ଭୋପାଳ, ୨୫/୦୩: ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲା କୁନୋ ନ୍ୟାସନାଲ୍‌ ପାର୍କରୁ ୫ଟି  ଚିତା ବାହାରି ଯାଇ ନିକଟସ୍ଥ ଗାଁରେ ବୁଲିବା  ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଗୋଟିଏ ପଟେ ଚିତାମାନଙ୍କୁ ଦେଖିବା ପାଇଁ ଗାଁ ଲୋକଙ୍କ  ଭିତରେ ଉତ୍ସୁକତା ପ୍ରକାଶ ପାଇଥିଲା ବେଳେ  ଆଉ କିଛି ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।  ଚିତା ଏକ ବାଛୁରୀ ଉପରେ ଲମ୍ପ ମାରିବାରୁ  ଗାଁ ଲୋକେ ଲାଠିଧରି ଗୋଡ଼ାଇଥିଲେ । 

ମାସକ ପୂର୍ବରୁ ମାଈ ଚିତା ଜ୍ୱାଳା ଓ  ତାର ୪ ଶାବକଙ୍କୁ ଖୋଲା ଜଙ୍ଗଲରେ ଛଡ଼ା ଯାଇଥିଲା । ଶନିବାର ସନ୍ଧ୍ୟାରେ ସେମାନେ ପ୍ରଥମ  ଥର ପାଇଁ ପାର୍କ ସୀମାରୁ ବାହାରି ନିକଟସ୍ଥ ଗାଁକୁ ପଳାଇଥିଲେ । କିନ୍ତୁ ରବିବାର ଦ୍ୱିପ୍ରହର ପରେ ପୁଣି କୁନୋ ପାର୍କର ଜଙ୍ଗଲ ଆଡ଼କୁ ଫେରିଥିଲେ। ରାତିରେ ପୁଣି ସେମାନେ ବାହାରକୁ  ପଳାଇଥିଲେ । ସ୍ଥାନୀୟ ଅଧିବାସୀ ଚିତାମାନଙ୍କୁ  ବୀରପୁର ତହସିଲର ଶ୍ୟାମପୁର ଗାଁ ନିକଟରେ ଦେଖିଥିଲେ । ସେତେବେଳେ ସେମାନେ ନିର୍ମାଣାଧୀନ ଶ୍ୟୋପୁର-ଗ୍ୱାଲିୟର ବ୍ରଡଗେଜ୍‌  ରେଳ ଟ୍ରାକ୍‌ଠାରୁ ପ୍ରାୟ ୧ କିମି ଦୂରରେ ଥିଲେ ।  

ସୋମବାର ସକାଳୁ ୫ଟି ଯାକ ଚିତା  କୁନୋ ସାଇଫନ୍‌ ଅତିକ୍ରମ କରି କୁନୋ ନଦୀରେ ପହଞ୍ଚିଥିଲେ । ସେମାନେ ନିର୍ମାଣାଧୀନ  ରେଳପୋଲ ତଳେ ଅନେକ ସମୟ ଧରି  ବସିଥିଲେ । ଏହି ସମୟରେ ଚିତାଙ୍କୁ ଦେଖିବାକୁ ସେଠାରେ ଭିଡ଼ ଜମିଥିଲା । ପରବର୍ତ୍ତୀ ସମୟରେ  ରାସ୍ତା ପାର ହେଉଥିବା ବେଳେ ଜ୍ୱାଳା ସେହି ବାଟ ଦେଇ ଯାଉଥିବା ଏକ ବାଛୁରୀ ଉପରକୁ ଲମ୍ପ ଦେଇଥିଲା । ଏହାଦେଖି ଚିତାଙ୍କୁ ଘଉଡ଼ାଇବା  ଲାଗି ଗ୍ରାମବାସୀ ଲାଠି ଧରି ଗୋଡ଼ାଇଥିଲେ । ପରେ ପଥରମାଡ଼ କରିଥିଲେ । ଜ୍ୱାଳା ଅନେକ ସମୟ ଧରି ବାଛୁରୀର ତଣ୍ଟିକୁ ଧରିଥିଲା । ପଥରମାଡ଼ ପରେ ସେ ବାଛୁରୀକୁ ଛାଡି ଶାବକମାନଙ୍କୁ ଧରି ଚମ୍ପଟ ମାରିଥିଲା । ଘଟଣା ପରେ ସକାଳ ପ୍ରାୟ ୧୦ଟାରେ ଚିତାଦଳ  କୁନୋ ପୋଲ ଅଞ୍ଚଳ ପାର କରି ବୀରପୁରର ତିଲଲିଡେରରାରେ ପହଞ୍ଚିଥିବା ସୂଚନା ମିଳିଛି ।  

