ହାଇଦ୍ରାବାଦ, ୨୭/୦୩ : ୭ମ ଶ୍ରେଣୀ ଛାତ୍ରଙ୍କ କମାଲ। ତିଆରି କଲେ ଚିନ୍ତା କରିପାରୁଥିବା ଏଆଇ। ହାଇଦ୍ରାବାଦର ଓକ୍ରିଜ ଇଣ୍ଟରନ୍ୟାସନାଲ ସ୍କୁଲର ୭ମ ଶ୍ରେଣୀ ଛାତ୍ର ରାଜା ଧର୍ମ ତେଜ ମଦ୍ଦଲା (୧୩ ବର୍ଷ) ଏକ ଏଆଇ ତିଆରି କରିଛନ୍ତି। ଯାହା ଉତ୍ତର ଦେବା ପୂର୍ବରୁ ମଣିଷ ଭଳି ଚିନ୍ତା କରୁଛି । ସେ ଏଆଇର ନାମ ଦେଇଛନ୍ତି ‘ରାଜା ମାଗରେକ୍ସ ଏଆଇ’ ।
ରାଜା କହିଛନ୍ତି, ମୁଁ ଚାହୁଁଥିଲି, ଏଆଇ ମଣିଷ ଭଳି ଚିନ୍ତା କରୁ। ବର୍ତ୍ତମାନ ଅଧିକାଂଶ ଏଆଇ ଟୁଲ୍ ଗୋଟିଏ ଏକକ ବିଶାଳ ମଡେଲରୁ ସିଧାସଳଖ ପ୍ରତିକ୍ରିୟା ଦେଉଛନ୍ତି । ମୁଁ ଏକ ଭିନ୍ନ ତରିକା ଅନ୍ୱେଷଣ କରିବାକୁ ଚାହୁଁଥିଲି, ଯେଉଁଥିରେ ଚୂଡ଼ାନ୍ତ ପ୍ରତିକ୍ରିୟା ଦେବା ପୂର୍ବରୁ ଏକାଧିକ ଚିନ୍ତନ ମଡ୍ୟୁଲ ଗୋଟିଏ ପ୍ରଶ୍ନକୁ ବିଭିନ୍ନ ଦିଗରୁ ପରୀକ୍ଷା କରିବେ । ଏହି ଯୁବ ଉଦ୍ଭାବକଙ୍କ ଲକ୍ଷ୍ୟ ସରଳ, କିନ୍ତୁ ମହତ୍ୱାକାଂକ୍ଷୀ । ତାହା ହେଉଛି ଏଆଇକୁ ଅଧିକ ଚିନ୍ତାଶୀଳ, ସ୍ୱଚ୍ଛ ଓ ମଣିଷ ବୁଝିବା ପାଇଁ ସହଜ କରିବା । ମଣିଷ ଭଳି ଜଟିଳ ସମସ୍ୟାର ସମାଧାନ କରିପାରୁଥିବା ପ୍ରଣାଳୀ ସେ ଡିଜାଇନ୍ କରିଛନ୍ତି । କେବଳ ଗୋଟିଏ ଦିଗରୁ ନୁହେଁ, ବରଂ ବିଭିନ୍ନ ଦୃଷ୍ଟିକୋଣରୁ ଚିନ୍ତା କରି ତାହା ଚୂଡ଼ାନ୍ତ ପ୍ରତିକ୍ରିୟା ଦେଇପାରିବ । ସମାଜ କିଭଳି ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛି, ସେଥିରୁ ପ୍ରେରିତ ହୋଇ ରାଜା ନିଜ ପ୍ରଣାଳୀକୁ ‘ଆର୍ଟିଫିସିଆଲ ସିଭିଲାଇଜେସନ୍ ଇଣ୍ଟେଲିଜେନ୍ସ’ ନାମ ଦେଇଛନ୍ତି ।
ରାଜା ମାଗ୍ରେକ୍ସ ଏଆଇ ଟୁଲ୍ ୨୨ଟି ଜ୍ଞାନ ସମ୍ବନ୍ଧୀୟ ପ୍ରଣାଳୀ, ୮୭ ମଡ୍ୟୁଲ, ୧୦୦ରୁ ଅଧିକ ଫିଚର୍ ଓ ୧୦୮ ଜଣ ବ୍ୟକ୍ତିତ୍ୱଙ୍କ ସମଷ୍ଟିରେ ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ମଡ୍ୟୁଲ ନିଜ ନିଜ ଦୃଷ୍ଟିକୋଣରୁ ସମସ୍ୟାକୁ ବିଶ୍ଳେଷଣ କରନ୍ତି । ଏଥିରେ ତାର୍କିକ ଚିନ୍ତନ, ବୈଜ୍ଞାନିକ ଜ୍ଞାନ, ସଦାଚାର ମୂଲ୍ୟାଙ୍କନ, ପାରିପାର୍ଶ୍ଵିକ ବିଶ୍ଳେଷଣ କିମ୍ବା ସୃଜନାତ୍ମକ ଅନ୍ୱେଷଣ ଆଦି ସାମିଲ । ଏହା ପରେ ଏକ ସମ୍ମିଳିତ ଉପକରଣ ନିଷ୍କର୍ଷଗୁଡ଼ିକୁ ଗୋଟିଏ ଓ ଚୂଡ଼ାନ୍ତ ଉତ୍ତରରେ ରୂପାନ୍ତରିତ କରେ । କେବଳ ଗୋଟିଏ ମଡେଲ ଉପରେ ନିର୍ଭର କରିବା ପରିବର୍ତ୍ତେ ଏକାଧିକ ଚିନ୍ତନ ମଡ୍ୟୁଲ ଗୋଟିଏ ପ୍ରଶ୍ନକୁ ବିଭିନ୍ନ ଦୃଷ୍ଟିକୋଣରୁ ପରୀକ୍ଷା କରନ୍ତି । ଏଭଳି ଏକ ଜଟିଳ ପ୍ରଣାଳୀ ବିକଶିତ କରିବା ରାଜାଙ୍କ ପାଇଁ ସହଜ ନ ଥିଲା । ତାଙ୍କର ଅନ୍ୟତମ ସବୁଠୁ ବଡ଼ ଆହ୍ୱାନ ଥିଲା ଗୋଟିଏ ସମୟରେ ଅନେକ ଜଟିଳ ବିଚାରକୁ ବୁଝିବା ଓ ସଂଯୋଜିତ କରିବା । ଏହି ବୈଷୟିକ କୌଶଳ ରାଜାଙ୍କର ନିଜସ୍ୱ । ରିସର୍ଚ୍ଚ ପେପର୍, ବୈଷୟିକ ପ୍ରବନ୍ଧ ଏବଂ ଏଆଇ ଓ କମ୍ପ୍ୟୁଟର ସିଷ୍ଟମ୍ ସମ୍ପର୍କିତ ଦସ୍ତାବିଜରେ ସେ ଅଧିକାଂଶ ସମୟ ବିତାଇଥିଲେ।
ଏହି ଖବରଟିକୁ ପଢନ୍ତୁ- ୧୫ ବର୍ଷ ତଳେ ହୋଇଥିଲା ଚୋରି, ଚିଠିରେ କ୍ଷମା ମାଗି କ୍ଷତିପୂରଣ ଦେଲା ଚୋର