ନୂଆଦିଲ୍ଲୀ: ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ (TASMAC) ସହ ଜଡିତ ୧୦୦୦ କୋଟି ଟଙ୍କାର ଘୋଟାଲା ମାମଲାରେ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୁ ଭର୍ତ୍ସନା କରିଛନ୍ତି। ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇ କହିଛନ୍ତି ଯେ, ସେ EDର ତଦନ୍ତ ଉପରେ ମନ୍ତବ୍ୟ ଦେବାକୁ ଚାହୁଁ ନାହାଁନ୍ତି, କାରଣ ଏହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହେବ।
ମଙ୍ଗଳବାର ସିଜେଆଇ ବି.ଆର୍ ଗାଭାଇ ଏବଂ ବିଚାରପତି ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ। ୧୦୦୦ କୋଟି ଟଙ୍କାର ଘୋଟାଲା ସମ୍ପର୍କରେ ED ମାର୍ଚ୍ଚ ମାସରେ TASMACର ଚେନ୍ନାଇ ମୁଖ୍ୟାଳୟରେ ଚଢାଉ କରିଥିଲା। ମଦ ବୋତଲର ଚଢ଼ା ମୂଲ୍ୟ, ଟେଣ୍ଡର ହେରଫେର ଏବଂ ଲାଞ୍ଚ ନେଇ ଏହି ଚଢାଉ କରାଯାଇଥିଲା। ଚଢାଉ ସମୟରେ ଏଜେନ୍ସି ଅଧିକାରୀ ମାନେ TASMAC କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଥିଲେ। କୋର୍ଟ ପ୍ରଶ୍ନ କରିଥିଲେ ଯେ ରାଜ୍ୟ ପୋଲିସ କ’ଣ ଏହି ମାମଲାକୁ ପରିଚାଳନା କରିପାରିବ ନାହିଁ କି ? EDର ସମ୍ପୃକ୍ତି ଆବଶ୍ୟକ ଥିଲା ।
ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, କୋର୍ଟ ଇଡିକୁ ପ୍ରଶ୍ନ କରିଥିଲେ ଯେ,"ଆପଣ କ'ଣ ପୋଲିସର କ୍ଷମତାରେ ହସ୍ତକ୍ଷେପ କରୁନାହାଁନ୍ତି ? ରାଜ୍ୟ ପୋଲିସ କ'ଣ ଏହି ଦୁର୍ନୀତିର ତଦନ୍ତ କରିପାରିବ ନାହିଁ ? ଇଡିର ହସ୍ତକ୍ଷେପ ଆବଶ୍ୟକ କି ? ରାଜ୍ୟରେ ଆଇନ ଶୃଙ୍ଖଳା କିଏ ତଦାରଖ କରେ ? ଏହା ସଂଘୀୟ ଢାଞ୍ଚା ଉପରେ କ'ଣ ପ୍ରଭାବ ପକାଇବ ?"
ସିଜେଆଇ ବି.ଆର. ଗଭାଇ କହିଛନ୍ତି କି, "ମୁଁ ଗତ ଛଅ ବର୍ଷ ମଧ୍ୟରେ ଅନେକ ମାମଲାରେ ଇଡିର ତଦନ୍ତକୁ ଦେଖିଆସୁଛି, କିନ୍ତୁ ମୁଁ ସେଗୁଡ଼ିକ ଉପରେ ମନ୍ତବ୍ୟ ଦେବାକୁ ଚାହୁଁନାହିଁ, ନଚେତ୍ ଏହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଯିବ।" ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି. ରାଜୁ କହିଛନ୍ତି ଯେ, ସୋସିଆଲ ମିଡିଆରେ ଆମ ସପକ୍ଷରେ ବହୁତ କମ୍ କଥା ଆଲୋଚନା ହେଉଛି, ଏବଂ ଏହା ଆମର ଅଭିଯୋଗ ।