ନୂଆଦିଲ୍ଲୀ,୨୮/୦୬: ଭାରତ ଏବଂ ଚୀନ୍ ମଧ୍ୟରେ ରାଜନୈତିକ ଆଲୋଚନା ଚାଲିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ଗସ୍ତରେ ଅଛନ୍ତି । ଏନ୍ଏସ୍ଏ ଅଜିତ ଡୋଭାଲ ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ନିକଟରେ ସେଠାକୁ ଯାଇଥିଲେ । ଏହା ମଧ୍ୟରେ ଭାରତ ବିରୋଧରେ କିଛି ଆକ୍ରାମକ ପଦକ୍ଷେପ ନେଉଛି ଡ୍ରାଗନ୍ । ଏହା ଭାରତକୁ ଆସିବାକୁ ଥିବା କେତେକ ଜରୁରୀ ରପ୍ତାନି ଉପରେ ଲଗାଇଛି ରୋକ୍ ।
ରପ୍ତାନି କଟକଣା ଲାଗିଥିବା ସାମଗ୍ରୀ ମଧ୍ୟରେ ରହିଛି ରେୟାର୍ ଆର୍ଥ ମ୍ୟାଗ୍ନେଟ୍ ଏବଂ ବିଶେଷ ଉର୍ବରକ । ଏପରିକି ମୁମ୍ବାଇ- ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡର ପାଇଁ ଟନେଲ ବୋରିଂ ମେଶିନ୍(ଟିବିଏମ୍) ଯୋଗାଣକୁ ବି ଅଟକାଇଛି ଚୀନ୍ । ଏହି ପଦକ୍ଷେପଗୁଡ଼ିକ ଯୋଗୁ ଏବେ ଚୀନ୍ର ରଣନୀତି ଉପରେ ପ୍ରଶ୍ନ ଉଠୁଛି । ଉଭୟ ଦେଶ ଯେଉଁ ସମୟରେ ପାରସ୍ପରିକ ସମ୍ପର୍କକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛନ୍ତି, ଚୀନ୍ ବ୍ୟାପାରକୁ କାହିଁକି ଅସ୍ତ୍ର କରୁଛି । ଚୀନ୍ ଭାରତ ସହ ଦୋମୁହାଁ ରଣନୀତି କରୁଛି ।
ଗୋଟିଏ ପଟେ ରାଜନୈତିକ ଆଲୋଚନା କରୁଛି ଏବଂ ଅନ୍ୟପଟେ ବ୍ୟାପାର ଉପରେ ଚାପ ପକାଉଛି । ଏସବୁ ପଦକ୍ଷେପରୁ ଜଣାପଡୁଛି ଯେ, ଏହା ଭାରତ ସହ ନିଜର ବ୍ୟାପାରିକ ସମ୍ପର୍କକୁ ଏକ ରାଜନୈତିକ ଅସ୍ତ୍ର ଭାବେ ଦେଖୁଛି । ଚୀନ୍ ଭାରତ ଉପରେ ଚାପ ପକାଇବା ପାଇଁ ରପ୍ତାନି ରୋକିବାର ଉପାୟ ଆପଣାଉଛି । ଏହା ଅନେକ ଜରୁରୀ ସାମଗ୍ରୀର ବଡ଼ ଉତ୍ପାଦକ । ଏଥିମଧ୍ୟରେ ରେୟାର୍ ଆର୍ଥ ଖଣିଜ ପଦାର୍ଥ, ଉର୍ବରକ ଏବଂ ଔଦ୍ୟୋଗିକ ମେଶିନାରୀ ଆଦି ରହିଛି । ବର୍ତ୍ତମାନ ଡ୍ରାଗନ୍ ଏସବୁ ସାମଗ୍ରୀର ରପ୍ତାନିରେ ବିଳମ୍ବ କରି କିମ୍ବା ରପ୍ତାନିକୁ ଅଟକାଇ ଭାରତ ଉପରେ ଚାପ ପକାଉଛି । ଏହି ଚାପ ଯଦିଓ ସିଧାସଳଖ ଲଗାଉନି କିନ୍ତୁ ସ୍ପଷ୍ଟ ଜଣାପଡୁଛି ଯେ, ଚୀନ୍ ଏହାର ଶକ୍ତି ଦେଖାଉଛି ।
ରେୟାର୍ ଆର୍ଥ ମ୍ୟାଗ୍ନେଟ୍ ମାମଲା ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଚୁମ୍ବକ ଆଧୁନିକ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଯାନ, ପବନ ଟର୍ବାଇନ୍ ଆଦି ପାଇଁ ଜରୁରୀ । ଚୀନ୍ ଏହି ମ୍ୟାଗ୍ନେଟ୍ଗୁଡ଼ିକର ରପ୍ତାନି ଅଟକାଇ ହାଇଟେକ୍ ମାନୁଫାକ୍ଚରିଂ ଯୋଜନାଗୁଡ଼ିକୁ ଧୀମା କରୁଛି । ଏହା ମେକ୍ ଇନ୍ ଇଣ୍ଡିଆ ଏବଂ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ଭଳି ଯୋଜନାଗୁଡ଼ିକ ପାଇଁ ଏକ ବଡ଼ ଝଟ୍କା ।
ସେହିଭଳି ଚୀନ୍ର ବନ୍ଦରଗୁଡ଼ିକରେ ଭାରତକୁ ଆସିବାକୁ ଥିବା ବିଶେଷ ଉର୍ବରକଗୁଡ଼ିକର ରପ୍ତାନିକୁ ଅଟକାଇ ଦିଆଯାଇଛି । ଭାରତର କୃଷି କ୍ଷେତ୍ରକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଡ୍ରାଗନ୍ ଏହା କରୁଛି । ଏହା ଏଭଳି ସମୟରେ କରାଯାଉଛି, ଯେତେବେଳେ ବିଶ୍ୱରେ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତା ଜୋର ଧରିଛି । ଟନେଲ ବୋରିଂ ମେଶିନ୍ର ରପ୍ତାନିକୁ ରୋକିବା ଏକ ବଡ଼ ସମସ୍ୟା । ଏହି ମେଶିନ୍ ଏକ ବଡ଼ ପରିଯୋଜନା ପାଇଁ ଜରୁରୀ, ଯାହାକୁ ଜାପାନ ଫଣ୍ଡିଂ କରୁଛି । ଏହାଦ୍ୱାରା ପରିଯୋଜନାରେ ବିଳମ୍ବ ହେଉଛି । ରାଜନୈତିକ ସମସ୍ୟା ବି ଆସୁଛି । ଏସବୁ ପଦକ୍ଷେପ ଗୋଟିଏ କଥା ସ୍ପଷ୍ଟ ହେଉଛି । ଚୀନ୍ ଭାରତକୁ ଜଣାଇବାକୁ ଚାହେଁ ଯେ, ଏହା ବିଶ୍ୱର ଶିଳ୍ପଗୁଡ଼ିକ ପାଇଁ କେତେ ମହତ୍ୱପୂର୍ଣ୍ଣ । ଏହାସହିତ ଦର୍ଶାଉଛି ଯେ, ଭାରତ ଯଦି ଏହା ସହ ଉତ୍ତମ ସମ୍ପର୍କ ରଖିବନି ତେବେ ଏହାକୁ କେଉଁଭଳି ଭାବେ କ୍ଷତି ସହିବାକୁ ପଡ଼ିବ ।