ଭୁବନେଶ୍ୱର,୦୩/୧୨: ଏମ୍‌ଡିଏମ୍‌ଏ ଭଳି ମାରାତ୍ମକ ଡ୍ରଗ୍ସ ଓ ଓଜି କୁଶ ଭଳି ହାଇବ୍ରିଡ୍‌ ଗଞ୍ଜେଇ ସେବନ କରୁଥିଲେ । ବେଙ୍ଗାଲୁରୁରୁ  କମ୍‌ ଦାମରେ କିଣି ହାଇଦ୍ରାବାଦ୍‌ରେ ବିକୁଥିଲେ ।  ଏଭଳି ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଓଡିଆ କୋରିଓଗ୍ରାଫର କାହ୍ନା ମହାନ୍ତିଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଅନ୍ୟମାନେ ହେଲେ, କୋନ୍ଦାମ ପ୍ରିୟଙ୍କା ରେଡ୍ଡି, ଗୁଲିପଲ୍ଲି ଗଙ୍ଗାଧର, ଓଗିରାଲ୍ଲା ଶାକି । ପୁଲିସ ସେମାନଙ୍କଠାରୁ ୧୮  ଗ୍ରାମ ଏମ୍‌ଡିଏମ୍‌ଏ ଡ୍ରଗସ୍‌ ସହ ୧ ଗ୍ରାମ ଓଜି  କୁଶ, ୭ ଗ୍ରାମ ଚରସ ଜବତ କରିଛି ।  

କାହ୍ନାଙ୍କ ଘର ଭୁବନେଶ୍ୱରରେ । ସେ ଜଣେ ଜଣାଶୁଣା କୋରିଓଗ୍ରାଫର। ଏହାସହ ସେ ହାଇଦ୍ରାବାଦ୍‌ରେ ଏକ ଘରୋଇ ସଂସ୍ଥାରେ ଚାକିରି ମଧ୍ୟ କରିଛନ୍ତି । ପ୍ରିୟଙ୍କା ହେଉଛନ୍ତି, ହାଇଦ୍ରାବାଦର  ଜଣେ ପ୍ରସିଦ୍ଧ ଆର୍କିଟେକ୍‌ । ସେହିପରି  ବିଶାଖାପାଟନମ୍‌ର ଗଙ୍ଗାଧର ଜଣେ ଷ୍ଟକ୍‌ ମାର୍କେଟ ଟ୍ରେଡର ହୋଇଥିବା ବେଳେ ଓଗିରାଲ୍ଲା  ହାଇଦ୍ରାବାଦରେ ରହି ଚାକିରି ଖୋଜୁଛନ୍ତି । 

ଗତ  ୩୦ ତାରିଖ ରାତିରେ ଏମାନେ କାହ୍ନା ବ୍ୟୁଟିକ୍‌  ହୋଟେଲର ରୁମ୍‌ ନଂ ୩୦୩ରେ ରହିଥିଲେ ।  ସେଠାରେ ସେମାନେ ନିଶା ସେବନ କରୁଥିବା  ନେଇ ସାଇବରାବାଦ କମିଶନରେଟ ପୁଲିସର  ଏସ୍‌ଓଟି ଶାଖାକୁ ଖବର ମିଳିଥିଲା । ଉକ୍ତ ଶାଖାର  ଏକ ଟିମ୍‌ ସଙ୍ଗେ ସଙ୍ଗେ ଗଛିବ୍ୟୁଲି ଥାନା ପୁଲିସ  ସହାୟତାରେ ଉକ୍ତ ହୋଟେଲରେ ଚଢ଼ଉ କରିଥିଲା ।  ସେତେବେଳକୁ ଏମାନେ ସମସ୍ତେ ନିଶାରେ ଚୂର୍‌  ଥିଲେ । ଉକ୍ତ ରୁମ୍‌ରୁ ପୁଲିସ ନିଶାଦ୍ରବ୍ୟ ଜବତ  କରିବା ସହ ସମସ୍ତଙ୍କୁ ଗିରଫ କରିଥିଲା ।  

ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ କାହ୍ନା  ଓ ଗଙ୍ଗାଧର ଏସବୁ ମାରାତ୍ମକ ନିଶା ସେବନ  କରିବା ସହ ବେପାର କରୁଥିଲେ । ବେଙ୍ଗାଲୁରୁର  ଜଣେ ନିଶା ମାଫିଆଠାରୁ ସେମାନେ ଏସବୁ  ନିଶାଦ୍ରବ୍ୟ କମ୍‌ ଦାମରେ ମଗାଉଥିଲେ ।  ହାଇଦ୍ରାବାଦ୍‌ର ଯୁବପିଢ଼ିଙ୍କୁ ଚଢ଼ା ଦରରେ  ବିକୁଥିଲେ । ପ୍ରିୟଙ୍କା ଓ ଓଗିରାଲ୍ଲା ଡ୍ରଗ୍ସ କିଣିବା  ପାଇଁ ଉକ୍ତ ହୋଟେଲକୁ ଯାଇଥିବା ବେଳେ  ଚଢ଼ାଉ କରାଯାଇଥିଲା । ପୁଲିସ ବର୍ତ୍ତମାନ ନିଶା  ଯୋଗାଉଥିବା ମାଫିଆକୁ ଖୋଜୁଛି।