ନୂଆଦିଲ୍ଲୀ, ୧୭।୭: ଭାରତର ସୀମାନ୍ତ ଅଞ୍ଚଳରେ ଏକ ବଡ଼ ସଙ୍କଟ ମୁଣ୍ଡ ଟେକିବାରେ ଲାଗିଛି । ବିଶେଷ କରି ସମ୍ପୂର୍ଣ୍ଣ 'ଷ୍ଟିଲ୍‌ଥ ଟେକ୍ନୋଲୋଜି' ଅର୍ଥାତ୍ ରାଡାର୍ ଆଖିକୁ ଧୂଳି ଦେଇପାରୁଥିବା ଅଦୃଶ୍ୟ କ୍ଷମତା ଯୁଦ୍ଧବିମାନ ମାମଲାରେ ଭାରତ ପଡ଼ୋଶୀ ଚୀନଠାରୁ ବହୁ ପଛରେ ରହିଛି । ସାରା ଏସିଆ ମହାଦେଶରେ ଚୀନ ଏହି ସୁପର ଆଡଭାନ୍ସଡ୍ ଯୁଦ୍ଧବିମାନ ସଂଖ୍ୟା ବଢ଼ାଇ ଚାଲିଥିବା ବେଳେ, ଏବେ ଏହି ଘାତକ ଜେ ଭାରତ ସୀମା ନିକଟସ୍ଥ ତିବ୍ଦତରେ ମୁତୟନ କରିଛି । ଯାହା ଭାରତୀୟ ସେନା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଚୀନ ପାଖରେ ୫୦୦ରୁ ଅଧିକ J-20 'ମାଇଟି ଡ୍ରାଗନ୍':

ଏକ ଆନ୍ତର୍ଜାତୀୟ ପ୍ରତିରକ୍ଷା ରିପୋର୍ଟ ଅନୁସାରେ, ଏୟାର ଫୋର୍ସ କ୍ଷମତାରେ ଭାରତ ଓ ଚୀନ ମଧ୍ୟରେ ଥିବା ଏହି ବଡ଼ ବ୍ୟବଧାନ ଏବେ ଏକ ଅପରେସନାଲ୍ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି । ଚୀନ ସେନା ଉପରେ ନଜର ରଖୁଥିବା ବିଶେଷଜ୍ଞ ଆଣ୍ଡ୍ରିଆସ୍ ରୁପ୍ରେକ୍ଟଙ୍କ ସୂଚନା ଅନୁଯାୟୀ, ଚୀନ ପାଖରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ଟି କାର୍ଯ୍ୟକ୍ଷମ J-20 ଷ୍ଟିଲ୍ଥ ଫାଇଟର ଜେଟ୍ ରହିଛି । ଚୀନ ଏହାର ଉତ୍ପାଦନକୁ ଏତେ ଦ୍ରୁତ ଗତିରେ ବଢ଼ାଇଛି ଯେ ଏହି ମାମଲାରେ ସେ ଆମେରିକାକୁ ବି ପଛରେ ପକାଇ ଦେଇଛି । ଚୀନ ପାଖରେ ୫୦୦ଟି ବିମାନ ଥିବା ବେଳେ ଭାରତୀୟ ବାୟୁସେନା ପାଖରେ ବର୍ତ୍ତମାନ ଗୋଟିଏ ବି ଷ୍ଟିଲ୍‌ଥ ଯୁଦ୍ଧବିମାନ ନାହିଁ ।

ଏହା ବି ପଢ଼ନ୍ତୁ... India’s First Hydrogen Train: ବିନା ବିଜୁଳି ଓ ଡିଜେଲ୍ରେ ଗଡ଼ିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଭଡ଼ା ମାତ୍ର ୫ ଟଙ୍କା !

ଭାରତୀୟ ବାୟୁସେନାରେ ସାମିଲ ଥିବା ଫ୍ରାନ୍ସ ନିର୍ମିତ ରାଫେଲ୍ ଏକ ଅତି ଶକ୍ତିଶାଳୀ ଯୁଦ୍ଧବିମାନ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଷ୍ଟିଲ୍‌ଥ ନୁହେଁ । ଏହା ହେଉଛି ୪.୫ ଜେନେରେସନର ବିମାନ, ଯେଉଁଥିରେ ଆଂଶିକ ଭାବେ ରାଡାରକୁ ଚକମା ଦେବାର କ୍ଷମତା ରହିଛି । ସେହିପରି ଋଷର ସୁଖୋଇ Su-57 ମଧ୍ୟ ଷ୍ଟିଲ୍‌ଥ ଶ୍ରେଣୀରେ ଆସୁନାହିଁ । ଭାରତ ନିଜର ପଞ୍ଚମ ପିଢ଼ିର ସ୍ୱଦେଶୀ ଷ୍ଟିଲ୍‌ଥ ଯୁଦ୍ଧବିମାନ AMCA (Advanced Medium Combat Aircraft) ବିକଶିତ କରୁଛି । କିନ୍ତୁ ଏହା ସେନାରେ ସାମିଲ ହେବା ପାଇଁ ଅତିକମରେ ୨୦୩୫ ପର୍ଯ୍ୟନ୍ତ ସମୟ ଲାଗିପାରେ । ଭାରତର AMCA ବାୟୁସେନାରେ ସାମିଲ ହେବା ବେଳକୁ ଚୀନ ପାଖରେ J-20 ସଂଖ୍ୟା ୧୦୦୦ ଟପି ସାରିଥିବ ଏବଂ ସେ ସେତେବେଳକୁ ଷଷ୍ଠ ପିଢ଼ିର ଯୁଦ୍ଧବିମାନ ପ୍ରସ୍ତୁତ କରିସାରିଥିବ । ଯଦିଓ ଭାରତର AMCA କୁ ଆମେରିକାର F-35 ଠାରୁ ମଧ୍ୟ ଅଧିକ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି, ତଥାପି ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଚୀନର ଏହି ଆଧିପତ୍ୟ ଭାରତୀୟ ସୀମା ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇ ରହିବ ।