ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଭିମ୍‌ସାର୍‌ରେ ସାଂଘାତିକ ବିଦ୍ୟୁତ୍‌ ବିଭ୍ରାଟ୍‌: କ୍ୟାନ୍ସର ୱାର୍ଡ ତିନିଘଣ୍ଟା ଅନ୍ଧାର, ମୋବାଇଲ ଲାଇଟ୍‌ରେ ହେଲା କେମୋ ଚିକିତ୍ସା

Published By : Prameya | February 13, 2025 9:32 AM

ବୁର୍ଲା,୧୩/୦୨: ବୁର୍ଲା ଭିମ୍‌ସାର୍‌ରେ ସାଂଘାତିକ ବିଦ୍ୟୁତ୍‌ ବିଭ୍ରାଟ୍‌ । ମେଡିକାଲର କ୍ୟାନ୍ସର ୱାର୍ଡରେ ବିନା କୌଣସି ପ୍ରାକ୍‌ ସୂଚନାରେ ବିଦ୍ୟୁତ୍‌ କାଟ୍‌ କଲେ ଜିଇଡି ବିଭାଗ । ଅନ୍ଧାରରେ  ପଡିରହିଥିଲେ କେମୋ ଚିକିତ୍ସା ନେଉଥିବା  କ୍ୟାନ୍ସର ରୋଗୀ । ଜରୁରି ପରିସ୍ଥିତିରେ କିଛି ରୋଗୀଙ୍କୁ ବାଧ୍ୟହୋଇ ମୋବାଇଲ ଲାଇଟ୍‌ରେ  କେମୋ ଚିକିତ୍ସା ଦିଆଯାଇଥିବା ଦେଖିବାକୁ  ମିଳିଛି । ଜିଇଡି ବିଭାଗର ଏମିତି ସାଙ୍ଘାତିକ ଅବହେଳା ଯୋଗୁଁ କ୍ୟାନ୍ସର ରୋଗୀମାନେ ବିନା  ଲାଇଟ୍‌ରେ ତିନିଘଣ୍ଟା ଧରି କଲବଲ ହୋଇଥିବା  ଅଭିଯୋଗ ହୋଇଛି । କ୍ୟାନ୍ସର ରୋଗୀଙ୍କ ଜୀବନ  ସହିତ ଜିଇଡି ବିଭାଗର ଏଭଳି ଖେଳ ପାଇଁ  ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ଦୋଷୀ  ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । 

ବୁର୍ଲା କ୍ୟାନ୍ସର ୱାର୍ଡରେ ଗତକାଲି ତିନିଘଣ୍ଟା  ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଥିଲା । ଏହି  ବିଭାଗରେ ଶତାଧିକ କ୍ୟାନ୍ସର ରୋଗୀ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ବେଳେ ରୋଗୀଙ୍କୁ  ୩ଘଣ୍ଟା କାଳ ଅନ୍ଧାରରେ ରହିବାକୁ ପଡିଥିଲା ।  ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ଠପ୍‌ ହୋଇ ଯାଇଥିଲା । ଏହି ବିଭାଗଟି ଅତ୍ୟନ୍ତ  ଗୁରୁତ୍ୱପୂର୍ଣ ହୋଇଥିଲେ ମଧ୍ୟ ଜୀବନ ସହିତ  ସଂଗ୍ରାମ କରୁଥିବା ଅତି ଗୁରୁତର ରୋଗୀ ମାନେ  ଏହି ବିଭାଗରେ ଚିକିତ୍ସିତ ହେଉଛନ୍ତି ।  

କୌଣସି ପୂର୍ବ ସୂଚନା ଦିଆନଯାଇ ହଠାତ୍‌  ଏଭଳି ବିଦ୍ୟୁତ୍‌ କାଟ୍‌ କାହିଁକି କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଦ୍ୟୁତ୍‌ କାଟ୍‌  କରିବା ପୂର୍ବରୁ ଏଠାରେ ରହିଥିବା ଜେନେରେଟର୍‌  ମଧ୍ୟ ଚଲାଯାଇନଥିଲା । ପୂର୍ବରୁ କିଛି ରୋଗୀଙ୍କ  କେମୋ ଚିକିତ୍ସା ଆରମ୍ଭ ହୋଇ ସାରିଥିବା ବେଳେ ଆଉ କିଛି ରୋଗୀଙ୍କୁ ଅନ୍ଧାର ମଧ୍ୟରେ  ମୋବାଇଲ୍‌ ଲାଇଟ୍‌ରେ ବାଧ୍ୟହୋଇ କେମୋ  ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି ।  ସାଧାରଣତଃ ଜଣେ ରୋଗୀଙ୍କୁ କେମୋ ଦିଆଗଲେ  ତାହା ଅତିକମ୍‌ରେ ଛଅ ଘଣ୍ଟା ସମୟ ନେଇଥାଏ ।  ଏବଂ ଏହି କେମୋ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ  ହୋଇଥିବା ବେଳେ ରୋଗୀ ଶରୀରରେ ଏହା  ଅନେକ ପାଶ୍ୱର୍ ପ୍ରତିକ୍ରିୟା ଦେଖାଇଥାଏ । 

