ପୁରୀ, ୧୭/୦୭ : ଆତୁର ଭକ୍ତ, ଅଧିର ଭଗବାନ । କ୍ଷଣ ଗଡ଼ୁଥାଏ । ଉତ୍କଣ୍ଠା ବଢ଼ୁଥାଏ । ଅବିରତ ବର୍ଷା ବି ବାଧକ ହେଲାନି । ଲଗାଣ ବର୍ଷାରେ ଚାଲିଥିଲା ଠାକୁରଙ୍କ ନୀତି ଓ ଅଗଣିତ ଭକ୍ତଙ୍କ ଗତି । ଅପରାହ୍ଣ ୨ଟା ସୁଦ୍ଧା ବଡ଼ଦାଣ୍ଡରେ ରଥାରୂଢ଼ ହେଲେ ଶ୍ରୀବିଗ୍ରହ । ଅସଂଖ୍ୟ ଭକ୍ତଙ୍କୁ ରଥରୁ ଦର୍ଶନ ଦେଲେ ଦାରୁବ୍ରହ୍ମ । ଲକ୍ଷ ଲକ୍ଷ ଭକ୍ତ ବର୍ଷାରେ ଭିଜିଥିଲେ । ପହଣ୍ଡି ସମୟରେ ଭାବଗ୍ରାହୀ ମଧ୍ୟ ଓଦା ହେଲେ । ବର୍ଷା ଓ ଭାବରେ ଭିଜିଲେ ଭକ୍ତ ଓ ଭଗବାନ । ମହାପ୍ରଭୁଙ୍କ ପହଣ୍ଡି ଶେଷ ବିଳମ୍ବ ପାଇଁ ରଥ ଟଣାରେ ବିଳମ୍ବ ଘଟିଲା । ସନ୍ଧ୍ୟା ହୋଇଥିଲେ ସୁଦ୍ଧା କେବଳ ବିଧିକୁ ନନ୍ଦିଘୋଷ ଚକେ ଦୁଇ ଚକ ଟଣା ହୋଇଥିଲା । ଦେବଦଳନ ରଥ ମରଚିକୋଟ ଓ ତାଳଧ୍ୱଜ ରଥ ମାର୍କେଟ ଛକ ପୂର୍ବରୁ ବଡ଼ଦାଣ୍ଡରେ ଅଟକିଛି। ଶୁକ୍ରବାର ସକାଳ ସାଢ଼େ ୯ଟାରୁ ପୁନଃ ରଥ ଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମହାବେଦି ଅଭିମୁଖେ ମହାମେରୁ । ସାଥିରେ ଅଛନ୍ତି ବଡ଼ଭାଇ ଓ ସାନ ଭଉଣୀ । ବିଶ୍ୱବାସୀ ଦେଖୁଛନ୍ତି ବଡ଼ଦାଣ୍ଡରେ ଦାରୁବ୍ରହ୍ମଙ୍କ ମାନବୀୟ ଲୀଳା । ଶ୍ରୀମନ୍ଦିରରୁ ଶରଧାବାଲି ଜନସମୁଦ୍ର । ଅବିଶ୍ରାନ୍ତ ବର୍ଷାକୁ କାହାରି ଖାତିର ନଥାଏ । ସିଂହଦ୍ୱାରରୁ ବଳଗଣ୍ଡି ବଡ଼ଦାଣ୍ଡରେ ପାଦ ରଖିବାକୁ ସ୍ଥାନ ଅଭାବ । ରଥାରୂଢ଼ ଠାକୁରଙ୍କୁ ଦେଖି ଭାବବିହ୍ୱଳ ହେଉଥାନ୍ତି ଅସଂଖ୍ୟ ଭକ୍ତ । ବର୍ଷାର ଧାରା ଓ ଭକ୍ତର ଆନନ୍ଦାଶ୍ରୁ ଏକାକାର ହେଉଥାଏ । ବାହୁ ପ୍ରସାରି ଭକ୍ତଙ୍କ ନିକଟକୁ ଆଗଉଥିଲେ ବଡ଼ଠାକୁରେ । ରଥକୁ ଚାହିଁ ହଜାର ହଜାର ହାତ ଉଠୁଥାଏ । ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ଉଛୁଳୁଥାଏ ଖଣ୍ଡମଣ୍ଡଳ । ଅଧ ଘଣ୍ଟାଏ ଆଗରୁ ମଙ୍ଗଳ ଆଳତି ଓ ପହଣ୍ଡି ହେଲା । ହେଲେ ମହାପ୍ରଭୁଙ୍କ ପହଣ୍ଡି ଶେଷ ହେବାରେ ଯଥେଷ୍ଟ ହେଲା । ରଥ ଟଣା ଧାର୍ଯ୍ୟ ସମୟ ଠାରୁ ୧ ଘଣ୍ଟା ୧୦ ମିନିଟ୍ ବିଳମ୍ବ ହୋଇ ୫ଟା ୧୦ରେ ରଥ ଟଣା ଆରମ୍ଭ ହେଲା । ଏଣୁ ତିନି ରଥ ମାର୍କେଟ ଛକ ମଧ୍ୟରେ ହିଁ ରହିଗଲା । ଶୁକ୍ରବାର ତିନି ରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରେ ପହଞ୍ଚାଯିବ । ରବିବାର ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ହେବ।
ଆହୁରି ପଢନ୍ତୁ-ରଥଯାତ୍ରା ଦଳାଚକଟାରେ ୨ ମୃତ, ଦୁଇ ଗୁରୁତର ଏସ୍ସି ବିରେ ଭର୍ତ୍ତି, ୨୦୦ରୁ ଅଧିକ ଅସୁସ୍ଥ ଚିକିତ୍ସିତ