ବିଶେଷଜ୍ଞମାନଙ୍କ ଅନୁସାରେ, ଚିତାଗୁଡ଼ିକ ଖାଦ୍ୟ ଅନ୍ୱେଷଣ କିମ୍ବା ନୂଆ ଅଞ୍ଚଳ ସନ୍ଧାନରେ ବାହାରକୁ ଆସିଥାଇପାରନ୍ତି । ଖବର ପାଇ ବନ ବିଭାଗର ଅଧିକାରୀମାନେ ତୁରନ୍ତ ପହଞ୍ଚିଥିଲେ ।  ସେମାନେ ଗ୍ରାମବାସୀଙ୍କୁ ଚିତାଙ୍କଠାରୁ ଦୂରରେ  ରହିବାକୁ ପରାମର୍ଶ ଦେଇଥିଲେ । ବନ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଚିତାମାନେ ଲୋକମାନକୁ ଆକ୍ରମଣ କରୁନାହାନ୍ତି । ତେଣୁ ଲୋକମାନେ ସେମାନଙ୍କର କୌଣସି କ୍ଷତି  ନ କରି ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ । ଜ୍ୱାଳା ଓ ତାର ଶାବକମାନଙ୍କୁ ମାସକ ତଳେ ଖଜୁରି କ୍ଷେତ୍ରରେ ଜଙ୍ଗଲରେ ଛଡ଼ା ଯାଇଥିଲା । ମାସେ ଧରି ସେମାନେ ବାହାରକୁ  ବାହାରିନଥିଲେ । ପରେ ବାହାରିବାରୁ ସେହି  ଅଞ୍ଚଳର ଚିତା ମିତ୍ର ଓ ତାଙ୍କର ଟିମ୍‌ ଆଖପାଖର ଲୋକଙ୍କୁ ସଚେତନ କରିଥିଲେ । ଚିତା ଲୋକଙ୍କ ଉପରେ ଆକ୍ରମଣ କରେନାହିଁ ବୋଲି ବୁଝାଇଥିଲେ । ଚିତାଙ୍କୁ ନ ଘଉଡ଼ାଇବା ଓ ସେମାନଙ୍କର ସୁରକ୍ଷାର ଧ୍ୟାନ ରଖିବାକୁ  ମଧ୍ୟ କହିଥିଲେ । 

ସୂଚନାଥାଉକି, କୁନୋ  ନ୍ୟାସନାଲ ପାର୍କରେ ବର୍ତ୍ତମାନ ମୋଟ ୨୬ଟି  ଚିତା ଅଛନ୍ତି । ସେଥିମଧ୍ୟରୁ ୧୭ଟି ଚିତା  ଜଙ୍ଗଲରେ ମୁକ୍ତ ଭାବେ ବୁଲୁଛନ୍ତି । ସେମାନଙ୍କ  ମଧ୍ୟରେ ୧୧ ଶାବକ ସାମିଲ । ସେହିପରି  ୯ଟି ଚିତାଙ୍କୁ ଏନ୍‌କ୍ଲୋଜରରେ ରଖାଯାଇଛି।