ନୂଆଦିଲ୍ଲୀ,୧୮।୫: ସାରା ଦୁନିଆରେ ଯୁଦ୍ଧ ଭିତରେ ଚୀନ୍କୁ ରେୟାର ଆର୍ଥ ମିନେରାଲ୍ସ ମାମଲାରେ ବଡ଼ ସଫଳତା ମିଳିଛି। ଦୁର୍ଗମ ବରଫାବୃତ୍ତ ଅଞ୍ଚଳରେ ଭାଙ୍ଗି ଯାଇଥିବା ଚଟାଣରୁ ଚୀନକୁ ମିସାଇଲ ଓ ଜେଟ୍ ତିଆରି କରୁଥିବା ୧୭ଟି ଦୁର୍ଲଭ ଧାତୁ ମିଳିଛି। ବୈଜ୍ଞାନିକଙ୍କ ମତରେ ଏଥିରୁ ସେରିୟମ୍, ନିଓଡିମିୟମ୍ ଏବଂ ଡିସପ୍ରୋସିୟମ୍ ନାମକ ଧାତୁ ମିଳିଛି। ଏହାର ବ୍ୟବହାର ଫାଇଟର ଜେଟ୍ ଓ ମିସାଇଲ ତିଆରି କରିବା ପାଇଁ ହୁଏ। ପୁରା ବିଶ୍ବରେ ୯୦% ରେୟାର ଆର୍ଥ ମିନେରାଲ୍ସ ଚୀନ୍ରୁ ଆମଦାନୀ ହୁଏ। ରେୟାର ଆର୍ଥରେ ଚୀନ୍ ନିଜର ଏହି ପ୍ରଭାବକୁ ବଜାୟ ରଖିବାକୁ ଚାହେଁ।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ଯେଉଁ ଅଞ୍ଚଳରେ ନୂତନ ଧାତୁ ମିଳିଛି, ତାହା ବରଫବୃତ୍ତ ଅଞ୍ଚଳ। ବରଫ ତରଳିବା ପରେ ବୈଜ୍ଞାନିକମାନେ ନିଜର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଏବେ ତାଙ୍କୁ ଏହି ମାମଲାରେ ବଡ଼ ସଫଳତା ମିଳିଛି। ବୈଜ୍ଞାନିକଙ୍କ ମତରେ ଚୀନ୍ର ବରଫାବୃତ୍ତ ଅଞ୍ଚଳ ହେଇଲୋଙ୍ଗଜିଆଙ୍ଗ ଓ ଜିଲିନରେ ମାଟିର ନମୁନାକୁ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଚଟାଣ ଭାଙ୍ଗି ଯାଇଥିବା ଅଞ୍ଚଳର କରାଯାଇଛି। ପୂର୍ବରୁ ଏହି ଅଞ୍ଚଳରେ ଯେଉଁ ଚଟାଣ ଥିଲା, ତାହା କ୍ଷାରିୟ ଗ୍ରାନାଇଟ୍ରେ ତିଆରି ହୋଇଥିଲା। ଶୀତ ଦିନର ଥଣ୍ଡା ଓ ଗରମ କାରଣରୁ ବାରମ୍ବାର ମାଟି ଆହୁରି ତରଳିବା କାରଣରୁ ଚଟାଣ ଧିରେ ଧିରେ ଭାଙ୍ଗି ଯାଇଥିଲା।
ଏହି ବିକ୍ଷିପ୍ତ ମାଟିରେ ବୈଜ୍ଞାନିକମାନେ ଦୁଇ ପ୍ରକାରର ବିରଳ ଧାତୁ ପାଇଛନ୍ତି। ଚୀନ୍ ଭୂତତ୍ତ୍ୱବିତମାନେ କହିଛନ୍ତି ଏହି ଯୋଜନାରେ ଏବେ ଦ୍ରୁତ ଗତିରେ କାମ ଚାଲିଛି। ଏହି ବିରଳ ଧାତୁଗୁଡ଼ିକୁ ଖୁବ୍ ଶୀଘ୍ର ଏଠାରୁ ସଂଗ୍ରହ କରାଯିବ। ଏପର୍ଯ୍ୟନ୍ତ ସେରିୟମ୍, ନିଓଡିମିୟମ୍ ଏବଂ ଡିସପ୍ରୋସିୟମ୍ ନାମକ ଧାତୁର ଉପସ୍ଥିତି ଜଣାପଡ଼ିଛି। ଲଢ଼ୁଆ ବିମାନ ଏବଂ କ୍ଷେପଣାସ୍ତ୍ରରେ ବ୍ୟବହୃତ ମୋଟରରେ ନିଓଡିମିୟମ୍ ବ୍ୟବହୃତ ହୁଏ। ନିଓଡିମିୟମ୍ ଖୁବ୍ ଶକ୍ତିଶାଳୀ ଚୁମ୍ବକ ସୃଷ୍ଟି କରେ, ଯାହା ଫଳରେ ଜେଟ୍ ଏବଂ କ୍ଷେପଣାସ୍ତ୍ରରେ ବ୍ୟବହୃତ ମୋଟରଗୁଡ଼ିକ ଉଚ୍ଚ ଗତିରେ କାର୍ଯ୍ୟ କରିପାରିବେ। ସେହିପରି, ଗରମ ପରିବେଶରେ ମୋଟରଗୁଡ଼ିକୁ ଖରାପ ହେବାରୁ ରୋକିବା ପାଇଁ ଡିସପ୍ରୋସିୟମ୍ ବ୍ୟବହୃତ ହୁଏ। ଅନ୍ୟପକ୍ଷରେ, ସେରିୟମ୍ ନିଆଁ ଜାଳିବା କିମ୍ବା ଲଗାଇବା ପାଇଁ ବ୍ୟବହୃତ ହୁଏ। ଏହାକୁ ବାରୁଦରେ ବ୍ୟବହାର କରାଯାଏ। ବର୍ତ୍ତମାନ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଆମେରିକା, ଚୀନ୍, ଫ୍ରାନ୍ସ, ବ୍ରିଟେନ୍ ଏବଂ ରୁଷ ଭଳି ଦେଶଗୁଡ଼ିକ ବର୍ତ୍ତମାନ ମିସାଇଲ୍ ଏବଂ ଫାଇଟର ଜେଟ୍ ତିଆରି କରିବାରେ ଲାଗିଛନ୍ତି। ଏଭଳି ସମୟରେ ଚୀନକୁ ଏଭଳି ଦୁର୍ଲଭ ଧାତୁ ମିଳିବା ତା ପାଇଁ ବଡ଼ ଖୁସିର କଥା।
ଆହୁରି ପଢନ୍ତୁ :Internet crisis: ତେଲ- LPG ପରେ ଏବେ ଇଣ୍ଟରନେଟ୍ ସଙ୍କଟ ! ହୋର୍ମୁଜରେ କେଉଁ ଅସ୍ତ୍ର ପ୍ରୟୋଗ ପ୍ରସ୍ତୁତିରେ ଇରାନ୍ ?