ଭକ୍ତ ଗହଣକୁ ଆସିବାକୁ କାଲି ବଡ଼ ତରତର ଥିଲେ ଠାକୁରେ । ସେନାପଟା ଲାଗି ସାରି ଦଇତାପତି ବାହାରିବା ପରେ ନିର୍ଦ୍ଧାରିତ ସମୟର ୩୦ ମିନିଟ୍ ପୂର୍ବରୁ ଠାକୁରଙ୍କ ମଙ୍ଗଳ ଆଳତି ସରିଲା । ଅବକାଶ ପୂଜା ୬ଟା ୨୫ରେ ଓ ସକାଳ ଧୂପ ସରିଲା ସାଢ଼େ ୮ଟାରେ । ରଥ ପ୍ରତିଷ୍ଠା ହେଲା ୮ଟା ୪୫ରେ । ମଙ୍ଗଳାର୍ପଣ ୮ଟା ୫୦ରେ ସରି ପହଣ୍ଡି ଆରମ୍ଭ ହେଲା ୯ଟାରେ । ଅନବସର ପିଣ୍ଡିରୁ ଠାକୁରମାନେ ଧାଡ଼ି ପହଣ୍ଡିରେ ବିଜେ ହେଲେ । ଶ୍ରୀମନ୍ଦିର ସାତପାହାଚଠାରେ ଶ୍ରୀବିଗ୍ରହ ଶ୍ରୀମସ୍ତକରେ ଟାହିଆ ଲାଗି ହୋଇ ଘଣ୍ଟ, ଘଣ୍ଟା, କାହାଳି ଓ ନୃତ୍ୟର ପଟୁଆରରେ ଠାକୁରେ ସାତପାହାଚ, ପାଟ ଅଗଣା, ଆନନ୍ଦ ବଜାର ଓ ବାଇଶିପାହାଚ ଦେଇ ସିଂହଦ୍ୱାରେ ପହଞ୍ଚିଲେ । ଠାକୁରଙ୍କୁ ଦେଖିବା କ୍ଷଣି ବଡ଼ଦାଣ୍ଡରେ ପ୍ରତୀକ୍ଷାରତ ଭକ୍ତ ହରିବୋଲ, ହୁଳହୁଳି ଧ୍ୱନି ଦେଇଥିଲେ । ସିଂହଦ୍ୱାର ଗୁମୁଟରେ ପ୍ରାୟ ୪୫ ମିନିଟ୍ ଅଟକିଲେ ମହାପ୍ରଭୁ । ୧୨ଟା ଥିଲା ପହଣ୍ଡି ଶେଷ ସମୟ । ଦୁଇ ଘଣ୍ଟା ବିଳମ୍ବରେ ମହାବାହୁ ନନ୍ଦିଘୋଷରେ ବିଜେ କଲେ । ପ୍ରଥମେ ଶ୍ରୀସୁଦର୍ଶନ ଦେବଦଳନ ରଥରେ ବିଜେ ହେଲେ । ପରେ ଶ୍ରୀବଳଭଦ୍ରଙ୍କୁ ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ବିଜେ କରାଗଲା । ବିଧି ଅନୁଯାୟୀ ବଡ଼ଠାକୁରଙ୍କ ତାଳଧ୍ୱଜ ରଥରେ ଶ୍ରୀରାମକୃଷ୍ଣ ଓ ନନ୍ଦିଘୋଷ ରଥରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନଙ୍କୁ ବିଜେ କରାଯାଇଥିଲା । ରଥରେ ଠାକୁରଙ୍କୁ ରୁନ୍ଧା ମଧ୍ୟ ବିଳମ୍ବ ହୋଇଥିଲା । ବଣିଆସେବକଙ୍କ ଦ୍ୱାରା ପ୍ରସ୍ତୁତ ଚିତା ସବୁ ରଥାରୂଢ଼ ବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗି କରାଯାଇଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଛେରାପହଁରା କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ । ୩ଟା ୪୦ରୁ ୪ଟା ୪୦ ମଧ୍ୟରେ ତିନି ରଥର ଛେରାପହଁରା ସମ୍ପନ୍ନ ହୋଇଥିଲା । ଚାରମାଳ ଫିଟା ହୋଇ ରଥରେ ସାରଥି ଓ ଅଶ୍ୱ ଲାଗିଥିଲା । ତାଳଧ୍ୱଜ ରଥ ଟଣା ଆରମ୍ଭ ହେଲା ୫ଟା ୧୦ରେ । ବଡ଼ଦାଣ୍ଡରେ ରଥରେ ଠାକୁରଙ୍କ ନୀତି ହେଲା । ରାତିତମାମ୍ ବଡ଼ଦାଣ୍ଡରେ ଭିଡ଼ ଲାଗିଥିଲା । ଜଗା ଦର୍ଶନ ପାଇଁ ଭିଡ଼ ବଢୁଥିଲା । ରଥ ଯାତ୍ରାରେ ଶ୍ରୀକ୍ଷେତ୍ରରେ ୮ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବା କୁହାଯାଉଛି ।