ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଭୟଙ୍କର ଏନକାଉଣ୍ଟର ହୋଇଛି। ରିପୋର୍ଟ ଅନୁଯାୟୀ, ଛତିଶଗଡ଼ର ବିଜାପୁର-ଦାନ୍ତେୱାଡା ସୀମାରେ ଏହି ଏନକାଉଣ୍ଟର ହେଉଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟରରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଆଉ ଏହା ଭିତରେ ସବୁଠୁ ବଡ କଥା ହେଉଛି ଯେ, ଏନକାଉଣ୍ଟରରେ ଦୁଇ ଜଣ ସୈନିକ ମଧ୍ୟ ସହିଦ ହୋଇଛନ୍ତି।

ଘଟଣାକୁ ନେଇ ଦାନ୍ତେୱାଡା ଡିଆଇଜି କମଲୋଚନ କଶ୍ୟପ କହିଛନ୍ତି ଯେ ଗତ ଦୁଇ ଘଣ୍ଟା ଧରି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଭୟଙ୍କର ଏନକାଉଣ୍ଟର ଚାଲିଛି। ଏପର୍ଯ୍ୟନ୍ତ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନକାଉଣ୍ଟରରେ ଦୁଇ ଜଣ ଡିଆରଜି ସୈନିକ ମଧ୍ୟ ସହିଦ ହୋଇଛନ୍ତି। ବିଜାପୁରର ଗଙ୍ଗାଲୁର ଅଞ୍ଚଳରେ ଏନକାଉଣ୍ଟର ଚାଲିଛି। ନିହତ ନକ୍ସଲଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସୈନିକ ମାନେ ବହୁ ସଂଖ୍ୟକ ନକ୍ସଲଙ୍କୁ ଘେରି ରହିଛନ୍ତି। ଏନକାଉଣ୍ଟର ଏବେ ବି ଜାରି ରହିଛି। ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳି ବିନିମୟ ହୋଇଛି। ପୋଲିସ ଗଙ୍ଗାଲୁର ଅଞ୍ଚଳରେ ନକ୍ସଲଙ୍କୁ ଘେରି ରହିଛି।

ଏନକାଉଣ୍ଟର କିପରି ଆରମ୍ଭ ହେଲା ?

ସୁରକ୍ଷା ବାହିନୀ ବିଜାପୁରର ଗଙ୍ଗାଲୁର ଅଞ୍ଚଳର ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇଥିଲେ। ଏହି ସୂଚନା ପରେ, ଜିଲ୍ଲା ରିଜର୍ଭ ଗାର୍ଡ (DRG), ସ୍ପେଶାଲ୍ ଟାସ୍କ ଫୋର୍ସ (STF), ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ର ଏକ ମିଳିତ ଦଳକୁ ସେହି ଅଞ୍ଚଳକୁ ପଠାଯାଇଥିଲା। ସୁରକ୍ଷା କର୍ମୀଙ୍କୁ ଦେଖି ନକ୍ସଲ ମାନେ ଗୁଳି ବିନିମୟ କରିଥିଲେ। ଏହା ପରେ, ସୁରକ୍ଷା ବାହିନୀ ଏନକାଉଣ୍ଟର ଆରମ୍ଭ କରିଥିଲେ।