ନୂଆଦିଲ୍ଲୀ,୦୩/୦୯: ସିଏଏକୁ ନେଇ ନରମିଛନ୍ତି କେନ୍ଦ୍ର ସରକାର । ଏଣିକି ପଡୋଶୀ ଦେଶର ନାଗରିକଙ୍କୁ ବିନା ଭିସା ଓ ପାର୍ସପୋର୍ଟରେ ଭାରତରେ ରହିବାକୁ ଅନୁମତି ମିଳିବ । ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇଁ ଭାରତ ଆସିଥିବା ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ କେନ୍ଦ୍ର ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ନାଗରିକତ୍ୱ ସଂଶୋଧନ ଆଇନ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଗୃହ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ଜାରି କରିଛି । ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଡିସେମ୍ବର ୩୧, ୨୦୧୪ ସୁଦ୍ଧା ଭାରତ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନାଗରିକଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ ଯାତ୍ରା କାଗଜପତ୍ର ବିନା ମଧ୍ୟ ଦେଶରେ ରହିବାକୁ ଅନୁମତି ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି  ।

ପିଟିଆଇ ଅନୁଯାୟୀ, ଗତ ବର୍ଷ ଲାଗୁ ହୋଇଥିବା ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଅନୁଯାୟୀ, ଡିସେମ୍ବର ୩୧, ୨୦୨୪ କିମ୍ବା ତା'ପୂର୍ବରୁ ଭାରତ ଆସିଥିବା ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। କାର୍ଯ୍ୟକାରୀ ହୋଇଥିବା ପ୍ରବାସନ ଏବଂ ବିଦେଶୀ (ନାଗରିକତା) ଆଇନ, ୨୦୨୫ ଅଧୀନରେ ଜାରି କରାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ବହୁ ସଂଖ୍ୟକ ଲୋକଙ୍କୁ, ବିଶେଷକରି ପାକିସ୍ତାନରୁ ହିନ୍ଦୁମାନଙ୍କୁ, ଯେଉଁମାନେ ୨୦୧୪ ପରେ ଭାରତ ଆସିଥିଲେ । ଭବିଷ୍ୟକୁ ନେଇ ଚିନ୍ତାରେ ପଡିଥିଲେ ସେମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ।

ଆଦେଶରେ କ’ଣ କୁହାଯାଇଛି ?ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଆଦେଶ ଅନୁଯାୟୀ, "ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ - ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ, ଯେଉଁମାନେ ଧାର୍ମିକ ନିର୍ଯାତନା କିମ୍ବା ଏହାର ଭୟ ଯୋଗୁଁ ଭାରତରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ଡିସେମ୍ବର ୩୧, ୨୦୨୪ କିମ୍ବା ପୂର୍ବରୁ ବୈଧ ଡକ୍ୟୁମେଣ୍ଟ ବିନା ଦେଶରେ ପ୍ରବେଶ କରିଥିଲେ ସେମାନଙ୍କୁ ବୈଧ ପାସପୋର୍ଟ ଏବଂ ଭିସା ରଖିବାର ନିୟମରୁ ମୁକ୍ତ କରାଯିବ।

 
ନେପାଳ ଓ ଭୂଟାନ ନାଗରିକଙ୍କ ପାଇଁ କଣ ନିୟମ ? ଏହି ଆଦେଶ ସ୍ପଷ୍ଟ କରିଛି ଯେ, ନେପାଳ ଏବଂ ଭୁଟାନର ନାଗରିକଙ୍କୁ ଭାରତରେ ରହିବା ପାଇଁ ପାସପୋର୍ଟ ଏବଂ ଭିସାର ଆବଶ୍ୟକତା ପଡ଼ିବ ନାହିଁ । ଏହି ବ୍ୟବସ୍ଥା ପୂର୍ବ ପରି ଜାରି ରହିବ । ତଥାପି, ଯଦି ଜଣେ ନେପାଳୀ କିମ୍ବା ଭୁଟାନ ନାଗରିକ ଚୀନ୍, ମାକାଉ, ହଂକଂ କିମ୍ବା ପାକିସ୍ତାନରୁ ଭାରତ ଆସନ୍ତି, ତେବେ ତାଙ୍କ ପାଇଁ ବୈଧ ପାସପୋର୍ଟ ରଖିବା ବାଧ୍ୟତାମୂଳକ ହେବ ।

ସେହିପରି, ଭାରତୀୟ ନାଗରିକମାନଙ୍କୁ ମଧ୍ୟ ନେପାଳ କିମ୍ବା ଭୁଟାନର ସୀମା ଦେଇ ଭାରତକୁ ଯାତ୍ରା ପାଇଁ ପାସପୋର୍ଟ କିମ୍ବା ଭିସାର ଆବଶ୍ୟକତା ନାହିଁ । କିନ୍ତୁ ଯଦି ସେମାନେ ନେପାଳ କିମ୍ବା ଭୁଟାନ ବ୍ୟତୀତ ଅନ୍ୟ କୌଣସି ଦେଶ ଯେପରି ଚୀନ୍, ମାକାଉ, ହଂକଂ ଏବଂ ପାକିସ୍ତାନରୁ ଭାରତକୁ ଫେରିଥାନ୍ତି, ତେବେ ସେମାନଙ୍କୁ ଏକ ବୈଧ ପାସପୋର୍ଟ ଦେଖାଇବାକୁ ପଡିବ । ସେହି ସମୟରେ, ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର କର୍ମଚାରୀ, ଯେଉଁମାନେ ଡ୍ୟୁଟି ସମୟରେ ଭାରତ ଯିବା ଆସିବା କରୁଛନ୍ତି  ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ପାସପୋର୍ଟ କିମ୍ବା ଭିସାର ଆବଶ୍ୟକତା ପଡ଼ିବ ନାହିଁ ।