ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭାରତୀୟ ଉତ୍ପାଦ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା । ଏହା ସହ ବିଶ୍ବର ଅନ୍ୟ କେତେକ ଦେଶ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବ ବୋଲି ଚେତାବନୀ ଦେଇଛି । ଏହା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନମାନୀକୁ ନେଇ ସମଗ୍ର ବିଶ୍ବରେ ଅସନ୍ତୋଷ ପ୍ରକାଶ ପାଇଛି । ଭାରତ ଉପରେ ଅତ୍ୟଧିକ ଟାରିଫ ଲଗାଇବା ନେଇ ଆମେରିକାର ନିଷ୍ପତ୍ତିକୁ ରୁଷ ବିରୋଧ କରିଥିଲା । ଆଉ ଏବେ ଚୀନ୍ ମଧ୍ୟ ଭାରତ ସମର୍ଥନରେ ବାହାରିଛି ।
ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ ଆମେରିକାର ଏହି ପଦକ୍ଷେପକୁ ବାଣିଜ୍ୟ ନିୟମର ଅପବ୍ୟବହାର ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଆମେ (ଚୀନ) ସର୍ବଦା ଶୁଳ୍କର ଅପବ୍ୟବହାରକୁ ବିରୋଧ କରିଆସିଛୁ ଏବଂ ଏ ବିଷୟରେ ଆମର ମତ ସ୍ପଷ୍ଟ ଓ ସ୍ଥାୟୀ । ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ମୋଟ ୫୦% ଶୁଳ୍କ ଘୋଷଣା କରିବା ସମୟରେ କହିଥିଲେ ଯେ, ଭାରତ ରୁଷରୁ ତେଲ କିଣିବା କ୍ଷେତ୍ରରେ ଚୀନର ବହୁତ ନିକଟତର। ଏପରି ପରିସ୍ଥିତିରେ, ଏହାର ମୁକାବିଲା କରିବା ପାଇଁ ଆମେରିକା ଦ୍ୱିତୀୟ ପ୍ରତିବନ୍ଧକ ଲଗାଇବ ।
ପିଟିଆଇ ଅନୁଯାୟୀ, ଯେତେବେଳେ ଟ୍ରମ୍ପଙ୍କୁ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିଲା ଯେ ଯଦି ରୁଷ-ୟୁକ୍ରେନ ସହିତ ଚୁକ୍ତି ହୁଏ ତେବେ ସେ ଭାରତ ଉପରୁ ଶୁଳ୍କ ହଟାଇ ପାରିବେ କି ? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, ବର୍ତ୍ତମାନ ପାଇଁ ଭାରତ ୫୦% ଶୁଳ୍କ ଦେବ । ପରବର୍ତ୍ତୀ ସମୟରେ କ’ଣ ହେବ ତାହା ଦେଖାଯିବ । ଚୀନ୍ ଏବଂ ତୁର୍କୀ ମଧ୍ୟ ରୁଷରୁ ତେଲ କିଣୁଛନ୍ତି, ତେବେ କେବଳ ଭାରତ ଉପରେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ କାହିଁକି ? ଏହାର ଜବାବରେ ଟ୍ରମ୍ପ କହିଥିଲେ, ଭାରତ ଉପରେ ଶୁଳ୍କ ଲାଗୁ ହେବାର ମାତ୍ର ୮ ଘଣ୍ଟା ହୋଇଛି, ଭବିଷ୍ୟତରେ ଆପଣ ବହୁତ କିଛି ଦେଖିବେ ।
ଭାରତ ଆମେରିକାର ଏହି ପଦକ୍ଷେପକୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ 'ଅନୁପଯୁକ୍ତ' ବୋଲି କହିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଏକ ବିବୃତ୍ତି ଜାରି କରି କହିଛି ଯେ, ଭାରତ ଏହାର ୧୪୦ କୋଟି ଜନସଂଖ୍ୟାର ଶକ୍ତି ଆବଶ୍ୟକତାକୁ ଧ୍ୟାନରେ ରଖି ତେଲ କିଣେ । ଭାରତ ନିଜର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବ ।
ସୂଚନାଯୋଗ୍ୟ, ପ୍ରଥମେ ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୨୫% ଶୁଳ୍କ ଅଗଷ୍ଟ ୭ରୁ ଲାଗୁ ହୋଇଛି । ଅତିରିକ୍ତ ୨୫% ଶୁଳ୍କ ୨୧ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୭ରୁ ଲାଗୁ ହେବ । ରୁଷରୁ ତୈଳ ଆମଦାନୀ କରଥିବାରୁ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି ଆମେରିକା । ସେପଟେ ଚୀନ୍ ଉପରେ ୩୦% ଏବଂ ତୁର୍କୀ ଉପରେ କେବଳ ୧୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।