ଆମ ରାଜ୍ୟ ଓଡ଼ିଶାକୁ ଆପଣ ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି,  ଜଳସମ୍ପଦ, ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓ ବୁଦ୍ଧିମାନ ମାନବ ସମ୍ବଳ  ଦେଇଛନ୍ତି । ଓଡ଼ିଶା ପାଖରେ ଯେଉଁ ସମ୍ବଳ ଅଛି ଦେଶର ଅନ୍ୟ କୌଣସି ରାଜ୍ୟ  ପାଖରେ ସେ ସଂସାଧନ ନାହିଁ । ହେ ମହାପ୍ରଭୁ! ଓଡ଼ିଶା ଧନୀ, ମାତ୍ର ଓଡ଼ିଆ  ଗରିବ । କେତେଦିନ ଏହି ଲାଞ୍ଛନା ଓ ଅପମାନ ସହିବାକୁ ପଡ଼ିବ?


ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା । ଓଡ଼ିଆ ଜାତିର ଇଷ୍ଟ ତଥା ଅଗଣିତ ସନାତନୀ ବିଶ୍ୱାସୀଙ୍କ ଆସ୍ଥା ଓ  ବିଶ୍ୱାସର ପ୍ରତୀକ କଳାଠାକୁର ଭାଇଭଉଣୀଙ୍କୁ ସାଙ୍ଗରେ ଧରି  ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ । ସୁନାବେଶ-ଅଧରପଣା ପରେ ନିଳାଦ୍ରିବିଜେ କରିବେ । ମହାପ୍ରଭୁଙ୍କ ମହାଲୀଳାରେ  ସାମିଲ ହେବାପାଇଁ ପୁରୀ ବଡ଼ଦାଣ୍ଡ ଚଳଚଞ୍ଚଳ ହେବ ।  ଏହା ସହ ଓଡ଼ିଶାର ପୁରପଲ୍ଲୀ, ସବୁ ରାଜ୍ୟ ଏବଂ ବିଶ୍ୱର  ଅନେକ ରାଷ୍ଟ୍ରରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାରେ  ମଧ୍ୟ ସାରାଦୁନିଆ ସାମିଲ ହେବ । ବାହୁଡ଼ାଯାତ୍ରାର ପବିତ୍ର  ଅବସରରେ ସାଢ଼େଚାରି କୋଟି ଓଡ଼ିଆ ତଥା ସମଗ୍ର ମାନବ  ସମାଜ ଉପରେ ମହାପ୍ରଭୁ ଆଶୀର୍ବାଦ ବର୍ଷା କରନ୍ତୁ ଏହା  ହିଁ ପ୍ରାର୍ଥନା ।  

ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର  ସାମ୍ନାରେ ପ୍ରବଳ ଜନସମାଗମ ।  ଏହାସହ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ଦଳାଚକଟାରେ ତିନି  ଜଣ ଭକ୍ତଙ୍କର ଜୀବନଦୀପ ଲିଭିଯିବା  ଘଟଣା ଆପଣମାନଙ୍କୁ ନିଶ୍ଚିତଭାବେ  ବ୍ୟଥିତ କରିଛି । ସବୁ ଓଡ଼ିଶାବାସୀଙ୍କ  ପରି ସେଦିନ ମୁଁ ବି ବ୍ୟଥିତ ହୋଇ  ଉଠିଥିଲି । ଆପଣମାନଙ୍କ ମନରେ  ଯେଉଁ ଦୁଃଖ ଓ ଯନ୍ତ୍ରଣା ଥିଲା ମୋ  ମନ ବି ଠିକ୍‌ ସେମିତି ଦୁଃଖ ଓ  ଯନ୍ତ୍ରଣାରେ ଜର୍ଜରିତ ହୋଇଥିଲା ।  ସେଦିନ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା  ମହାପ୍ରଭୁଙ୍କ ଅଗଣିତ ଭକ୍ତମଣ୍ଡଳୀଙ୍କ  ପାଖରେ କ୍ଷମାପ୍ରାର୍ଥନା କରିଥିଲି । ଯେ  କେହିବି ଏହି ଜୀବନହାନି ପାଇଁ ଦାୟୀ, ତାଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୋର ପ୍ରିୟ ଓଡ଼ିଶାବାସୀଙ୍କୁ  ପ୍ରତିଶ୍ରୁତି ଦେଇଥିଲି । 

