ପାଟକୁରା ୧୫/୭ : ପହଣା ସେତୁ ଠାରୁ ନ‌ଇନ୍ଦିପୁର ଉଚ୍ଚ ବିଦ୍ୟାଳୟ ଓ ନ‌ଇନ୍ଦିପୁର ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ଚିତ୍ରୋତ୍ପଳା ନଦୀ ବନ୍ଧ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ସହ ମରଣଯନ୍ତା ପାଲଟିଛି । ନଦୀ ବନ୍ଧ ଅବସ୍ଥା ଏପରି ଦୟନୀୟ ହୋଇଛି ଯେ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

ଏହି ନଦୀବନ୍ଧ  ପାର୍ଶ୍ଵରେ ଗରଦପୁର,  ଓସ୍ତିଆ, ମଦନା ସମେତ ଅନେକ ଗ୍ରାମର ପ୍ରାୟ ୨୦  ହଜାର ଅଧିବାସୀ  ଉକ୍ତ ବନ୍ଧ ଉପରେ ନିଜର ଯାତାୟାତ ପାଇଁ ନିର୍ଭର କରିଥାନ୍ତି । ଏହି ନଦୀ ବନ୍ଧ ଦେଇ ସମଗ୍ର ପାଟକୁରା ଅଞ୍ଚଳର ଜନସାଧାରଣ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଥାନା, ବ୍ଲକ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟ  ସତେତ ନିକଟସ୍ଥ ଜିଲ୍ଲା ଜଗତସିଂହପୁର ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟାତ କରିଥାନ୍ତି । ବିଦୁର ମୁନି ଆଶ୍ରମ ନିକଟରେ ହେଉଥିବା ପଥର ପ୍ୟାଙ୍କି ଯୋଗୁଁ ନଦୀବନ୍ଧ ଏପରି ଦୟନୀୟ ଅବସ୍ଥା ହୋଇଛି ବୋଲି ଅଭିଯୋଗ ହେଉଚି । ଏହି ପଥର ପ୍ୟାଙ୍କି ପାଇଁ ବ୍ୟବହୃତ ହେଉଥିବା ଶହ ଶହ ଟ୍ରକ ଓ ହାଇଓ୍ବା ଗାଡ଼ିରେ   ପଥର ଆସୁଥିବା ହେତୁ ନଦୀ ବନ୍ଧ ସଂପୂର୍ଣ୍ଣ ଭାଙ୍ଗି ଯିବା ସହ ନଦୀକୂଳରେ ଥିବା ଗ୍ରାମ ପ୍ରତି ଅସୁରକ୍ଷିତ ଓ ବିପଦପୂର୍ଣ୍ଣ   ହୋଇ ପଡ଼ିଛି । ଖାଲି ସେତିକି ନୁହେଁ ଏବେ ନଦୀରେ ନୂତନ ପାଣି ଆସିବା ଦ୍ବାରା ନଦୀ ବନ୍ଧରେ ଘଳିଆ ପଡ଼ିବା ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ । ବନ୍ୟା ଆସିବା ପୂର୍ବରୁ ନଦୀ ବନ୍ଧ ମରାମତି ନହେଲେ ବନ୍ଧ ଭାଙ୍ଗିବା ଯେ ନିଶ୍ଚିତ ଆଶଙ୍କା ରହିଛି ବୋଲି ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି। 

ତେବେ ଏହି ବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରାଣନାଥ ମୁଣ୍ଡାକୁ ପଚାରିବାରୁ  ବର୍ଷା ଲଗାତାର ହେଉଥିବା ହେତୁ ଚଣ୍ଡିଖୋଲ ରୁ ପଥର ଆସିବା ନେଇ ଅସୁବିଧା ଦେଖାଯାଇଛି । ହେଲେ ଚଳିତ ସପ୍ତାହ ଶେଷ ସୁଦ୍ଧା ଉକ୍ତ ନଦୀ ବନ୍ଧ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି ।