ନୂଆଦିଲ୍ଲୀ, ୨୭/୦୩ : ଜଣେ ଦୋକାନ ମାଲିକ ଏକ ବେନାମୀ ଚିଠି ଓ ୧୦୦ ପାଉଣ୍ଡ ନଗଦ ପାଇଛନ୍ତି । ଚିଠିରେ ଜଣେ ବ୍ୟକ୍ତି ତାଙ୍କ ଦୋକାନରୁ ୧୫ ବର୍ଷ ତଳେ କରିଥିବା ଚୋରି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେହି ଅପରିଚିତ ବ୍ୟକ୍ତିଙ୍କ ପରିଚୟ ଜାଣିବାକୁ ଦୋକାନ ମାଲିକ ଖୁବ୍‌ ଉତ୍ସାହିତ ଅଛନ୍ତି । ସ୍ୱାନ୍‌ସି ସ୍ଥିତ ଅନ୍ତର୍ଜାତୀୟ ସୁପରମାର୍କେଟ୍‌ ‘ଏକ୍‌ଜୋଟିକା ଫୁଡ୍ସ’ରେ ଏହି ଚିଠି ପହଞ୍ଚିଛି । ଚିଠି ପଠାଇଥିବା ବ୍ୟକ୍ତି ଲେଖିଛନ୍ତି, ଛାତ୍ର ବୟସରେ ସେ ଅନ୍ୟ ସାଙ୍ଗଙ୍କ ସହ ମିଶି ଉକ୍ତ ଦୋକାନରୁ ଏକ ଫଳକ ଚୋରି କରିଥିଲେ । ଦୋକାନ ମାଲିକ ଇମ୍ରାନ ଅଶରଫ କହିଛନ୍ତି, ମୁଁ ସେହି ବ୍ୟକ୍ତିଙ୍କୁ ଖୋଜିବାକୁ ଚାହୁଁଛି । ଏହା ଅତ୍ୟନ୍ତ ମଜାଦାର ମୁହୂର୍ତ୍ତ ହେବ । କାରଣ ସେ ନିଜ ପରିଚୟ ଦେଇନାହାନ୍ତି । କିନ୍ତୁ ଚିଠିରେ ପଶ୍ଚିମ ୟର୍କଶାୟର ଷ୍ଟାମ୍ପ୍‌ ଲାଗିଛି ।

​​​​​​​

ଚିଠିରେ ଉଲ୍ଲେଖ ହୋଇଛି ‘ପ୍ରାୟ ୧୫ ବର୍ଷ ତଳେ ଜଣେ ଛାତ୍ର ଭାବେ ଥରେ ରାତିରେ ମଦ୍ୟପାନ କରିବା ପରେ ମୁଁ ଓ ମୋର ଅନ୍ୟ ସାଙ୍ଗମାନଙ୍କ ନଜର ଆପଣଙ୍କ ଦୋକାନରେ ଝୁଲୁଥିବା ଏକ ଅସ୍ଥାୟୀ ପିଭିସି ବ୍ୟାନର୍‌ ଉପରେ ପଡ଼ିଲା । କୌଣସି କାରଣବଶତଃ ଏହାକୁ ଘରକୁ ନେଇଯିବା ମଜାଦାର ହେବ ବୋଲି ଆମେ ଭାବିଲୁ । ଜଣେ ବୟସ୍କ ବ୍ୟକ୍ତି ଭାବେ ଏବେ ମୁଁ ହୃଦୟଙ୍ଗମ କରୁଛି ଯେ ସେତେବେଳେ ଯାହା ଆମକୁ ମଜାଦାର ମନେ ହେଉଥିଲା, ହୁଏତ ଆପଣଙ୍କ ଦୋକାନ ପାଇଁ ତାହା ସମସ୍ୟାର କାରଣ ହୋଇଥିଲା । ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ଏବଂ ଆଶା କରୁଛି ଏହି କ୍ଷତିପୂରଣକୁ ଆପଣ ଗ୍ରହଣ କରିବେ ।’ ଲଫାପା ଭିତରେ ୨୦ ପାଉଣ୍ଡ ନୋଟ୍‌ର ୧୦୦ ପାଉଣ୍ଡ ଥିଲା ଏବଂ ଏଥିସହିତ ଲେଖାଥିଲା ‘ଜଣେ ପୂର୍ବତନ ମୂର୍ଖ ଛାତ୍ର ।’ ଦୋକାନ ମାଲିକ ଅଶରଫ କହିଛନ୍ତି, ମୁଁ ଚିଠି ପଢ଼ିବା ପରେ ଖୁବ୍‌ ହସିଲି । ଏଭଳି ମାମଲା ପ୍ରାୟତଃ ଘଟେନାହିଁ । ଚୋରି ହୋଇଥିବା ଫଳକଟି ବର୍ଷକ ପାଇଁ ସେଠାରେ ଥିଲା । ଇତିମଧ୍ୟରେ ଏକ ସ୍ଥାୟୀ ଫଳକ ପାଇଁ ସେମାନେ ଟଙ୍କା ସଞ୍ଚୟ କରିସାରିଥିଲେ । 

ଏହି ଖବରଟିକୁ ପଢନ୍ତୁ- ବୈଜ୍ଞାନିକଙ୍କ ନୂଆ ଆବିଷ୍କାର, ମଣିଷର ଆୟୁଷ ବଢ଼ାଇବ ତିମିର ପ୍ରୋଟିନ୍