ନୂଆଦିଲ୍ଲୀ,୦୩/ ୧୧: ମାନବ ପାଇଁ ଦାନା ଯୋଗାଉଥିବା ମାଟି ମାଆ ଦିନକୁ ଦିନ ଟାଙ୍ଗରା ହେବାରେ ଲାଗିଛି । ଦ୍ରୁତ ଗତିରେ ଏହା ମରୁଡ଼ି କବଳକୁ ଚାଲିଯାଉଛି । ଏଥିରେ ଫସଲ ଫଳାଇ ଭୋକ ମେଣ୍ଟାଇବାକୁ ଚାହିଁଲା ବେଳକୁ ଖଳନାୟକ ସାଜି ସବୁ ଭଣ୍ଡୁର କରିଦେଉଛି ଜଳବାୟୁ ପରିବର୍ତ୍ତନ । ଜଳବାୟୁ ପରିବର୍ତ୍ତନର ଭୟଙ୍କର କୁପରିଣତି ସ୍ୱରୂପ ବିଶ୍ୱବ୍ୟାପୀ ମରୁଡ଼ି  ଅଞ୍ଚଳର ଆକାର ବଢ଼ିବାରେ ଲାଗିଛି । 

୧୯୮୦ ଦଶକରୁ ମରୁଡ଼ି ଅଞ୍ଚଳର  ଆକାର ପ୍ରାୟ ୩ ଗୁଣା ହୋଇଛି ।  ଜନସଂଖ୍ୟା ବୃଦ୍ଧି ଯୋଗୁ ଖାଦ୍ୟ  ଆବଶ୍ୟକତା ବଢ଼ୁଥିବା ବେଳେ ମରୁଡ଼ି  ସବୁ ସାରି ଦେଉଛି । ମୁଠାଏ ଦାନା ପାଇଁ  ମଣିଷ ସଙ୍ଘର୍ଷ କରୁଛି । ‘ଲାନ୍‌ସେଟ୍‌  କାଉଣ୍ଟଡାଉନ ଅନ୍‌ ହେଲ୍‌ଥ ଆଣ୍ଡ୍‌  କ୍ଲାଇମେଟ୍‌ ଚେଞ୍ଜ୍‌’ ରିପୋର୍ଟ’ରେ ଏହି  ଦୟନୀୟ ଚିତ୍ର ଦର୍ଶାଯାଇଛି । ରିପୋର୍ଟ କହିଛି ଯେ ୧୯୮୦  ଦଶକରୁ ପୃଥିବୀରେ ମରୁଡ଼ି ଅଞ୍ଚଳ  ଲଗାତର ଭାବେ ବଢ଼ିବାରେ ଲାଗିଛି ।  ଗତବର୍ଷ ପୃଥିବୀ ସ୍ଥଳଭାଗର ପ୍ରାୟ ୪୮%  ଅତ୍ୟଧିକ ମରୁଡ଼ିର ସାମ୍ନା କରିଥିଲା ।  ଯାହା କି ମାସକ ପାଇଁ ରହିଥିଲା । 

୧୯୮୦  ଦଶକରେ ଏହା ମାତ୍ର ୧୫% ଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁ  ୨୦୨୩ରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ  ହୋଇଥିଲା । ଏଭଳି ସ୍ଥିତିରେ ବିଶ୍ୱର  ଏକତୃତୀୟାଂଶ ଭାଗ ବା ୩୦% ଅଞ୍ଚଳ  ୩ ମାସ ପାଇଁ ଅତ୍ୟଧିକ ମରୁଡ଼ିର  ସାମ୍ନା କରିଥିଲା । ୧୯୮୦ ଦଶରେ ଏହା  ହାରାହାରି ୫% ଥିଲା । ୬ ମାସ ଧରି  ଅତ୍ୟନ୍ତ କମ୍‌ ବର୍ଷା ହେବା ଅଥବା ଉଭୟ  ମୃତ୍ତିକା ଏବଂ ଉଦ୍ଭିଦରୁ ଅତି ମାତ୍ରାରେ  ଜଳ ବାଷ୍ପୀକରଣ ହୋଇଯିବା କାରଣରୁ  ଅତ୍ୟଧିକ ମରୁଡ଼ି ହୋଇଥାଏ । ଏହାର ତ୍ୱରିତ ପ୍ରଭାବ ଜଳ ଓ  ପରିମଳ ଉପରେ ପଡ଼ିବା ସହ ଖାଦ୍ୟ ସୁରକ୍ଷା ଓ ଲୋକଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ  ସଙ୍କଟ ସୃଷ୍ଟି ହୋଇଥାଏ । ଏମିତି କି  ଶକ୍ତି ଯୋଗାଣ, ପରିବହନ ନେଟୱର୍କ  ଓ ସର୍ବୋପରି ଅର୍ଥ ବ୍ୟବସ୍ଥା ଉପରେ  ଏହାର ଗୁରୁତର ପ୍ରଭାବ ପଡ଼ିଥାଏ ।  

