ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚିନ୍ତାମୁକ୍ତ ହେବେ କର୍ମଜୀବୀ, ଶିଶୁଙ୍କ ନୂଆ ଘର ପାଲଟିବ ‘ପାଳନ କେନ୍ଦ୍ର’

Published By : Rasmita Pradhan | December 4, 2024 1:02 PM

କଟକ, ୦୪/୧୨ : ସରକାରୀ କର୍ମଚାରୀ ହୁଅନ୍ତୁ କି ଦିନମଜୁରିଆ-ଏଣିକି କର୍ମକ୍ଷେତ୍ରରେ ଆଉ ସନ୍ତାନଙ୍କ ଚିନ୍ତା ରହିବ ନାହିଁ। କାରଣ କର୍ମକ୍ଷେତ୍ରକୁ ଯିବା ପୂର୍ବରୁ ନିଜ ଶିଶୁସନ୍ତାନଙ୍କୁ ଅଚିନ୍ତାରେ ଛାଡ଼ି ଯାଇପାରିବେ ଅଭିଭାବକମାନେ । ଶିଶୁଙ୍କୁ ପରିବାର ଭଳି ସ୍ନେହ ଦେବା ସହିତ ସେମାନଙ୍କ ଯତ୍ନ ନେବ ପ୍ରଶାସନ । ଏମିତିକି ଅଙ୍ଗନବାଡ଼ିରୁ ଆସି ପିଲାମାନେ ଘର ଭଳି ସେଠାରେ ସମୟ କାଟି ପାରିବେ । ସେମାନଙ୍କୁ ଖୁଆଇ ଦେବାଠାରୁ ଆରମ୍ଭ କରି ସବୁ ପ୍ରକାରର କାର୍ଯ୍ୟ କରିବେ ସ୍ୱତନ୍ତ୍ର କର୍ମଚାରୀ । ଯାହାଦ୍ୱାରା ଅଭିଭାବକମାନେ ପିଲାଙ୍କ ଚିନ୍ତା ଛାଡ଼ି କର୍ମକ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବେ । 

କର୍ମଜୀବୀ ମହିଳା ଓ ପୁରୁଷଙ୍କ ଦାୟିତ୍ୱ ହାଲୁକା କରିବା ପାଇଁ ନୂଆ ଯୋଜନା ଆପଣାଇବ ଜିଲ୍ଲା ପ୍ରଶାସନ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲାରେ ତିଆରି କରାଯିବ ସମୁଦାୟ ୫୧ଟି ‘ପାଳନ କେନ୍ଦ୍ର’ । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆରମ୍ଭ ହେବାକୁ ଥିବା ଏହି ଯୋଜନା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍‌ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି । କଟକ ଜିଲ୍ଲାରେ ପ୍ରତିଦିନ ସକାଳ ହେଲେ ଲକ୍ଷାଧିକ ଲୋକ ଘର ଛାଡ଼ି ନିଜ ନିଜ କର୍ମକ୍ଷେତ୍ରକୁ ଯାଇଥାନ୍ତି । ଏଥିରେ ସରକାରୀ, ବେସରକାରୀ ଚାକିରିଜୀବୀ ଓ ଦିନ ମଜୁରିଆ ରହିଛନ୍ତି । ଅନେକ ସମୟରେ ନବଜାତ ବା ସାନ ଶିଶୁଙ୍କୁ ନେଇ କର୍ମକ୍ଷେତ୍ରକୁ ଯିବା ଯେତିକି ମୁସ୍କିଲ୍‌ ହୋଇଥାଏ ସେମାନଙ୍କୁ କାହା ପାଖରେ ଛାଡ଼ି ଯିବା ମଧ୍ୟ ସେତିକି ଚିନ୍ତାଜନକ ରହିଥାଏ । ଯାହା ଅନେକଙ୍କ କର୍ମକ୍ଷେତ୍ର ଉପରେ ବହୁଳ ପ୍ରଭାବ ପକାଇଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ପ୍ରତି ଜିଲ୍ଲାରେ କର୍ମଜୀବୀ ଅଭିଭାବକଙ୍କ ଦାୟିତ୍ୱକୁ ଏଣିକି ତୁଲାଇବ ଜିଲ୍ଲା ପ୍ରଶାସନ । 

