ଭୁବନେଶ୍ବର,୨୨/୧୦ : ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଜାରି ରହିଛି ପ୍ରସ୍ତୁତି । ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକମାନଙ୍କୁ ବାତ୍ୟାକୁ ନେଇ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ଅଞ୍ଚଳର ବିଧାୟକଙ୍କୁ ନିଜ ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । 

ସେ ଲେଖିଛନ୍ତି କି, ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ/ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ। ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥା ସମ୍ଭବ ଚେଷ୍ଟିତ ହୁଅନ୍ତୁ।

ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବାତ୍ୟା ଦାନା ମଙ୍ଗଳବାର ସନ୍ଧ୍ୟାରେ ଅବପାତରୁ ଗଭୀର ଅବପାତରେ ପରିଣତ ହୋଇସାରିଛି । ବର୍ତ୍ତମାନ ଏହା ପାରାଦୀପଠାରୁ ୬୯୦ କିମି ଦୂରରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବ ଏହି ଅବପାତ । ଘଣ୍ଟାକୁ ୭କିମି ବେଗରେ ଗତି କରୁଥିବା ଏହି ଅବପାତ ୨୪ତାରିଖରେ ଭୀଷର ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି ।