ନୂଆଦିଲ୍ଲୀ,୨୩।୮: ଗୋଟିଏ ପଟେ ବନ୍ଧୁତ୍ବର ହାତ, ଅନ୍ୟପକ୍ଷେ ଷଡଯନ୍ତ୍ର। ନିଜର ବିସ୍ତାରବାଦୀ ନୀତିକୁ ଛାଡି ପାରୁନି ଚୀନ୍। ଭାରତ ସହ ମିତ୍ରତା ପାଇଁ ଆହ୍ବାନ ଦେଉଥିବା ଡ୍ରାଗନର ଅସଲ ରୂପ ଏବେ ପଦାରେ ପଡିଛି। ବହ୍ମପୁତ୍ର ନଦୀରେ ଡ୍ୟାମ ପରେ ଏବେ ତିବ୍ଦତରୁ ପାକିସ୍ତାନର ଗ୍ବାଦର ପର୍ଯ୍ୟନ୍ତ ରେଳ ଲାଇନ ସ୍ଥାପନ କରିବାର ଯୋଜନା କରୁଛି। ।ଚୀନ୍‌ର ଏହି ରେଲଓ୍ବେ ପ୍ରୋଜେକ୍ଟ ଆଗକୁ ଭାରତ ପାଇଁ ବିପଦ ପାଲଟିପାରେ। କାରଣ ଏଲଏସିର କିଛି ସମ୍ବେଦନଶୀଳ ଅଞ୍ଚଳ ଭିତର ଦେଇ ଯିବ ଏହି ରେଳମାର୍ଗ।

ଭାରତ ଉପରେ ଆମେରିକାର ୫୦% ଟାରିଫ୍ ଲଗାଇବା ପରେ ସୁଧୁରୁଛି ଭାରତ- ଚୀନ ସମ୍ପର୍କ। ଟ୍ରମ୍ପଙ୍କ ଟାରିଫର ମୁକାବିଲା କରିବାକୁ ଏକାଠି ହୋଇଛନ୍ତି ଦୁଇ ଦେଶ। ନିକଟରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ-ୟି ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ଦେଶ ପାରସ୍ପରିକ ସମ୍ପର୍କ ସୁଧାରିବା ସହ ସହଯୋଗ ଜାରି ରଖିବା ଲାଗି ସହମତି ପ୍ରକାଶ କରିଥିଲେ । ହେଲେ ଏସବୁ ପରେ ବି ଚୀନ୍‌ ଛାଡି ପାରୁନି ନିଜର ପୁରୁଣା ପ୍ରକୃତି। ନିକଟରେ ଚୀନ ତିବ୍ଦତରେ ଆରମ୍ଭ କରିଛି ରେଳ ପକଳ୍ପ। ଯାହାକି ଜିନଜିଆଙ୍ଗକୁ ତିବ୍ଦତ ସହ ଯୋଡିଥାଏ। ଏହି ରେଳପଥ ଅକ୍ସାଇ ଚୀନ ବାଟ ଦେଇ ବାହାରୁଛି, ଯାହାକି ଭାରତ ସହ ଏଲଏସିର କିଛି ଅଂଶ ଦେଇ ଯିବ। ଚୀନର ଏହି ରେଲଓ୍ବେ ପ୍ରୋଜେକ୍ଟ ଆଗକୁ ଭାରତ ପାଇଁ ବିପଦ ପାଲଟିପାରେ।  ପ୍ରାୟ ୫୦୦୦ କିଲୋମିଟର ଲମ୍ବା ଏହି ରେଲଓ୍ବେ ପ୍ରୋଜେକ୍ଟ ଚୀନ୍‌ର ସବୁଠାରୁ ବଡ଼ ପ୍ରୋଜେକ୍ଟ। ଏହା ସମ୍ପୁର୍ଣ୍ଣ ହେବାପରେ ଚୀନର ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ମଧ୍ୟରେ ୨୦୦୦ କିଲୋମିଟରର ଏକ ରଣନୈତିକ କରିଡର ତିଆରି କରିବ। ଭାରତର ସୀମାଠାରୁ ଏହା ବେଶୀ ଦୂର ନୁହେଁ। ଏପରିକି ବହୁ ସମ୍ବେଦନଶୀଳ ଅଞ୍ଚଳ ଦେଇ ଏହି ରେଳ ଲାଇନ୍‌ ଯିବ। 