ମିଳିଥିବା ସୂଚନାନୁଯାୟୀ, କଟକ ଜିଲ୍ଲାରେ ଥିବା କର୍ମଜୀବୀଙ୍କ ଶିଶୁର ଯତ୍ନ ଓ ଦେଖାଶୁଣା କରିବା ପାଇଁ ତିଆରି କରାଯିବ ‘ପାଳନ କେନ୍ଦ୍ର’ । ଯେଉଁଠି ୬ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ସେମାନଙ୍କ ଅଭିଭାବକମାନେ କର୍ମକ୍ଷେତ୍ରକୁ ଯିବା ପୂର୍ବରୁ ଛାଡ଼ିକରି ଯାଇପାରିବେ । ଏଥିସହ ଯେଉଁ ପିଲାମାନେ ଅଙ୍ଗନବାଡ଼ି ଯିବେ ସେମାନେ ମଧ୍ୟ ପଢ଼ା ସାରି ପାଳନ କେନ୍ଦ୍ରରେ ଆସି ରହିପାରିବେ । ସେଠାରେ ଯତ୍ନ ନେବାକୁ ଥିବା କର୍ମଚାରୀମାନେ ଶିଶୁଙ୍କ ସବୁ ପ୍ରକାରର ଯତ୍ନ ନେବେ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଶିଶୁମାନେ କେନ୍ଦ୍ରରେ ରହିବେ । ଜିଲ୍ଲା ପ୍ରଶାସନ ଦ୍ୱାରା କଟକ ଜିଲ୍ଲାରେ ହେବାକୁଥିବା ୫୧ଟି ପାଳନ କେନ୍ଦ୍ରରୁ ପୌରାଞ୍ଚଳ ଓ ନିଗମରେ ୧୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ହେବ । ସିଏମ୍‌ସିର ୨ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ଅଧୀନରେ ୮ଟି କେନ୍ଦ୍ର ହେବ । ତାହା ବାଦ୍‌ ଆଠଗଡ଼ରେ ଦୁଇଟି, ବାଙ୍କୀରେ ୨ଟି, ଚୌଦ୍ୱାର ପୌରାଞ୍ଚଳରେ ୩ଟି ପାଇଁ ନିଷ୍ପତ୍ତି ହୋଇଛି । ଏହାସହ ବଡ଼ମ୍ବାରେ ୩ଟି, ବାରଙ୍ଗରେ ୩ଟି, କଟକସଦରରେ ୩ଟି, ଡମପଡ଼ାରେ ୩ଟି, କଣ୍ଟାପଡାରେ ୪ଟି, ମାହାଙ୍ଗାରେ ୩ଟି, ନରସିଂହପୁରରେ ୨ଟି, ନିଆଳିରେ ୨ଟି, ସାଲେପୁରରେ ୩ଟି ଓ ତିଗିରିଆରେ ୨ଟି ଭଳି ସମୁଦାୟ ୫୧ଟି କେନ୍ଦ୍ର ପ୍ରତିଷ୍ଠା ହେବ । 

ପ୍ରତି ସମନ୍ୱିତ ଶିଶୁ ପ୍ରକଳ୍ପ କେନ୍ଦ୍ର ନିକଟରେ ଗୋଟିଏ ଲେଖାଏଁ ହେବାକୁ ଥିଲାବେଳେ ବାକି କର୍ମଜୀବୀ ରହୁଥିବା ଅଞ୍ଚଳରେ ତିଆରି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ପରିଡ଼ା କହିଛନ୍ତି, ଏଭଳି ଏକ ପଦକ୍ଷେପ ଦ୍ୱାରା ଅନେକ କର୍ମଜୀବୀ ମହିଳା ଉପକୃତ ହୋଇପାରିବେ । ସବୁ ବର୍ଗର ଲୋକଙ୍କ ପିଲା ଗୋଟିଏ ଛାତ ତଳେ ସୁରକ୍ଷିତ ଭାବେ ୮ଘଣ୍ଟା ସମୟ ବିତାଇ ପାରିବେ । ଏ ନେଇ ଖୁବ୍‌ ଶୀଘ୍ର ସରକାରୀ ବିଜ୍ଞପ୍ତି ଜାରି ହେବାକୁ ଯାଉଛି । ବିଜ୍ଞପ୍ତି ପରେ କେନ୍ଦ୍ର କାର୍ଯ୍ୟ ଆରମ୍ଭ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.