ଜୀବନହାନିର କ୍ଷତିପୂରଣ ଅର୍ଥ ହୋଇପାରିବ ନାହିଁ ।  ତଥାପି ତିନି ପରିବାର ପାଖରେ ମୋ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ସାନ୍ତ୍ୱନା  ଦେବାପାଇଁ ପଠାଇଥିଲି । ଏହାସହ ପଚିଶ ଲକ୍ଷ ଟଙ୍କା ଲେଖାଏଁ  ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିଲା ।  ଏହି ତିନି ପରିବାରର ଦୁଃଖ, କଷ୍ଟ ଓ ନିଜର ପରିଜନଙ୍କୁ  ହରାଇବାର କଷ୍ଟକୁ ତ କେହି ନେଇପାରିବେ ନାହିଁ । ମାତ୍ର  ଏହି ପରିବାରର ବନ୍ଧୁଭାବରେ ସେମାନଙ୍କ ଦୁଃଖର ଘଡ଼ିରେ  ମୁଁ ଓ ମୋ ସରକାର ଛିଡ଼ାହେବା ଆମର ପରମ ଦାୟିତ୍ୱ ଓ  କର୍ତ୍ତବ୍ୟ ଭାବରେ ନେଇଛୁ । ପ୍ରାଥମିକ ସ୍ତରରେ କିଛି ବରିଷ୍ଠ  ଅଧିକାରୀଙ୍କୁ ବଦଳି, କିଛିଙ୍କୁ ନିଲମ୍ବନ କରିଛୁ । ଏହି ଘଟଣାର  ପ୍ରାଶାସନିକ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆସନ୍ତା ମାସେ  ଭିତରେ ତଦନ୍ତ ରିପୋର୍ଟ ଦେବାପାଇଁ ମୁଁ ନିର୍ଦ୍ଦେଶ ଦେଇଛି ।  ସେଦିନ ବି କହିଥିଲି, ଆଜି ପବିତ୍ର ବାହୁଡ଼ାଯାତ୍ରା ଅବସରରେ  ପୁଣି ଥରେ ଦୋହରାଉଛି । ତଦନ୍ତ ରିପୋର୍ଟ ଆସିବା ପରେ  ସଙ୍ଗେ ସଙ୍ଗେ ତର୍ଜମା କରି ଏହି ଅଘଟଣ ପାଇଁ ଯାହାର ବି ଅବହେଳା, ଦାୟୀ, ସେ ଯିଏବି ହୁଅନ୍ତୁନା କାହିଁକି ତାଙ୍କ  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । 

ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ନାଥ । ସେ ବିଶ୍ୱନିୟନ୍ତା ।  ସମଗ୍ର ମାନବଜାତିର ଦେବତା । ମାତ୍ର ପୁରୀ ନୀଳାଚଳ ଧାମକୁ  ଆସିବା ପୂର୍ବରୁ ଆଦିବାସୀ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ସେ  ହେଉଥିଲେ ପୂଜିତ । ବଣଜଙ୍ଗଲର ଫଳମୂଳ ସହ ଆଦିବାସୀ  ସମାଜର ଭକ୍ତି ଓ ଭାବରେ ସନ୍ତୁଷ୍ଟ ହେଉଥିଲେ ବିଶ୍ୱନିୟନ୍ତା ।  ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବନବାସ ସମୟରେ ଶବରୀ  ମାତାର ଆତିଥ୍ୟକୁ ଖାଲି ସ୍ୱୀକାର କରିନଥିଲେ, ବରଂ ଜଣେ ଆଦିବାସୀ ବୃଦ୍ଧା ଖଟାମିଠା ଫଳ ବାଛିବା ପାଇଁ ପାଟିରେ ଚାଖି  ନିଜ ଉଚିଷ୍ଠକୁ ଯେତେବେଳେ ଶ୍ରୀରାମଙ୍କୁ ଖୁଆଇ ଦେଉଥିଲେ ସେତେବେଳେ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ପରମ  ତୃପ୍ତିରେ ଗ୍ରହଣ କରି ଶବରୀ ମାତା ଉପରେ ଆଶୀର୍ବାଦର ବର୍ଷା କରିଥିଲେ । ସେମିତି ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଆମର  ମାଣବସା ଗୁରୁବାର । ପଞ୍ଚଦଶ ଶତାଦ୍ଦୀରେ ଆମର ଅମର  କବି ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ  ଓଡ଼ିଆ ଜାତିର ସଭ୍ୟତା ଓ ସଂସ୍କୃତିର  ଗର୍ବ ଓ ଗୌରବ । ଯେଉଁ ସଂସ୍କୃତିକୁ  ଆମର ପରିବାରମାନଙ୍କରେ ଆଜିବି  ନିଷ୍ଠା ଓ ଭକ୍ତିର ସହ ପାଳନ କରାଯାଏ ।  ସ୍ୱୟଂ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି  ଆମ ସମାଜ ବ୍ୟବସ୍ଥାର ତଥାକଥିତ  ନୀଚ ଜାତିର ଶ୍ରୀୟାର ଆତିଥ୍ୟ ସ୍ୱୀକାର କରିଥିଲେ। ଉଚ୍ଚ ବା ନୀଚ ଜାତି ନୁହେଁ,  ବରଂ ମା’ ଅନ୍ନପୂର୍ଣ୍ଣା ଭକ୍ତି-ଭାବ ଓ  ସ୍ୱଚ୍ଛତା ଆଧାରରେ ନିଜେ ଆତିଥ୍ୟ  ସ୍ୱୀକାର କରିବାପାଇଁ ପରିବାର ନିରୂପଣ କରିଥିଲେ ।  

