କଟକ,୧୦/୦୬: ଚର୍ମ କର୍କଟ (ସ୍କିନ୍ କ୍ୟାନ୍ସର୍) ରୋଗର ନିୟନ୍ତ୍ରଣ ଓ ସଫଳ ଚିକିତ୍ସା ଦିଗରେ ଗବେଷଣା କରି ରେଭେନ୍ସା ବିଶ୍ୱବିଦ୍ୟାଳୟ ଜୁଲୋଜି ବିଭାଗ ଏକ ନୂଆ ତଥ୍ୟ ଉଦ୍ଭାବନ କରିଛି । ଚିଲିକା ଦଳରେ ଯେଉଁ ଶକ୍ତି ରହିଛି ତାହା ଅଲ୍ଟ୍ରା ଭାଓଲେଟ୍ (ୟୁଭି)କୁ ପ୍ରତିହତ କରିପାରୁଛି । ସେଥିରେ ଆଣ୍ଟି ଅକ୍ସିଜେନ୍ ଏବଂ ଆଣ୍ଟି କ୍ୟାନ୍ସର୍ କ୍ଷମତା ରହିଥିବାରୁ ତାହା କ୍ୟାନ୍ସରକୁ ସହଜରେ ପ୍ରତିହତ କରିପାରୁଛି । ଏହାକୁ ନେଇ ଦୀର୍ଘ ୭ ବର୍ଷ ହେଲା ଲମ୍ବା ଗବେଷଣା ପରେ ଏହାର ଔଷଧୀୟ ଗୁଣ ସ୍ପଷ୍ଟ ହୋଇଛି । ଏଣୁ ଏହାକୁ ଚର୍ମ କର୍କଟର ମହୌଷଧି ରୂପେ ବ୍ୟବହାର କରାଯାଇ ପାରିବ ବୋଲି ରେଭେନ୍ସା ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ସୌମ୍ୟରଞ୍ଜନ ଜେନା ସୂଚନା ଦେଇଛନ୍ତି ।
ଡ. ଜେନାଙ୍କ ସୂଚନା ମୁତାବକ, ଚିଲିକାରୁ ମିଳୁଥିବା ଦଳ ଚର୍ମରୋଗ ଦୂରେଇବା ଦିଗରେ ଭଲ କାମ କରୁଛି । ଏହା ଦ୍ୱାରା ଚର୍ମ ରୋଗରୁ ରୋଗୀ ଆଶ୍ୱସ୍ତ ହୋଇପାରିବେ । ଏଥିରେ ମାଇକ୍ରୋସ୍ପୋରିନ୍ ଓ ଆମିନୋ ଏସିଡ୍ କମ୍ପାଉଣ୍ଡ ରହିଛି । ଯାହା ଚର୍ମ ରୋଗକୁ ନିୟନ୍ତ୍ରଣ କରିପାରିବ । ଚିଲିକା ଦଳରୁ ଏହି କମ୍ପାଉଣ୍ଡ ଆମେ ଖୋଜି ପାଇଛୁ ବୋଲି ସେ କହିଛନ୍ତି । ଚର୍ମ କର୍କଟ ରୋଗର ସଫଳ ଚିକିତ୍ସା ନିମନ୍ତେ ୨୦୧୪ ମସିହାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୁଲୋଜି ବିଭାଗରେ ଏହି ଗବେଷଣା ଆରମ୍ଭ ହୋଇଥିଲା । ବିଭାଗର ଡ. ସୌମ୍ୟରଞ୍ଜନ ଜେନା ଓ ପ୍ରଫେସର ଲୁନା ସାମନ୍ତ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଏବଂ ଡ. ଜ୍ୟୋସ୍ନାରାଣୀ ପ୍ରଧାନ ଗବେଷଣା ଚଳାଇଥିଲେ । ଗବେଷଣା ପରେ ଅନୁଧ୍ୟାନ ଲାଗି ୨୦୨୧ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ କାର୍ଯ୍ୟାଳୟକୁ ସାଇଣ୍ଟିଫିକ୍ ତଥ୍ୟ ପଠାଯାଇଥିଲା । ଗବେଷଣା ଠିକ୍ ଥିବାରୁ ଔଷଧ ସାମଗ୍ରୀ ପ୍ରସ୍ତୁତି ଲାଗି ଗବେଷକମାନେ ପେଟେଣ୍ଟ ପାଇଁ ଆବେଦନ କରିଥିଲେ । ୨୦୨୫ ଫେବ୍ରୁଆରୀରେ ପେଟେଣ୍ଟ କାର୍ଯ୍ୟାଳୟ ଏହି ଆବେଦନ ଉପରେ ମୋହର ମାରିଥିବାରୁ ଔଷଧ ପ୍ରସ୍ତୁତି ଲାଗି ବାଟ ଫିଟିଛି । ଗବେଷକମାନେ ଚର୍ମ କର୍କଟ ଚିକିତ୍ସା ନିମନ୍ତେ ଲୋସନ୍ ପ୍ରସ୍ତୁତି କରିବା ଲାଗି ଔଷଧ ନିର୍ମାଣକାରୀ କମ୍ପାନି ସହ ଚୁକ୍ତିନାମା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଡ. ଜେନା କହିଛନ୍ତି ।
ଗବେଷକ ଡ. ଜେନାଙ୍କ କହିବାନୁସାରେ, ଚର୍ମ କର୍କଟ ସାଧାରଣତଃ ଚର୍ମର ତନ୍ତୁ ମଧ୍ୟରେ ମାଲିଗ୍ନାଣ୍ଟ କୋଷ ଗୁଡ଼ିକର ଅସ୍ୱାଭାବିକ ବୃଦ୍ଧି ଯୋଗୁଁ ହୋଇଥାଏ । ଏହା ମୁଖ୍ୟତଃ ସୂର୍ଯ୍ୟ କିରଣ ସହ ଜଡ଼ିତ । ଦିନକୁ ଦିନ ବୈଶ୍ୱିକ ଉତ୍ତାପ ବଢି ଚାଲିଛି । ଫଳରେ ଏହାର ପ୍ରଭାବ ମନୁଷ୍ୟ ଶରୀର ଉପରେ ଅଧିକ ମାତ୍ରାରେ ପଡୁଛି । ସେହିପରି ଏବେ ଯୁବପିଢ଼ିଙ୍କ ସମେତ ସମାଜର ବିଭିନ୍ନ ବର୍ଗରେ କସମେଟିକ୍ ସାମଗ୍ରୀ ବ୍ୟବହାର ବଢ଼ିଛି । ମୁହଁରେ ବିଭିନ୍ନ ପ୍ରକାର ପାଉଡର୍ ଓ ଲୋସନ୍ ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି । ମନଇଚ୍ଛା ଲୋସନ୍ ବ୍ୟବହାର ଦ୍ୱାରା ଏହା ଚର୍ମ ଉପରେ କୁପ୍ରଭାବ ପକାଉଛି । ସୂର୍ଯ୍ୟଙ୍କ ବିକିରଣ ଆଉ କେମିକାଲ୍ ମିଶ୍ରିତ କସ୍ମେଟିକ ସାମଗ୍ରୀରୁ ଆମେ ଅନେକ ମାତ୍ରାରେ ପ୍ରଭାବିତ ହେଉଛୁ । ଏହି କାରଣରୁ ଚର୍ମ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଲୋକେ ଶିକାର ହେବାର ଆଶଙ୍କା ରହିଛି ।