହା ତଳେ ଚାପି ହୋଇଯାଇଥିଲା ।
ଶୁଦ୍ଧିକ୍ରିୟାକୁ ଯାଉଥିଲେ: ଭ୍ୟାନ୍ ଓଲଟି ୪ ମୃତ
ଡିସେମ୍ବର ୧୧: ପିକ୍ଅପ୍ ଭ୍ୟାନ୍ ଡାଲାରେ ବସି ଶୁଦ୍ଧିକ୍ରିୟା ଭୋଜି ଖାଇବାକୁ ଯାଉଥିଲେ । ହେଲେ ସତେ ଯେମିତି ମୋହନା ବ୍ଲକ୍ ଟିଟିଙ୍ଗ୍ ଘାଟିରେ ଯମଦୂତ ଜଗି ବସିଥିଲା । ଓଭରଟେକ୍ କାଳକୁ ଡାକି ଆଣିଥିଲା । ଭ୍ୟାନ୍ ଓଲଟି ୩ ବୃଦ୍ଧବୃଦ୍ଧାଙ୍କ ସମେତ ଜଣେ ୫୬ ବର୍ଷ ବୟସ୍କଙ୍କ ମୃତ୍ୟୁ ଘଟିଥିଲା । ଭ୍ୟାନ୍ରେ ଥିବା ରାୟଗଡ଼ ବ୍ଲକ୍ କେକେସିଂର ୩୬ ଜଣଙ୍କ ମଧ୍ୟରୁ ୪ ମୃତ ଓ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଥିଲେ । ରାସ୍ତା କଡ଼କୁ ଛିଟିକି ଖଣ୍ଡିଆଖାବରା ହୋଇ ଏଣେତେଣେ ପଡ଼ିଥିଲେ ଯାତ୍ରୀ । କାନ୍ଦ, ବୋବାଳି, ଚିତ୍କାରରେ କମ୍ପି ଉଠିଥିଲା ପରିବେଶ ।