ସମୟଚକ୍ରରେ ମୋ ଭଳି ଜଣେ  ଗରିବ ଆଦିବାସୀ ପରିବାରରୁ ଆସିଥିବା ବ୍ୟକ୍ତିକୁ ସାରା ଓଡ଼ିଶାର ବିକାଶ ଓ ଅସ୍ମିତା ତଥା ସ୍ୱାଭିମାନ ରକ୍ଷାର ଦାୟିତ୍ୱ  ମିଳିବା ମହାପ୍ରଭୁଙ୍କ ଇଚ୍ଛାବିନା ସମ୍ଭବ ନୁହେଁ । ମୁଁ ନିମିତ୍ତ ମାତ୍ର ।  ମହାପ୍ରଭୁ ହିଁ ଆମର ରାଜା । ଉତ୍କଳମଣିଙ୍କ ଭାଷାରେ- ଉତ୍କଳେ  ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ । 

ମୁଁ ଜାଣିଛି ମୋତେ ମହାପ୍ରଭୁଙ୍କ ଆଶୀର୍ବାଦ ବିନା  ଓଡ଼ିଶା ବ୍ୟବସ୍ଥା ଚଳାଇବାର ଦାୟିତ୍ୱ ମିଳିନଥାନ୍ତା । କିନ୍ତୁ  ମହାପ୍ରଭୁଙ୍କ ସାମ୍ନାରେ ଦଳାଚକଟାରେ ମୃତ୍ୟୁରୁ ମୁଁ ଦାୟିତ୍ୱରୁ  ହଟିପାରିବି ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର  କୋଟି କୋଟି ଭକ୍ତମଣ୍ଡଳୀଙ୍କ ପାଖରେ ମୁଁ ଉତ୍ତରଦାୟୀ । ମୁଁ  ଆଦିବାସୀ । ପଡ଼ି-ଉଠି ଜୀବନ ସଂଘର୍ଷ କରି ମହାପ୍ରଭୁଙ୍କ  ଆଶୀର୍ବାଦ କାରଣରୁ ଏହି ସ୍ଥାନରେ ପହଞ୍ଚିଛି । ମହାପ୍ରଭୁଙ୍କ  ଆଶୀର୍ବାଦ ନେଇ ଓଡ଼ିଶାକୁ ପ୍ରଗତିର ଶୀର୍ଷସ୍ଥାନରେ  ପହଞ୍ଚାଇବା ପାଇଁ ଆମେ ସଫଳ ହେବା, ଏହା ମୋର  ଦୃଢ଼ ବିଶ୍ୱାସ । 

