ନୂଆଦିଲ୍ଲୀ,୨୩।୯: ନିର୍ବାସିତ ତିବ୍ଦତୀୟ ସରକାରଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋବସାଙ୍ଗ ସାଙ୍ଗାୟ ଚୀନ୍ ବିଷୟରେ କରିଛନ୍ତି ଚାଞ୍ଚଲ୍ୟକର ଖୁଲାସା । ସେ କହିଛନ୍ତି, ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ଭାରତୀୟ ନେତାମାନଙ୍କୁ କିଣିବାକୁ ଚେଷ୍ଟା କରୁଛି। ସେମାନେ ସରକାର ପରିବର୍ତ୍ତନ କରିବାକୁ ମଧ୍ୟ ଷଡ଼ଯନ୍ତ୍ର କରୁଛନ୍ତି। କାରଣ ଚୀନ୍ ସର୍ବଦା ପ୍ରଭାବଶାଳୀ ଲୋକଙ୍କୁ ନିଜ ପକ୍ଷକୁ ଆଣିବାର ରଣନୀତି ଆପଣାଇଛି।

ଏକ ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ ଚୀନ୍ ରାଜନେତା, ବୁଦ୍ଧିଜୀବୀ, ବ୍ୟବସାୟୀ, ସାମ୍ବାଦିକ ଏବଂ ଆଜିକାଲି ୟୁଟ୍ୟୁବରଙ୍କୁ ମଧ୍ୟ କିଣୁଛି। ସେ ଚେତାବନୀ ଦେଇଛନ୍ତି ଯେ ଭାରତ ବେଜିଂର ରାଜନୈତିକ ଉଦ୍ଦେଶ୍ୟ ପ୍ରତି ସତର୍କ ରହିବା ଉଚିତ। ଦିଲ୍ଲୀରେ ହୋଇଥିବା ଚୀନ୍ ଦୂତାବାସ କାର୍ଯ୍ୟକ୍ରମ ଉପରେ ନଜର ରଖିବା ଦରକାର। ଦେଖନ୍ତୁ ସେଠାକୁ କିଏ ଯାଇଛନ୍ତି ? ଆପଣଙ୍କୁ ନେତା, ବ୍ୟବସାୟୀ ଏବଂ ଅନ୍ୟ ଲୋକଙ୍କର ଫଟୋ ମିଳିବ।ତେବେ ସମସ୍ତଙ୍କୁ କିଣାଯାଇନି, କିନ୍ତୁ ଚୀନ୍ ଚେଷ୍ଟା ଜାରି ରଖିଛି।

ଡକ୍ଟର ସାଙ୍ଗେୟ ନେପାଳର ବର୍ତ୍ତମାନର ଅସ୍ଥିରତା ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଭାରତର ପଡ଼ୋଶୀ ଦେଶ ଗୁଡିକରେ ଚୀନ୍ ମଧ୍ୟ ସେହିପରି କରୁଛି। ନେପାଳରେ ଗୋଟିଏ ଦଳ ଖୋଲାଖୋଲି ଭାବରେ ଚୀନ୍ ସମର୍ଥକ, ସେଭଳି ଅନ୍ୟ ଏକ ଦଳ ଭାରତ ସମର୍ଥକ। ଶ୍ରୀଲଙ୍କା, ବାଂଲାଦେଶ ଏବଂ ମାଳଦ୍ୱୀପରେ ମଧ୍ୟ ଚୀନ୍ ପ୍ରଭାବଶାଳୀ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି। ପାକିସ୍ତାନରେ ସମସ୍ତ ପ୍ରମୁଖ ଦଳ ଚୀନ୍‌କୁ ସମର୍ଥନ କରନ୍ତି। ସେ ୟୁରୋପୀୟ ମନ୍ତ୍ରୀମାନଙ୍କର ଉଦାହରଣ ମଧ୍ୟ ଦେଇଥିଲେ ଯେଉଁମାନେ ପ୍ରଥମେ ଚୀନ୍‌କୁ ପ୍ରଶଂସା କରିଥିଲେ ଏବଂ ପରେ ଚୀନ୍‌ କମ୍ପାନୀଗୁଡ଼ିକରେ ଉଚ୍ଚ ଦରମାରେ ଡାଇରେକ୍ଟର ପଦବୀ ପାଇଥିଲେ। ତାଙ୍କର ଦରମା ୧ ଲକ୍ଷ ଡଲାରରୁ ଅଧିକ ହେବ। କିଛି ଲୋକଙ୍କୁ ୮ ଲକ୍ଷ ୮୮ ହଜାର ଡଲାରରୁ ବି ଅଧିକ ଦରମା ମିଳୁଛି। ଚୀନ୍ ଏଭଳି କରି ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି। ସେ ଭାରତର ରାଜନେତାଙ୍କୁ ଚେତାବନୀ ଦେଇଛନ୍ତି। କହିଛନ୍ତି ଶାସକ, ବିରୋଧି, ବଡ଼ ବ୍ୟବସାୟୀ, ସାମ୍ବାଦିକ ଏବଂ ସମସ୍ତଙ୍କୁ ସତର୍କ ରହିବା ଦରକାର।