ଚଣ୍ଡିଗଡ଼, ୧୭।୭: ଭାରତୀୟ ରେଳ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ନା ରହିବ ବିଜୁଳି ତାରର ଟେନସନ୍, ନା ହେବ ଡିଜେଲର ଖର୍ଚ୍ଚ ! ବିନା କୌଣସି ପ୍ରଦୂଷଣରେ ଏକାସାଙ୍ଗରେ ୨୬୦୦ ଯାତ୍ରୀଙ୍କୁ ନେଇ ଟ୍ରାକ୍‌ରେ ଦୌଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ଭାରତୀୟ ରେଳବାଇର ଏହି ବଡ଼ ମାଷ୍ଟରଷ୍ଟ୍ରୋକ୍ ସହ ଆଜି ଅର୍ଥାତ୍ ୧୭ ଜୁଲାଇ ୨୦୨୬ ଏକ ଐତିହାସିକ ତାରିଖ ପାଲଟିଛି । ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି ଗ୍ରୀନ୍ ଟ୍ରେନର କିଛି ସ୍ୱତନ୍ତ୍ର ବୈଶିଷ୍ଟ୍ୟ:

ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏହି ବ୍ରଡ୍ ଗେଜ୍ ଟ୍ରେନ୍‌ଟି ବିଶ୍ୱର ସବୁଠାରୁ ଲମ୍ବା ଏବଂ ସର୍ବାଧିକ କ୍ଷମତା ବିଶିଷ୍ଟ ହାଇଡ୍ରୋଜେନ୍ ଟ୍ରେନ୍ । ଏହି ୧୦ କୋଚ୍ ବିଶିଷ୍ଟ ଟ୍ରେନରେ ସମୁଦାୟ ୨,୬୦୦ ଯାତ୍ରୀ ଯାତ୍ରା କରିପାରିବେ, ଯେଉଁଥିରେ ୬୮୨ଟି ସିଟ୍ ଉପଲବ୍ଧ । ଏଥିରେ ୧୨୦୦-୧୨୦୦ କିଲୋୱାଟର ଦୁଇଟି ଡ୍ରାଇଭିଂ ପାୱାର କାର୍ ଲଗାଯାଇଛି, ଯାହା ଏହାକୁ ମୋଟ୍ ୨୪୦୦ କିଲୋୱାଟର ଶକ୍ତି ପ୍ରଦାନ କରୁଛି । ପରୀକ୍ଷଣ ସମୟରେ ଏହା ୧୨୦ କିଲୋମିଟର ପ୍ରତି ଘଣ୍ଟା ବେଗ ହାସଲ କରିଥିବା ବେଳେ, ନିୟମିତ ଚଳାଚଳ ସମୟରେ ଏହାର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିବ । ଟ୍ରେନ୍‌ର ପ୍ରଥମ ଯାତ୍ରାରେ ହରିୟାଣାର ଇଣ୍ଡସ୍ ପବ୍ଲିକ୍ ସ୍କୁଲ୍‌ର କିଛି ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଟ୍ରେନ୍ ଗଡ଼ିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହିତ ହେବା ସହ ବନ୍ଦେ ମାତରମ୍, ଭାରତ ମାତା କି ଜୟର ନାରା ଲଗାଇଥିଲେ ।

ଏହା ବି ପଢ଼ନ୍ତୁ... Coronavirus: ସରିନି ବିପଦ, ଚୀନରେ ମାଡ଼ୁଛି କରୋନା; ଭାରତର କେତେକ ରାଜ୍ୟରେ ବି ସଂକ୍ରମିତ ଚିହ୍ନଟ

ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ରୁଟ୍, ସମୟ ଏବଂ ପକେଟ୍-ଅନୁକୂଳ ଭଡ଼ା କେତେ ଆସନ୍ତୁ ଜାଣିବା । ଏହି ଟ୍ରେନ୍ ସକାଳ ୭:୪୦ ମିନିଟରେ ଜିନ୍ଦ ଷ୍ଟେସନରୁ ବାହାରି ସକାଳ ୯:୪୦ ମିନିଟରେ ସୋନିପତ ଷ୍ଟେସନରେ ପହଞ୍ଚିବ । ପ୍ରମୁଖ ରହଣି ସ୍ଥାନ ହେଉଛି ପାଣ୍ଡ ପିଣ୍ଡାରା ଏବଂ ଗୋହାନା ସମେତ ୧୨ରୁ ୧୩ଟି ଛୋଟ ଷ୍ଟେସନ । ଏହି  ଭଡ଼ା ସାଧାରଣ ପାସେଞ୍ଜର ଟ୍ରେନ୍ ସହ ସମାନ । ଅର୍ଥାତ୍ ଏଥିପାଇଁ ଯାତ୍ରୀମାନଙ୍କୁ ମାତ୍ର ୫ ରୁ ୨୫ ଟଙ୍କା ଭଡ଼ା ଦେବାକୁ ପଡ଼ିବ । ଏହି ଟ୍ରେନ୍ ପରିବେଶ ପାଇଁ ଏକ ବଡ଼ ବରଦାନ ସଦୃଶ । ଏଥିରେ ଓଭରହେଡ୍ ଲାଇନରୁ ବିଜୁଳି ମିଳିବ ନାହିଁ, ବରଂ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ମାଧ୍ୟମରେ ବିଦ୍ୟୁତ୍ ସୃଷ୍ଟି କରାଯାଇ ମୋଟର ଚଲାଯିବ । ଏହି ପ୍ରକ୍ରିୟାରେ କାର୍ବନ ନୁହେଁ, କେବଳ ଜଳୀୟ ବାଷ୍ପ ବାହାରିବ ।

୨୦୩୦ ସୁଦ୍ଧା 'ନେଟ୍-ଜିରୋ କାର୍ବନ ଏମିଟର' ହେବାକୁ ଭାରତୀୟ ରେଳବାଇ ଯେଉଁ ଲକ୍ଷ୍ୟ ରଖିଛି, ତାହା ଏହି ପାଇଲଟ୍ ପ୍ରୋଜେକ୍ଟ ଜରିଆରେ ସଫଳ ହେବାକୁ ଯାଉଛି । ଯଦି ଏହି ପ୍ରୟୋଗ ସଫଳ ହୁଏ, ତେବେ ଭବିଷ୍ୟତରେ ଦାର୍ଜିଲିଂ ଏବଂ କାଲକା-ଶିମଲା ଭଳି ପାର୍ବତ୍ୟ ତଥା ଦୁର୍ଗମ ଅଞ୍ଚଳରେ ମଧ୍ୟ ଡିଜେଲ ଇଞ୍ଜିନ ବଦଳରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚାଲିବ, ଯାହା ବିଦେଶରୁ ଆସୁଥିବା ମହଙ୍ଗା ଅଶୋଧିତ ତେଲ ଆମଦାନୀକୁ ହ୍ରାସ କରିବ । ବନ୍ଦେ ଭାରତ ପରେ ଏବେ ହାଇଡ୍ରୋଜେନ୍ ଟ୍ରେନ୍ ଦେଶର ରେଳ ନେଟୱାର୍କକୁ ବିକାଶର ଏକ ନୂଆ ଦିଗ ଦେବାକୁ ଯାଉଛି ।