ଆଜି ପବିତ୍ର ବାହୁଡ଼ାଯାତ୍ରାର ଶୁଭ ଅବସରରେ ଓଡ଼ିଶାର  ମୋ ପ୍ରିୟ ଭାଇଭଉଣୀଙ୍କ ପାଖରେ ଆମ ସମସ୍ତଙ୍କ ପାଇଁ  ଏକ ଶୁଭ ଖବର ଜଣାଇବାକୁ ଚାହୁଁଛି । ୨୦୨୫-୨୬ ଆର୍ଥିକ  ବର୍ଷର ପ୍ରଥମ ତିନିମାସରେ ଓଡ଼ିଶା ବେସରକାରୀ ପୁଞ୍ଜିନିବେଶ  କ୍ଷେତ୍ରରେ ସାରା ଦେଶରେ ରେକର୍ଡ କରିଛି । ଏହି ତିନିମାସରେ  ସାରାଦେଶରେ, ମାନେ ଓଡ଼ିଶା ସମେତ ସବୁ ରାଜ୍ୟରେ  ୩.୫ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ଏଥିରୁ ଆମ  ରାଜ୍ୟ ଓଡ଼ିଶା ଭାଗରେ ୧.୪ଲକ୍ଷ କୋଟି ପଡ଼ିଛି । ସାରାଦେଶକୁ  ୧୦୦ଟଙ୍କାର ପୁଞ୍ଜି ଆସିଛି । ଦେଶର ଓଡ଼ିଶା ଛାଡ଼ି ସବୁ ରାଜ୍ୟ  ଓ କେନ୍ଦ୍ରଶାସିତ ପ୍ରଦେଶକୁ ୬୦ଟଙ୍କା ଗଲାବେଳେ କେବଳ  ଓଡ଼ିଶାକୁ ୪୦ଟଙ୍କା ଆସିଛି । 

ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର  ପୂର୍ବୋଦୟ ଯୋଜନାରେ ଓଡ଼ିଶାକୁ ପ୍ରାଥମିକତା ଦେବା ସହିତ  ଓଡ଼ିଶାକୁ ପ୍ରକୃତପକ୍ଷେ ଲାଭ ଦେବା ଆରମ୍ଭ କରିଛି । ଉତ୍କର୍ଷ  ଓଡ଼ିଶା ଓ ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାରେ ଆୟୋଜନ  କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୋଦି ଗ୍ୟାରେଣ୍ଟିର  ପ୍ରତିଶ୍ରୁତି ଦେଇଥିଲେ । ଖାଲି ପ୍ରତିଶ୍ରୁତି ନୁହେଁ, ଚଳିତ  ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଓଡ଼ିଶା ଦେଶର ପୁଞ୍ଜି  ଆକର୍ଷଣରେ ଏକନମ୍ବର ରାଜ୍ୟ ଭାବରେ ଉଭା ହେବା, ଓଡ଼ିଶା  ଯେ ନୂଆ ସରକାରର ପ୍ରଥମ ବର୍ଷରେ ସଠିକ୍‌ ଦିଶା ଓ ସ୍ପଷ୍ଟ  ନୀତିର ଆଧାରରେ ଆଗକୁ ବଢ଼ିଚାଲିଛି ଏହା ପ୍ରମାଣିତ  ହୋଇଛି । 

ମହାପ୍ରଭୁ ଗରିବ ତଥା ଆଦିବାସୀ ସମାଜ ବ୍ୟବସ୍ଥାର  ତଥାକଥିତ ଜାତି ବ୍ୟବସ୍ଥାର ସବା ତଳ ପାହାଚର ବ୍ୟକ୍ତିବିଶେଷ  ଓ ଗରିବଙ୍କର ଦେବତା । ତାଙ୍କ ମହାପ୍ରସାଦ ବିତରଣର ସ୍ଥାନ  ଆନନ୍ଦ ବଜାରରେ ଉଚ୍ଚ-ନୀଚର ଭେଦଭାବ ନାହିଁ । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେଇ ଜନସମୁଦ୍ର  ମଧ୍ୟରେ ଏକାକାର ହେବାପାଇଁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ  ଓହ୍ଲାଇ ଆସନ୍ତି ଆମର ମହାବାହୁ । ଆମର ବିଶ୍ୱାସ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୂର୍ଯ୍ୟ-ଚନ୍ଦ୍ର ଭଳି ବେନି ନୟନକୁ ଅନାଇ  ଭାବବିହ୍ୱଳ ହେଉଥିବା ଭକ୍ତର ସବୁ ଦୁଃଖକଷ୍ଟ ହରନ୍ତି କଳାଠାକୁର । 