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ରେଲଓ୍ବେ ଲାଇନ୍ ଚୀନକୁ ଆର୍ଥିକ ଲାଭ ଅପେକ୍ଷା ସାମରିକ ଲାଭ କରାଇବ। ଭାରତ ପାଇଁ ଏହା ନିଶ୍ଚିତ ପକ୍ଷେ ବିପଦର ଘଣ୍ଟି ପାଲଟିବ। ଏହି ରେଲଓ୍ବେ ଲାଇନକୁ ଆଗକୁ ଆହୁରି  ବିସ୍ତାରିତ କରିବ। ଏହା ଜିନଜିଆଙ୍ଗରୁ ନେଇ ଗ୍ବାଦର ପର୍ଯ୍ୟନ୍ତ ହେବ। ଜିନଜିଆଙ୍ଗରୁ ନେଇ ତିବ୍ଦତ ପର୍ଯ୍ୟନ୍ତ  ଖୁବ୍ ସମ୍ବେଦନଶୀଳ ଅଞ୍ଚଳ। ଚୀନ-ପାକିସ୍ତାନ ଇକୋନୋମିକ କରିଡର ଅର୍ଥାତ ସିପିଇସି ପାଇଁ ଗ୍ବାଦର ପର୍ଯ୍ୟନ୍ତ ଏବେ ରୋଡ୍ ତିଆରି କରିସାରିଛି ଚୀନ୍। ଏହି ପ୍ରୋଜେକ୍ଟ ୨୦୩୫ ପର୍ଯ୍ୟନ୍ତ ଶେଷ ହୋଇଯିବ। ତେବେ ଏହି ଟାଇଲାଇନ୍ ହ୍ରାସ ପାଇ ଏବେ ୨୦୩୦କୁ ଆସିଯାଇଛି। ଏହାପରେ ପାକିସ୍ତାନ ସହ ମିଶି ଭାରତ ଉପରେ ଆକ୍ରମଣ କରିପାରେ ଚୀନ।  ଏଭଳି ସ୍ଥିତିରେ ଭାରତ ପାଖରେ କୌଣସି ପ୍ରକାର ପ୍ରସ୍ତୁତି ପାଇଁ ଖୁବ କମ୍ ସମୟ ରହିଛି।  

ଜିନଜିଆଙ୍ଗ-ତିବ୍ଦତ ରୁଟର ରେଳପଥ ହାରାହାରି ୪,୫୦୦ ମିଟରରୁ ଅଧିକ ଉଚ୍ଚତାରେ ରହିଛି। ଯାହାକି  କୁନଲୁନ, କାରାକୋରମ୍, କୈଳାସ ଏବଂ ହିମାଳୟ ପର୍ବତମାଳାକୁ ଅତିକ୍ରମ କରିବ।  ରେଳପଥର ପ୍ରାୟ ଦୁଇ-ତୃତୀୟାଂଶ ବ୍ରିଜ ଏବଂ ସୁଡ଼ଙ୍ଗରେ ତିଆରି ହେବ। ଏହା ଗ୍ଲାସିୟର, ବରଫ ଜମି ଥିବା ନଦୀ ଏବଂ ପର୍ମଫ୍ରୋଷ୍ଟ ଅଞ୍ଚଳ ଦେଇ ଗତି କରିବ। ସେଠାରେ  ଶୀତଦିନେ ତାପମାତ୍ରା ମାଇନସ ୪୦ ଡିଗ୍ରୀ ସେଲସିୟସକୁ ତଳକୁ ଖସିଯାଇଥାଏ। ଅମ୍ଳଜାନ ସ୍ତର ଆଭ୍ୟନ୍ତରୀଣ ଚୀନ ତୁଳନାରେ ଅଧାରୁ କମ୍ ଥାଏ। ଚୀନ୍ ଇଞ୍ଜିନିୟରଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିପାରେ। ତେଣୁ ଭାରି ମେସିନର ବ୍ୟବହାର ପରିବେଶ ପାଇଁ ବିପଦ ମଧ୍ୟ ପାଲଟିପାରେ।