ଭୁବନେଶ୍ୱର,୧୪/୦୬:  ଚିଲିକା ଫ୍ରେସ୍‌ ଟେଣ୍ଡରରେ ଫିକ୍ସିଂ! ଆଉଟଲେଟ୍‌  ଟେଣ୍ଡରରେ ପ୍ରିୟାପ୍ରୀତି ତୋଷଣକୁ  ଗୁରୁତ୍ୱ ଦିଆଯାଇଛି । ଜଣେ ଅଧିକାରୀଙ୍କ ସମ୍ପର୍କୀୟ ଟେଣ୍ଡର ହାତେଇଛନ୍ତି ।  ଏବେ ତାଙ୍କୁ ଶିରିପୁର ଆଉଟେଲଟ୍‌ ପରିଚାଳନା କରିବାକୁ ଦାୟିତ୍ୱ ମିଳିଥିବା  ଜଣାପଡ଼ିଛି । ତେବେ ସହିଦନଗର ଓ ସିଆରପି ଆଉଟଲେଟ୍‌ ପାଇଁ ଟେଣ୍ଡର ଡକାଯାଇଥିବା ବେଳେ ଏହାକୁ ନେବା  ପାଇଁ କେହି ନଥିବାରୁ ଏହି ଦୁଇ ଆଉଟଲେଟ୍‌ ଘରୋଇକରଣ ହେବାରୁ ବର୍ତ୍ତିଯାଇଛି । ଏଠିପ୍ରଶ୍ନ ଉଠୁଛି, ଯଦି ପାରିବାରିକ ସମ୍ପର୍କକୁ ଦେଖି ଚିଲିକା ଫ୍ରେସ୍‌ ଆଉଟଲେଟ୍‌ ଦିଆଗଲା ତେବେ ଟେଣ୍ଡର ଡକାଗଲା କ’ଣ ପାଇଁ? 

ସରକାରୀ ଅଧିନରେ ଚାଲୁଥିବା  ଚିଲିକା ଫ୍ରେସ୍‌ ଭାଗ୍ୟ ଏବେ ଅନ୍ଧାର । ଯେବେଠୁ ଶେଷ ୩ଟି ଆଉଟଲେଟ୍‌କୁ  ଘରୋଇକରଣ କରିବା ପାଇଁ ଟେଣ୍ଡର  ଡକାଯାଇଛି ସେବେଠୁ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ଏହି ଆଉଟଲେଟ୍‌ଗୁଡ଼ିକର ଉନ୍ନତି  କରିବା ପରିବର୍ତ୍ତେ ଏହାକୁ ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ ମସୁଧା  କରୁଥିବା ଅଭିଯୋଗ ହୋଇଥିଲା । ସିଆରପି, ସହିଦନଗର ଓ ଶିରିପୁରରେ  ଥିବା ଆଉଟଲେଟ୍‌ ପାଇଁ ଗତ ୨୨  ତାରିଖରେ ଟେଣ୍ଡର ଖୋଲାଯାଇଥିବା  ବେଳେ ଗୁରୁବାର ବନ୍ଦ ହୋଇଥିଲା ।  ଗତକାଲି ହିଁ ତରବରିଆ ଭାବରେ  ଟେକ୍ନିକାଲ ଓ ଫାଇନାନ୍ସିଆଲ ଟେଣ୍ଡର  ଡକାଯାଇଥିଲା । ହେଲେ ସିଆରପି ଓ  ସହିଦନଗର ଆଉଟ୍‌ଲେଟ୍‌ ପାଇଁ କେହି ଟେଣ୍ଡରରେ ଭାଗ ନେଇନଥିଲେ । ତେଣୁ ଏହି ଦୁଇଟି ଆଉଟଲେଟ୍‌  ଟେଣ୍ଡରକୁ ବାତିଲ କରାଯାଇଥିଲା ।  ତେବେ ଶିରିପୁର ଆଉଟଲେଟ୍‌ ପାଇଁ  ଗୋଟିଏ ସଂସ୍ଥା ଟେଣ୍ଡର ପକାଇଥିଲା ।  ଯେଉଁ ବ୍ୟକ୍ତି ଟେଣ୍ଡର ପକାଇଥିଲେ ସେ  କୁଆଡେ ବିଭାଗରେ କାର୍ଯ୍ୟରତ ଜଣେ  ବରିଷ୍ଠ ଅଧିକାରୀଙ୍କ ସମ୍ପର୍କୀୟ । ହେଲେ  ନିୟମାନୁସାରେ, ତିନିଜଣ ଅପସନର୍‌  ଭାଗ ନେବା କଥା । ଅନ୍ୟଥା ଟେଣ୍ଡର  ବାତିଲ କରାଯିବ । ମାତ୍ର ଏ କ୍ଷେତ୍ରରେ  ସିଙ୍ଗଲ ଟେଣ୍ଡର ପଡ଼ିଥିଲା । ଶେଷରେ  ସଂପୃକ୍ତ ଅଧିକାରୀଙ୍କ ମୁହଁକୁ ଚାହିଁ ତାଙ୍କର  ସମ୍ପର୍କୀୟଙ୍କ ହାତରେ ଆଉଟଲେଟ୍‌କୁ  ଟେକିଦିଆଯାଇଛି । ଟେଣ୍ଡରରେ ଫିକ୍ସିଂ  ହୋଇଥିବା ଜଳଜଳ ଦେଖାଯାଉଛି ।  

ଅପରପକ୍ଷେ, ଏସମସ୍ତ ଘଟଣାରେ  ପରିଚାଳନା ନିର୍ଦ୍ଦେଶକଙ୍କ ଭୂମିକା  ସନ୍ଦେହଘେରକୁ ଆସିଛି । ତାଙ୍କ ଜାଣତରେ  ହିଁ ଏସବୁ ଘଟୁଛି ବୋଲି କର୍ମଚାରୀମାନେ  ଅଭିଯୋଗ କରିଛନ୍ତି । ୩ଟି ଆଉଟଲେଟ୍‌  ପାଇଁ ଟେଣ୍ଡର ଡକାଯାଇଥିଲା ହେଲେ  ମିଳିଲା ଗୋଟିଏକୁ । କେଉଁ ଆଧାରରେ  ଟେଣ୍ଡର ବଣ୍ଟାଗଲା, ସମ୍ପର୍କୀୟଙ୍କୁ କେମିତି  ଦାୟିତ୍ୱ ମିଳିଲା, ଏସବୁର ବିଭାଗୀୟ ତଦନ୍ତ  ହେବା ଦରକାର ବୋଲି ଦାବି ହୋଇଛି।  ଏସଂକ୍ରାନ୍ତରେ ପରିଚାଳନା ନିର୍ଦ୍ଦେଶକ  ମୁରଲିଧର ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି ।