ଚିଲିକା/ଭୁବନେଶ୍ୱର,୬/୧ : ଚିଲିକା ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସମ୍ପଦର ଅନନ୍ୟ ସମ୍ଭାର l ଚିଲିକାର ବିଦେଶାଗତ ପକ୍ଷୀ ଆଗମନ, ନୌବାଣିଜ୍ୟ, ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ଚାଳନା ଓ ମାଛ ଧରା ପ୍ରଣାଳୀ, ଜୀବନଯାପନ ବିସ୍ତୃତ ଜଳରାଶିରେ ଗମନାଗମନ ପର୍ଯ୍ୟଟକମାନଙ୍କୁ ଅତ୍ୟନ୍ତ ବିମୋହିତ କରିଥାଏ l ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଆଜି ପ୍ରଥମ ଦେଶୀ ଡଙ୍ଗା ଚାଳନା ପ୍ରତିଯୋଗିତା ପ୍ରଥମ ସଂସ୍କରଣକୁ ଅପରାହ୍ନରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ଆହୁରି ସେ କହିଛନ୍ତି, ଚିଲିକା ପର୍ଯ୍ୟଟନ ସ୍ଥଳୀ ଅନ୍ତର୍ଜାତୀୟ କ୍ଷେତ୍ରରେ କିପରି ଆହୁରି ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି ସରକାର ପ୍ରକୃତିର ସୁରକ୍ଷା, ମତ୍ସ୍ୟଜୀବିମାନଙ୍କ ପାରମ୍ପରିକ ବେଉସା, ବେଦେଶାଗତ ପକ୍ଷୀ ଅଧିକ ଆଗମନ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଭିଜନରେ ନୂତନ ଅଧ୍ୟାୟ ସୃଷ୍ଟି କରି ପର୍ଯ୍ୟଟନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ l

ଉଦଘାଟନୀ ସମାରୋହରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ l ଏହି ପ୍ରଥମ ସଂସ୍କରଣରେ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୮୧ଟି ମୋଟ ଦେଶୀ ଡଙ୍ଗା ସମିତି ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି l ଆଜି ଉଦଘାଟନୀ ଦିବସରେ ୪୫ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ୭୦୦ମିଟର ଜଳ ରାଶିରେ ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଦଳ ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ପ୍ରତିଯୋଗିତା ସୁରକ୍ଷା ନିମନ୍ତେ ଅଗ୍ନିଶମ ସେବା, ସ୍କୁବା ଡ୍ରାଇଭର, ଓଡରାଫ, ପୁଲିସ ପ୍ରଶାସନ, ସମସ୍ତେ ସେବା ଯୋଗାଇଦେବା ପାଇଁ ନିୟୋଜିତ ହୋଇଛନ୍ତି l