ନୂଆଦିଲ୍ଲୀ,୨୦/୧୨: ଭାରତ ବିରୋଧରେ ପୁଣି ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ଦ୍ୱାରସ୍ଥ ହୋଇଛି ଚୀନ୍ । ଚୀନ୍‌ର ବାଣିଜ୍ୟ ମନ୍ତ୍ରାଳୟ ଶୁକ୍ରବାର ଏକ ବିବୃତିରେ କହିଛି ଯେ, ଭାରତ ଟେଲିକମ୍ ଉପକରଣ ଯେପରି ଆଇସିଟି ଉତ୍ପାଦ ଉପରେ ଯେଉଁ ଶୁଳ୍କ ଲଗାଇଛି ଏବଂ ଦେଶରେ ସୌର ଶିଳ୍ପକୁ ଦିଆଯାଉଥିବା ସବ୍‌ସିଡି ଚୀନି କମ୍ପାନିଗୁଡ଼ିକୁ କ୍ଷତି ପହଞ୍ଚାଉଛି ।

ଏହି ନୀତି ଭାରତର ନିଜ କମ୍ପାନିଗୁଡ଼ିକୁ ଫାଇଦା ଦେଉଛି, ଯାହା ଅଯୌକ୍ତିକ ଏବଂ ଡବ୍ଲ୍ୟୁଟିଓର ନିୟମ-ବିରୋଧୀ । ଡବ୍ଲ୍ୟୁଟିଓ ନିୟମଗୁଡ଼ିକୁ ପାଳନ କରିବା ସହ ଏହି କାର୍ଯ୍ୟକଳାପଠାରୁ ଦୂରେଇ ରହିବା ପାଇଁ ଚୀନ୍ର ବାଣିଜ୍ୟ ମନ୍ତ୍ରାଳୟ ଭାରତକୁ ଅନୁରୋଧ କରିଛି । ୨୦୨୫ରେ ଦ୍ୱିତୀୟ ଥର ପାଇଁ ଭାରତ ବିରୋଧରେ ଡବ୍ଲ୍ୟୁଟିଓର ଦ୍ୱାରସ୍ଥ ହୋଇଛି ଚୀନ୍ । ଅକ୍ଟୋବରରେ ଏହା ଇଭି ଏବଂ ବ୍ୟାଟେରି ସବ୍‌ସିଡି ଉପରେ ଭାରତ ବିରୋଧରେ ମାମଲା ଦାଏର୍ କରିଥିଲା ।

ଚୀନ୍‌ର ବାଣିଜ୍ୟ ମନ୍ତ୍ରାଳୟର କହିବାନୁସାରେ, ଭାରତର ଟାରିଫ୍ ଏବଂ ସବ୍‌ସିଡି ଘରୋଇ କମ୍ପାନିଗୁଡ଼ିକୁ ଫାଇଦା ଦେଇଥାଏ, ଯାହା ଚୀନି ସାମଗ୍ରୀଗୁଡ଼ିକ ପାଇଁ ବେଆଇନ ପ୍ରତିଯୋଗିତା ସୃଷ୍ଟି କରୁଛି । ଏହା ନ୍ୟାସ୍‌ନାଲ୍‌ ଟ୍ରିଟ୍‌ମେଣ୍ଟ ନିୟମ ଏବଂ ଇମ୍ପୋର୍ଟ ସବ୍‌ ଚ୍ୟୁସନ୍ ସବ୍‌ସିଡିର ଉଲ୍ଲଂଘନ, ଯାହା ଡବ୍ଲ୍ୟୁଟିଓରେ ବ୍ୟାନ୍ ହୋଇଛି । ମନ୍ତ୍ରାଳୟ ଭାରତକୁ ଅନୁରୋଧ କରିଛି ଯେ, ଏହା ଡବ୍ଲ୍ୟୁଟିଓର ନିୟମକୁ ପାଳନ କରୁ ଏବଂ ଅଯୁକ୍ତିକ କାର୍ଯ୍ୟକଳାପକୁ ସୁଧାରୁ ।

ଭାରତରେ ଇଲେକ୍ଟ୍ରିକ୍ ଯାନ(ଇଭି) କୁ ତ୍ୱରାନ୍ୱିତ କରିବା ପାଇଁ ଦିଆଯାଉଥିବା ସବ୍‌ସିଡି ଉପରେ ଚୀନ୍ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲା । ଚୀନ୍‌ର କହିବାନୁସାରେ, ଭାରତର ଏହି ଭାରୀ ସବ୍‌ସିଡି ଏହାର ଘରୋଇ କମ୍ପାନିଗୁଡ଼ିକୁ ଅଯୌକ୍ତିକ ଫାଇଦା ଦେଉଛି । ଏହାଦ୍ୱାରା ଭାରତରେ ବିକ୍ରି ହେଉଥିବା ଚୀନି ଇଲେକ୍ଟ୍ରିକ୍ ଗାଡ଼ି ଏବଂ ଇଭି ଉତ୍ପାଦ ଉପରେ ପ୍ରଭାବ ପଡୁଛି । ଚୀନ୍‌ର ହିତ ପ୍ରତି ଏହା ହାନିକାରକ ହୋଇଛି । ଚୀନ୍‌ର ବାଣିଜ୍ୟ ମନ୍ତ୍ରାଳୟ ଏହା ସ୍ପଷ୍ଟ କରିଛି ଯେ, ଏହା ନିଜର ଶିଳ୍ପଗୁଡ଼ିକର ଅଧିକାର ରକ୍ଷା ପାଇଁ କଡ଼ା ପଦକ୍ଷେପ ନେବ ।

ରିପୋର୍ଟ ଅନୁସାରେ, ବିଶ୍ୱର ବଡ଼ ବଡ଼ ଦେଶଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରିକ୍ କାର୍‌ ଗୁଡ଼ିକରେ ସର୍ବାଧିକ ସବ୍‌ସିଡି ଭାରତରେ ମିଳୁଛି । ଉଦାହରଣ ସ୍ୱରୂପ, ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଇଭି ଟାଟା ନେକ୍ସନ ଉପରେ ୪୬% ପର୍ଯ୍ୟନ୍ତ ସବ୍‌ସିଡି ମିଳୁଛି । ଭାରତରେ ଇଭିକୁ ମିଳୁଥିବା ଫାଇଦା ମଧ୍ୟରେ ରହିଛି କମ୍ ସବ୍‌ସିଡି, ପେଟ୍ରୋଲ ଏବଂ ଡିଜେଲ ଗାଡ଼ିଗୁଡ଼ିକ ତୁଳନାରେ କମ୍ ସଡ଼କ ଶୁଳ୍କ ଏବଂ କମ୍ପାନିଗୁଡ଼ିକୁ ମିଳୁଥିବା ପିଏଲ୍ଆଇ ଯୋଜନାର ଲାଭ ।