ନୂଆଦିଲ୍ଲୀ ୨୩/୦୬: ଗୋପନ ସାମରିକ ଅଭିଯାନ ଲାଗି ଚୀନ୍‌ରେ ବୈଜ୍ଞାନିକମାନେ ଏକ ଛୋଟ ମଶା ଆକାରର ଡ୍ରୋନ୍‌ ବିକଶିତ କରିଛନ୍ତି। ସେଣ୍ଟ୍ରାଲ ଚୀନ୍‌ର ହୁନାନ୍‌ ପ୍ରଦେଶରେ ଥିବା ନ୍ୟାସନାଲ  ୟୁନିଭର୍ସିଟି ଅଫ୍‌ ଡିଫେନ୍ସ ଟେକ୍ନୋଲୋଜି(ଏନ୍‌ୟୁଡିଟି)ର  ଏକ ରୋବୋଟିକ୍ସ ଲାବରେଟୋରୀ ଦ୍ୱାରା ଏହି ମାଇକ୍ରୋ ଡ୍ରୋନ୍‌କୁ ବିକଶିତ କରାଯାଇଛି । ତାହା ଯୁଦ୍ଧ ରଣନୀତିକୁ  ବଦଳାଇ ଦେଇପାରେ ବୋଲି କୁହାଯାଉଛି।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ଏହି  ପ୍ରୋଟୋଟାଇପ୍‌କୁ ଗବେଷକଙ୍କ ପକ୍ଷରୁ ଶୁକ୍ରବାର ଏକ ଟିଭି  ଚ୍ୟାନେଲ ସିସିଟିଭି ୭ରେ ପ୍ରଦର୍ଶିତ କରାଯାଇଥିଲା । ଡ୍ରୋନ୍‌ଟିକୁ  ହାତରେ ଧରି ଏନ୍‌ୟୁଡିଟିର ଜଣେ ଛାତ୍ର ଲିଆଙ୍ଗ ହେସିଆଙ୍ଗ  କହିଥିଲେ ଯେ, ତାଙ୍କ ହାତରେ ଏକ ମଶା ଆକୃତିର ଡ୍ରୋନ୍‌  ରହିଛି । ଏହି ଛୋଟ ବାୟୋନିକ ରୋବୋଗୁଡି଼କ ବିଶେଷ  ଭାବରେ ସୂଚନା ସଂଗ୍ରହ ଓ ଯୁଦ୍ଧକ୍ଷେତ୍ରରେ ସ୍ୱତନ୍ତ୍ର ମିଶନ୍‌ ଲାଗି  ଉପଯୁକ୍ତ । ଡ୍ରୋନ୍‌ଟି ପ୍ରାୟ ୧.୩ ସେମି ଲମ୍ବା(ଏକ ମଶାର  ଆକାର ସହ ସମାନ)ଥିଲା । ସେଥିରେ ପତ୍ର ଆକୃତିର ଦୁଇଟି  ଡେଣା ସହିତ ୩ଟି କେଶ ଭଳି ପତଳା ଗୋଡ଼ ବି ଥିଲା ।  ତାକୁ ଏକ ସ୍ମାର୍ଟଫୋନ୍‌ ସହାୟତାରେ ନିୟନ୍ତ୍ରଣ କରାଯାଉଥିଲା । 

ରିପୋର୍ଟ ଅନୁସାରେ, ଏଭଳି ମାଇକ୍ରୋ ଡ୍ରୋନ୍‌ଗୁଡିକ  ଗୋପନ ସୈନ୍ୟ ଅଭିଯାନ ଲାଗି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ  ହୋଇପାରନ୍ତି । କାରଣ ଏହାକୁ ସହଜରେ ଚିହ୍ନଟ କରି  ହୋଇନଥାଏ । ଖାସ୍‌ ସେହି କାରଣରୁ ଏହା ନୀରିକ୍ଷଣ କିମ୍ବା  ଗୁପ୍ତଚର ମିଶନ୍‌ ଲାଗି ଏକ ଭଲ ବିକଳ୍ପ । ଜରୁରିକାଳୀନ  ସ୍ଥିତିରେ ଏହି ଡ୍ରୋନ୍‌ ଦ୍ୱାରା ଧ୍ୱଂସାବଶେଷ ତଳୁ ଜୀବିତ  ଲୋକଙ୍କ ସନ୍ଧାନ କରାଯାଇପାରିବ । 

ଅନ୍ୟପଟେ ସାମରିକ  ଓ ପ୍ରତିରକ୍ଷା ବ୍ୟତୀତ ଅନ୍ୟ ବହୁ କ୍ଷେତ୍ରରେ ମଧ୍ୟ ମାଇକ୍ରୋ  ଡ୍ରୋନ୍‌କୁ ବ୍ୟବହାର କରାଯାଇପାରିବ । ସେଥିରେ ସେନ୍‌ସର  ଲଗାଇଦେଲେ ତାହା ପରିବେଶ ଜନିତ ପ୍ରସଙ୍ଗ ଯେପରିକି  ବାୟୁ କିମ୍ବା ପାଣିର ଗୁଣବତ୍ତା ସଂପର୍କରେ ଅନୁଧ୍ୟାନ  କରିପାରିବ । ଅବଶ୍ୟ ଏଥିରେ କିଛି ଚାଲେଞ୍ଜ ମଧ୍ୟ ରହିଛି ।  ଉଦାହରଣ ସ୍ୱରୂପ, ଏହାର ପେଲୋଡ୍‌ କ୍ଷମତା ଅର୍ଥାତ୍‌  ଜିନିଷପତ୍ର ପରିବହନ କ୍ଷମତା ବହୁତ କମ୍‌ ହୋଇଥାଏ । ସେହିପରି ଛୋଟ ବ୍ୟାଟେରୀ ଯୋଗୁ ଏଗୁଡି଼କ କମ୍‌ ସମୟ  ଲାଗି ଉଡ଼ାଣ ଭରିଥାନ୍ତି ।