ହେ ମହାବାହୁ! ଓଡ଼ିଆ ଜାତିକୁ ଆପଣ ଚକ୍ର ଉହାଡ଼  କରିଥାନ୍ତୁ । ଆଜି ଆମେ ଅଛୁ । ଏ ନଶ୍ୱର ସଂସାରରେ ପିଢ଼ି  ପରେ ପିଢ଼ି ଆସିବ ଓ ଯିବ। କିନ୍ତୁ ଆପଣ କାହିଁ କେଉଁ ଅନାଦି  ଅନନ୍ତ କାଳରୁ ଅଛନ୍ତି । ଆଉ ଅନାଦି-ଅନନ୍ତ କାଳ ପର୍ଯ୍ୟନ୍ତ  ରହିବେ । ଆପଣଙ୍କ ଆଶୀର୍ବାଦରେ ଆମେ ଆମ ଜୀବଦ୍ଦଶାରେ  ଓଡ଼ିଶାକୁ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱର ଆର୍ଥିକ  ଦୃଷ୍ଟିରୁ ସବୁଠୁ ଆଗୁଆ ଭୂଖଣ୍ଡ ଭାବରେ ଗଢ଼ିତୋଳିବା ପାଇଁ  ଚାହୁଁ । ଆପଣଙ୍କ ଆଶୀର୍ବାଦରେ କେଇ ଶତାବ୍ଦୀ ପୂର୍ବରୁ ଓଡ଼ିଆ  ସାଧବପୁଅ ପୂରା ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବସାୟ ବାଣିଜ୍ୟ  କରି ଆମ ରାଜ୍ୟକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇଥିଲେ । ସମୟର ଚକ ଗଡୁଛି । ଆପଣଙ୍କ ଇଚ୍ଛାରେ କିଏ କେତେବେଳେ  ଆଗରେ ତ କିଏ କେତେବେଳେ ପଛରେ । ଆମେ ଦିନରାତି  ଯୋଜନାବଦ୍ଧ କଠିନ ପରିଶ୍ରମ ପାଇଁ ପ୍ରସ୍ତୁତ । ଆପଣଙ୍କ  ଆଶୀର୍ବାଦ ଆମ ପଥକୁ ସୁଗମ କରିବ। ଆମ ପ୍ରଦେଶ ଗଠନର  ଶହେବର୍ଷ ୨୦୩୬ ମସିହା ସୁଦ୍ଧା ଆମ ବିକଶିତ ଓଡ଼ିଶାର ସ୍ୱପ୍ନ  ସାକାର ପାଇଁ ଆଶୀର୍ବାଦ ଦିଅନ୍ତୁ । ଆମ ରାଜ୍ୟ ଓଡ଼ିଶାକୁ ଆପଣ  ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ଜଳସମ୍ପଦ, ଜଙ୍ଗଲ  ସମ୍ପଦ ତଥା ପରିଶ୍ରମୀ ଓ ବୁଦ୍ଧିମାନ ମାନବ ସମ୍ବଳ ଦେଇଛନ୍ତି ।  ଓଡ଼ିଶା ପାଖରେ ଯେଉଁ ସମ୍ବଳ ଅଛି ଦେଶର ଅନ୍ୟ କୌଣସି  ରାଜ୍ୟ ପାଖରେ ସେ ସଂସାଧନ ନାହିଁ । ହେ ମହାପ୍ରଭୁ! ଓଡ଼ିଶା  ଧନୀ, ମାତ୍ର ଓଡ଼ିଆ ଗରିବ । କେତେଦିନ ଏହି ଲାଞ୍ଛନା ଓ  ଅପମାନ ସହିବାକୁ ପଡ଼ିବ? 

ମୁଁ ଆଦିବାସୀ-ଗରିବ ପରିବାରରୁ ଆସିଛି । ଗରିବର  କଷ୍ଟକୁ ଅଙ୍ଗେ ନିଭେଇ ନିଭେଇ ଆସିଛି । ମହାପ୍ରଭୁ!  ଆପଣ ଜଗତର ନାଥ । ଗରିବର ଦେବତା । ଓଡ଼ିଶାକୁ  ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଆମେ ଆପଣଙ୍କୁ ସାକ୍ଷୀ  ରଖି ଯୋଜନା କରିଛୁ । ଆପଣ ଆଶୀର୍ବାଦ କରନ୍ତୁ । ଜୟ  ଶ୍ରୀଜଗନ୍ନାଥ ।