ତେଣୁ ରୋଗୀଙ୍କୁ କେମୋ ଚିକିତ୍ସା ପାଇଁ  ସାଧାରଣ ତାପମାତ୍ରାରେ ରଖାଯାଇଥାଏ । କିନ୍ତୁ  ତିନିଘଣ୍ଟା ବିଦ୍ୟୁତ୍‌ କାଟ ହେବା ଫଳରେ କେମୋ ଚିକିତ୍ସା ନେଉଥିବା ରୋଗୀ ଗରମରେ କଲବଲ  ହେଉଥିବା ଅଭିଯୋଗ ହୋଇଛି । ତେବେ ଅନ୍ଧାର  ଯୋଗୁଁ ରୋଗୀଙ୍କ ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ହେଲେ ମଧ୍ୟ ତାହାକୁ ଠିକ୍‌ ସମୟରେ  ଜଣିବା ଡାକ୍ତରଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ ।  ତେଣୁ ଏଭଳି ବିଦ୍ୟୁତ୍‌ ବିଭ୍ରାଟ୍‌ କ୍ୟାନ୍ସର ରୋଗୀଙ୍କ ଜୀବନ ସହିତ ଏକ ପ୍ରକାର ଖେଳ ବୋଲି  କୁହାଯାଉଛି । 

ଅନ୍ୟପଟେ ତିନିଘଣ୍ଟା ବିଦ୍ୟୁତ୍‌ କାଟ  ପରେ ମଧ୍ୟ ଜିଇଡି ବିଭାଗର ଚେତା ପଶିନଥିଲା ।  ଲାଇଟ୍‌ ଆସିବା ପରେ ପ୍ରାୟ ୪ଟା ସମୟରେ ପୁଣି ଥରେ ୧୫ ମିନିଟ୍‌ ପାଇଁ ବିଦ୍ୟୁତ୍‌ କାଟ୍‌ କରିଥିଲେ ।  ତେବେ ଜିଇଡି ବିଭାଗର ଏତେ ଚରମ ଅବହେଳା  କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି । ଏନେଇ ମେଡିକାଲ ଅଧୀକ୍ଷକ ପ୍ରଫେସର  ଡା. ଲାଲ୍‌ମୋହନ ନାୟକଙ୍କୁ ପଚାରିବାରୁ ବିଦ୍ୟୁତ୍‌  ମରାମତି କାମ ଯେଉଁ ଠିକାସଂସ୍ଥା ନେଇଛି ସେମାନଙ୍କ  ଅବହେଳା ରହିଛି ଏବଂ ଆମକୁ କୌଣସି ପୂର୍ବ  ସୂଚନା ଦିଆଯାଇ ନଥିଲା ବୋଲି କହିଛନ୍ତି ।  

ସେ ଏହାମଧ୍ୟ କହିଛନ୍ତି ଯେ, ଏହି  ଘଟଣାରେ ଯାହାର ଭୁଲ ରହିଛି ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ପଶ୍ଚିମ ଓଡିଶାରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ଏକମାତ୍ର ସାହାରା  ପାଲଟିଛି ବୁର୍ଲା ଭିମ୍‌ସାର୍‌ । ସମଗ୍ର ପଶ୍ଚିମ ଓଡ଼ିଶାରୁ  ହଜାର ହଜାର ରୋଗୀ ଏହି କ୍ୟାନ୍ସର ୱାର୍ଡରେ  ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି । ଏଠାରେ ଏଭଳି  ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଗୁରୁତର କ୍ୟାନ୍ସର  ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ  ବୋଲି କୁହାଯାଉଛି । ତେଣୁ ଏହି ଘଟଣାରେ  ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା  ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି  ହେଉଛି । ତେବେ ଏନେଇ ଜିଇଡି ଏସ୍‌ଡିଓ ମିଲନ  କୁମାର ସ୍ୱାଇଁଙ୍କୁ ପଚାରିବା ପାଇଁ ଯୋଗାଯୋଗ  କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।  ଏହି ଘଟଣାରେ ଏସ୍‌ଡିଓଙ୍କ ପରିଚାଳନାଗତ ତୃଟି  ଯୋଗୁଁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.