ନୂଆଦିଲ୍ଲୀ, ୧।: କେହି ଭୁଲ୍ କାମ କଲେ କିମ୍ୱା କୌଣସି ଅପରାଧ କଲେ, ତାକୁ ପରିବାରର ବରିଷ୍ଠ ଲୋକ ତାକୁ ଶାସନ କରିବା ସହ ବାଟକୁ ଆଣନ୍ତି । କିନ୍ତୁ, ଯଦି ପୂରା ପରିବାର ହିଁ ଅପରାଧରେ ଲିପ୍ତ ଥାଏ, ସେଠି କିଏ ବା ଭଲ ବାଟ ଦେଖାଇବ । ଚୀନରେ ଗୋଟିଏ ପରିବାରର ୧୧ ଜଣଙ୍କୁ ମିଳିଛି ମୃତ୍ୟୁଦଣ୍ଡ । ଏକ ଅପରାଧିକ ସାମ୍ରାଜ୍ୟର କିଙ୍ଗପିନ୍‌ ଥିଲା ଏ ପରିବାର । ହତ୍ୟା, ଦେହ ବ୍ୟାପାର ଓ ମନି ଲଣ୍ଡ୍ରିଂ ଭଳି ଅନେକ ସଙ୍ଗୀନ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏମାନେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚୀନ ସୀମାରେ ମିଆଁମାରର ଏକ ଅପରାଧିକ ଗ୍ୟାଙ୍ଗ ଅନେକ ବର୍ଷ ହେଲା ସକ୍ରିୟ ଥିଲା । ମିଙ୍ଗ୍‌ ପରିବାର ଏହି ଗ୍ୟାଙ୍ଗକୁ ଚଳାଉଥିଲା । ଠକେଇ, ସାଇବର କ୍ରାଇମ୍‌, ଡ୍ରଗ୍ସ ଚାଲାଣ, ମାନବ ଚାଲାଣ ଓ ବେଶ୍ୟାବୃତ୍ତିରେ ଏହି ଗ୍ୟାଙ୍ଗ୍‌ ଲିପ୍ତ ଥିଲା । ଚୀନର ଏକ କୋର୍ଟ ଗତ ସୋମବାର ମିଆଁମାର ସ୍ଥିତ କୁଖ୍ୟାତ ମିଙ୍ଗ୍‌ ପରିବାରର ୧୬ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତଥ୍ୟ ଅନୁସାରେ, ୨୦୧୫ରୁ ପୂର୍ବ ଚୀନୀ ପ୍ରାନ୍ତ ଝେଜିୟାଙ୍ଗରେ ମିଙ୍ଗ୍‌ ପରିବାରର ଗ୍ୟାଙ୍ଗ୍‌ ମିଆଁମାରର କୋକାଙ୍ଗ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିଥିଲା । ଏ ଅଞ୍ଚଳମାନଙ୍କରେ ଅନେକ ଅବୈଧ ଆଡ୍ଡା ନିର୍ମାଣ କରି ସେଠାରୁ ସେମାନେ ଅପରାଧିକ ଗତିବିଧି ଚଳାଉଥିଲେ ।

ଏହି ଗତିବିଧିରେ ଟେଲିକମ୍‌ ଠକେଇ, ଅବୈଧ କସିନୋର ସଂଚାଳନା, ଡ୍ରଗ୍ସ ଚାଲାଣ, ଟ୍ରାଫିକିଙ୍ଗ୍‌ ଓ ସଂଗଠିତ ଦେହ ବ୍ୟାପାର ଆଦି ସାମିଲ ଥିଲା । ଏ ସମସ୍ତ ଅବୈଧ କାର୍ଯ୍ୟକଳାପରୁ ମିଙ୍ଗ୍‌ ପରିବାର ପ୍ରାୟ ୧୨ ହଜାର କୋଟି ଟଙ୍କାରୁ ଅଧିକ ରାଶି ଆୟ କରିଛି । ରିପୋର୍ଟ ଅନୁସାରେ, ଚୀନ୍‌ ଓ ଏହାର ଆଖପାଖ ଅଞ୍ଚଳରେ ଜୁଆଖେଳ ଅବୈଧ ଥିଲା । ମିଙ୍ଗ୍‌ ପରିବାର ଏହାର ଲାଭ ଉଠାଇଲେ । ସେମାନେ ସୀମା-ପାର୍‌ ଅନେକ କସିନୋ ଖୋଲିଲେ ଏବଂ ମନି ଲଣ୍ଡ୍ରିଂ, ଠକେଇ ଓ ଟ୍ରାଫିକିଙ୍ଗର ଅନେକ ବଡ଼ ଆଡ୍ଡା ସ୍ଥାପନ କଲେ । ଏଥିରେ କାମ କରିବା ପାଇଁ ଲୋକଙ୍କୁ ଫସାଇଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ଚୀନ ନାଗରିକ ଥିଲେ । ଯେଉଁମାନେ ପଳାଇବାକୁ ଚେଷ୍ଟା କରୁଥିଲେ, ସେମାନଙ୍କୁ ଦିଆଯାଉଥିଲା ନିର୍ଯାତନା । ଶେଷରେ ହତ୍ୟା କରାଯାଉଥିଲା । ଏ ସମସ୍ତ ଆଡ୍ଡାରେ କାମ କରିବା ପାଇଁ ବିଦେଶରୁ ମଧ୍ୟ ଲୋକଙ୍କୁ ଅଣାଯାଉଥିଲା । ଦୁଇ ବର୍ଷ ତଳେ ବିଦ୍ରୋହୀ ସମୂହଗୁଡ଼ିକ ଲୌକାଈ ଅଞ୍ଚଳର ଆଡ୍ଡାଗୁଡ଼ିକ ଉପରେ ଆକ୍ରମଣ କରିଥିଲେ । ସେମାନେ ସମସ୍ତେ ଚୀନ ନାଗରିକ ଥିଲେ । ଆକ୍ରମଣରେ ମିଙ୍ଗ୍‌ ପରିବାରର ମୁଖିଆ ପ୍ରାଣ ହରାଇଥିଲେ । ଅନେକ ସଦସ୍ୟଙ୍କୁ ପୁଲିସ ଗିରଫ କରିଥିଲା । ଏହା ପରେ ୱେନଝୋଉ ଇଣ୍ଟରମିଡିଏଟ୍‌ ପିପୁଲ୍ସ କୋର୍ଟରେ ମିଙ୍ଗ୍‌ ପରିବାର ସହ ସଂଶ୍ଳିଷ୍ଟ ମାମଲାର ଶୁଣାଣି ହେଲା । ଅକ୍ଟୋବର ୨୦୨୩ରେ ଏହି ଗ୍ୟାଙ୍ଗ୍‌ ଚୀନୀ ବନ୍ଦୀଙ୍କ ଉପରେ ଗୁଳିଚାଳନା କରିଥିବା ପୁଲିସ କୋର୍ଟରେ କହିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ପରିବାରରେ ମୃତ୍ୟୁ ଦଣ୍ଡ ପାଇଥିବା ୫ ଜଣଙ୍କ ଦଣ୍ଡକୁ ଦୁଇ ବର୍ଷ କମାଇ ଦିଆଯାଇଛି । ପରେ ଦଣ୍ଡକୁ ଆଜୀବନରେ ବଦଳାଯାଇପାରେ । ଅନ୍ୟ ୧୧ ଅଭିଯୁକ୍ତଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଏମାନଙ୍କ ମଧ୍ୟରେ ମିଙ୍ଗ୍‌ ଗୁଓପିଙ୍ଗ୍‌ ଅଛନ୍ତି ।

ମିଙ୍ଗ୍‌ ଗୁଓପିଙ୍ଗଙ୍କ ବାପା ମିଙ୍ଗ୍‌ ଜୁଏଚାଙ୍ଗ୍‌ ଜଣେ ଚୀନୀ-ମିଆଁମାର ନାଗରିକ ଥିଲେ ଏବଂ ମିଙ୍ଗ୍‌ ପରିବାରର ଅପରାଧିକ ଗ୍ୟାଙ୍ଗର ମୁଖ୍ୟ ଥିଲେ । ମିଙ୍ଗ୍‌ ଜୁଏଚାଙ୍ଗ୍‌ ମିଆଁମାରର ଶାନ୍‌ ରାଜ୍ୟ ବିଧାନମଣ୍ଡଳର ସଦସ୍ୟ ଏବଂ କୋକାଙ୍ଗ୍‌ ନେତୃତ୍ୱ ସମିତିର ପୂର୍ବ ସଦସ୍ୟ ଥିଲେ । ନଭେମ୍ବର ୨୦୨୩ରେ ଚୀନୀ ପୁଲିସ ତାଙ୍କୁ ଗିରଫ କରିବା ପରେ ସେ ଆତ୍ମହତ୍ୟା କରିଥିଲେ । ତାଙ୍କ ନାତୁଣୀ ମିଙ୍ଗ୍‌ ଝେନଝେନ୍‌ଙ୍କୁ ମଧ୍ୟ ସୋମବାର ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି । ଝେଜିୟାଙ୍ଗ କୋର୍ଟ ପ୍ରଥମ ଥର ଗତ ଫେବ୍ରୁଆରୀରେ ମାମଲାର ଶୁଣାଣି କରିଥିଲେ । କୋର୍ଟ ପୂର୍ବରୁ କହିଥିଲେ, ମିଙ୍ଗ୍‌ ପରିବାରର ଗ୍ୟାଙ୍ଗର ସଂଚାଳନ ମୁଖ୍ୟତଃ ମିଆଁମାରର ଉତ୍ତର- ପୂର୍ବ ଶାନ୍‌ ରାଜ୍ୟର କୋକାଙ୍ଗରେ ହେଉଥିଲା, ଯାହା ଚୀନ୍‌ର ଦକ୍ଷିଣ-ପଶ୍ଚିମ ୟୁନାନ ପ୍ରାନ୍ତର ସୀମା ସହ ସଂଲଗ୍ନ ଥିଲା ।