ଭୁବନେଶ୍ଵର, ୨୬/୧୧ : ନଭେମ୍ବର ୨୬... ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ। କାରଣ ଆଜି ସମ୍ବିଧାନ ଦିବସ। ୧୯୪୯ ମସିହା ଏହି ଦିନରେ ସ୍ୱାଧୀନ ଭାରତର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଧିବଦ୍ଧ ଭାବେ ଆପଣାଇଥିଲେ। ଏହାର ୨ ମାସ ପରେ ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ କାର୍ଯ୍ୟକାରୀ ହେଲା। ସମ୍ବିଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ଆଜି, ନଭେମ୍ବର ୨୬, ସମ୍ବିଧାନ ଦିବସ ଅବସରରେ, ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
— Mohan Charan Majhi (@MohanMOdisha) November 26, 2025
୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ଶୁଭ ଅବସରରେ, ଆସନ୍ତୁ ଆମ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର କର୍ତ୍ତବ୍ୟ ପାଳନ କରିବା ଓ ମା ଭାରତୀର ସେବାରେ… pic.twitter.com/xn2LUUhEdL
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, '୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ଶୁଭ ଅବସରରେ, ଆସନ୍ତୁ ଆମ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର କର୍ତ୍ତବ୍ୟ ପାଳନ କରିବା ଓ ମା ଭାରତୀର ସେବାରେ ନିଜକୁ ସମର୍ପଣ କରିବା ପାଇଁ ସଂକଳ୍ପ ନେବା।'
ଭାରତୀୟ ସମ୍ବିଧାନ ପ୍ରସ୍ତୁତି କରିବା ଲାଗି ୨ ବର୍ଷ, ୧୧ ମାସ, ୧୮ ଦିନ ସମୟ ଲାଗିଥିଲା । ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ପ୍ରସ୍ତୁତ କାମ ସମାପ୍ତ ହୋଇଥିଲା । ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ ପ୍ରଣୟନ ହେଲା। ୨୦୧୫ରେ ସମ୍ବିଧାନର ଜନକ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତି ଅବସରରେ ପ୍ରଥମ ଥର ପାଇଁ ସମ୍ବିଧାନ ଦିବସ ପାଳିତ ହୋଇଥିଲା। ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟ ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ। ପୂର୍ବରୁ ସମ୍ବିଧାନରେ ମୋଟ ୩୯୫ ଅନୁଚ୍ଛେଦ ଥିବା ବେଳେ ଏବେ ମୋଟ ୪୭୦ ଅନୁଚ୍ଛେଦ ରହିଛି । ସମ୍ବିଧାନ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖାଯାଇଥିବା ବେଳେ ଏଥିରେ ମୋଟ ୨୫୧ ପୃଷ୍ଠା ରହିଛି। ଭାରତୀୟ ସମ୍ବିଧାନର ମୂଳ ସଂରଚନା ଭାରତ ସରକାର ଅଧିନିୟମ ୧୯୩୫ ଉପରେ ଆଧାରିତ ।