ଭୁବନେଶ୍ୱର,୨୪/୦୧: ଆସନ୍ତା ଫେବ୍ରୁଆରୀ ୨ରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଓ ପ୍ରତ୍ୟାବର୍ତ୍ତନ କରିବା ଯାଏ ସମସ୍ତ କାର୍ଯ୍ୟ ସୁଚାରୁରୂପେ କରାଯିବାକୁ ଆଲୋଚନା ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ସଚିବ, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରିଚାଳନାରେ ଯେପରି ତ୍ରୁଟି ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ସମନ୍ୱୟ ପାଇଁ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ।

ରାଷ୍ଟ୍ରପତି ୨ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ । ୩ରେ ବିରଜା ମନ୍ଦିର ପରିଦର୍ଶନ କରି ନାଭି ଗୟାରେ ପୂଜାର୍ଚ୍ଚନା କରିବେ । ଅପରାହ୍ନରେ ବାଲେଶ୍ୱରର ଏଫ୍ଏମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ସଂଧ୍ୟାରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସହ ଆଳତି ଓ ପିଣ୍ଡଦାନ କରିବେ । ୪ରେ ମୟୂରଭଞ୍ଜ ରାଇରଙ୍ଗପୁର ମହୁଲଡିହାରେ ଅବକାଶ ଗୃହର ଉଦ୍ଘାଟନ କରିବେ । ବାଳିକା ହାୟର ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିବେ । ଭଞ୍ଜ ବୀର ସୁନାରାମ ସୋରେନ୍‌ଙ୍କ  ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ । ବୈଦପୁରରେ କ୍ରୀଡ଼ା କମ୍ପେ୍ଲକ୍ସ ସହ ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ୫ରେ ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିର, ଅପରାହ୍ନରେ ଶିମିଳିପାଳ ଗସ୍ତ କରିବେ । ୬ତାରିଖ ପୂର୍ବାହ୍ନରେ ମହିଳା, ଆଦିବାସୀ ଗୋଷ୍ଠୀର ଯୁବବର୍ଗଙ୍କ ସହ ଭାବ ବିନିମୟ କରିବେ । ଅପରାହ୍ନରେ ଭୁବନେଶ୍ୱରରେ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ ହେବେ । ୭ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ଛତିଶଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ ଡିଜି ୱାଇ ବି ଖୁରାନିଆ, ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ, ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ:- ଆଇନମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ, ରାଜ୍ୟସଭା ଯିବା ନେଇ ଚର୍ଚ୍ଚା