ନୂଆଦିଲ୍ଲୀ, ୦୨/୦୧ : ବୁଢା ହେଉଛି ଚୀନ। ଦ୍ରୁତ ଗତିରେ କମୁଛି ଜନସଂଖ୍ୟା। ଟେନସନ୍ରେ ଡ୍ରାଗନ୍। ନୂଆବର୍ଷରୁ ବଢିଲା କଣ୍ଡୋମ୍ ଦର। ଗର୍ଭନିରୋଧକ ଔଷଧ ଉପରେ ଅଧିକ ଟ୍ୟାକ୍ସ। ଜନ୍ମହାର ବଢାଇବାକୁ ଚୀନର ଚେଷ୍ଟା। ଶସ୍ତା ହେଲା ଚାଇଲ୍ଡ କେୟାର। ବଢିଲା ପ୍ୟାରେଣ୍ଟାଲ୍ ଲିଭ୍। ଛୁଆ ଜନ୍ମ ହେଲେ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା। ଅଧିକରୁ ଅଧିକ ଛୁଆ ଜନ୍ମ କରିବାକୁ ବେଜିଂର ଅଫର୍ ଉପରେ ଅଫର୍।
କାହିଁକି ଖସିଲା ଜନସଂଖ୍ୟା
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଚୀନ ଏକ ସନ୍ତାନ ନୀତି ଆଣିଥିଲା। ସରକାରଙ୍କ ଦୀର୍ଘକାଳୀନ ନୀତି ଯୋଗୁଁ ଜନସଂଖ୍ୟା ସ୍ଥିତି ଓଲଟି ଯାଇଛି। ଚୀନରେ ଏବେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୩ ବର୍ଷ ହେବ ଦ୍ରୁତ ଗତିରେ ଜନସଂଖ୍ୟା ଖସୁଛି। ୨୦୨୪ରେ ମାତ୍ର ୯୬ ଲକ୍ଷ ଛୁଆ ଜନ୍ମ ନେଇଛନ୍ତି। ବୁଢା ହେଉଥିବା ଦେଶ ଏବଂ ଧିମା ଅର୍ଥବ୍ୟବସ୍ଥାକୁ ଦେଖି ଏବେ ନୀତି ବଦଳାଇଛି ବେଜିଂ। ଚିନୀବାସୀଙ୍କୁ ବିବାହ ଏବଂ ଛୁଆ ଜନ୍ମ କରିବାକୁ ପ୍ରୋତ୍ସାହିତ କରୁଛନ୍ତି ଚୀନ ସରକାର।
କଣ୍ଡୋମ ମହଙ୍ଗା, ଚାଇଲ୍ଡ କେୟାର ଶସ୍ତା
ଜାନୁଆରୀ ୧ରୁ ଚୀନରେ କଣ୍ଡୋମ ମହଙ୍ଗା, ଚାଇଲ୍ଡ କେୟାର ଶସ୍ତା। ଏବେ ଗର୍ଭନିରୋଧକ ଔଷଧ ଉପରେ ଲାଗିବ ୧୩ ପ୍ରତିଶତ ଟ୍ୟାକ୍ସ। କଲେଜରେ ଦିଆଯିବ ଲଭ୍ ଏଜୁକେସନ୍। ବିବାହ, ପ୍ରେମ ଏବଂ ପରିବାରର ସକାରାତ୍ମକ ଦିଗ ବିଷୟରେ ବୁଝାଇବେ ସରକାର। ତେବେ ବିଶେଷଜ୍ଞଙ୍କ ଅନୁମାନ, ସରକାରଙ୍କ ପ୍ରୋତ୍ସାହନ ସତ୍ତ୍ଵେ ବଢିବନି ଜନସଂଖ୍ୟା। କାରଣ ଚୀନରେ କଣ୍ଡୋମ ଦର ଠାରୁ ଛୁଆ ପାଳିବା ଖର୍ଚ୍ଚ ଢେର୍ ଅଧିକା। ଏକଥା ଭଲରେ ଜାଣିଛନ୍ତି ଚୀନବାସୀ।
କାହିଁକି ବିବାହରୁ ମୁହଁ ଫେରାଉଛନ୍ତି ଚୀନବାସୀ ?
ଦ୍ରୁତ ସହରୀକରଣ, ମହଙ୍ଗା ଶିକ୍ଷା, ଅତ୍ୟଧିକ ଚାଇଲ୍ଡ କେୟାର ଖର୍ଚ୍ଚ, ଚାକିରିରେ ଅଭାବ ଓ ଅନିଶ୍ଚିତତା, ଅର୍ଥିକ ଦୂରାବସ୍ଥା ଭିତରେ ଯୁଝୁଛନ୍ତି ଚୀନ ଯୁବପୀଢି। ୨୦୧୫ରେ ସରକାରଙ୍କ ଦୁଇ ଛୁଆ ଏବଂ ୨୦୨୧ରେ ତିନି ଛୁଆ ନୀତି ପରେ ବି ବଢୁନି ଜନସଂଖ୍ୟା। ବିବାହ ଓ ଛୁଆ ଜନ୍ମ ଠାରୁ ମୁଁହ ଫେରାଉଛନ୍ତି ଜେନ୍-ଜି। ସେପଟେ କଣ୍ଡୋମ ମହଙ୍ଗା ହେବା ପରେ ଆଉ ଏକ ଗମ୍ଭୀର ସମସ୍ୟାର ଆକଳନ କରୁଛନ୍ତି ବିଶେଷଜ୍ଞ। ଗର୍ଭନିରୋଧକ ବ୍ୟବହାର ନକଲେ ଚୀନରେ ବଢିପାରେ ଯୌନ ରୋଗ।