ରିପୋର୍ଟ ମୁତାବକ, ଜଳର  ଉପଲବ୍ଧତାକୁ ପ୍ରଭାବିତ କରିବାରେ  ବିଭିନ୍ନ କାରଣ ଦାୟୀ । ପ୍ରାକୃତିକ  ପାଣିପାଗ ସ୍ଥିତି ଏବଂ ମଣିଷର ଜମି ବ୍ୟବହାର ଅଭ୍ୟାସ ବି ଅନେକ  ଗୁରୁତ୍ୱ ରଖିଥାଏ ।ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ବିଶ୍ୱରେ ବୃଷ୍ଟିପାତ  ପ୍ରକ୍ରିୟାକୁ ଅନେକାଂଶରେ ପ୍ରଭାବିତ କରିଛି ।  ଏହାଯୋଗୁ କିଛି ଅଞ୍ଚଳ ଅତ୍ୟଧିକ ମରୁଡ଼ିର  ସମ୍ମୁଖୀନ ହେଉଛି । ବିଶେଷକରି ଦକ୍ଷିଣ ଆମେରିକା,  ମଧ୍ୟପ୍ରାଚ୍ୟ ଏବଂ ହର୍ନ ଅଫ୍‌ ଆଫ୍ରିକା (ସୋମାଲିଆ,  ଦକ୍ଷିଣ ସୁଦାନ, ଇଥିଓପିଆ, ସୁଦାନ ଓ ଜିବୁତି  ଭଳି ଦେଶ) ଆଦିରେ ମରୁଡ଼ିର ପ୍ରଭାବ ସର୍ବାଧିକ  ରହିଛି । ଏଠାରେ ଲୋକମାନେ ପେଟ ପାଇଁ ଦାନା  ଗଣ୍ଡେ ଯୋଗାଡ଼ ଲାଗି ଅହରହ ସଙ୍ଘର୍ଷ କରୁଛନ୍ତି । 

ଦକ୍ଷିଣ ଆମେରିକାର ଆମାଜନରେ ପାଣିପାଗ  ପ୍ରକ୍ରିୟାକୁ ବିଗାଡ଼ିବାରେ ଲାଗିଛି ବାରମ୍ବାର ମରୁଡ଼ି  ସ୍ଥିତି । ଏହା ହଜାର ହଜାର ବୃକ୍ଷକୁ ମାରିବାରେ  ଲାଗିଛି । ଫଳରେ ସନ୍ତୁଳିତ ବୃଷ୍ଟିପାତ ଚକ୍ରକୁ ଏହା  ବିଶୃଙ୍ଖଳିତ କରିପକାଉଛି । ଯାହା କି ଆଉ ଏକ  ମରୁଡ଼ିର କାରଣ ସାଜୁଛି।

ରିପୋର୍ଟ ଦର୍ଶାଇଛି ଯେ ୧୯୫୧ରୁ ବିଶ୍ୱର  ପ୍ରାୟ ୫୦% ଅଞ୍ଚଳ ଅନ୍ତତଃ ଏକ ମାସ ମରୁଡ଼ିର  ସମ୍ମୁଖୀନ ହୋଇଛି । ୩୦% ଅଞ୍ଚଳ ତିନି ମାସ ପାଇଁ  ଏବଂ ୧୦% ଅଞ୍ଚଳ ଛଅ ମାସ ଲାଗି ମରୁଡ଼ିର ସାମ୍ନା  କରିଛି । ସ୍ଥିତି ଏଭଳି ହେଉଛି ଯେ ପୃଥିବୀର ଏକ  ବୃହତ ଭାଗ ଶୁଖିବାରେ ଲାଗିଲା ବେଳକୁ ଅନ୍ୟ  ଭାଗରେ ଅତ୍ୟଧିକ ବୃଷ୍ଟିପାତ ବଢ଼ିବାରେ ଲାଗିଛି । 

ଗତ ୧୦ ବର୍ଷରେ ବିଶ୍ୱର ୬୧% ଅଞ୍ଚଳରେ  ଅତ୍ୟଧିକ ବୃଷ୍ଟିପାତ ବଢ଼ିଥିଲା । ରିପୋର୍ଟ ଦର୍ଶାଇଛି  ଯେ ଜଳବାୟୁ ପରିବର୍ତ୍ତନ ବୃଷ୍ଟିପାତ ପାଟର୍ନକୁ  ବଦଳାଉଛି । ସମୁଦ୍ର ଉତ୍ତପ୍ତ ହେବା ଦ୍ୱାରା ଅଧିକ  ମାତ୍ରାରେ ପାଣି ବାଷ୍ପୀକରଣ ହୋଇ ବାୟୁରେ  ମିଶିଯାଉଛି । ବାୟୁ ବି ଉତ୍ତପ୍ତ ଥିବା ଯୋଗୁ ଏହା  ଅଧିକ ମାତ୍ରାର ଆର୍ଦ୍ରତାକୁ ଧାରଣ କରିବାକୁ ସମର୍ଥ  ହେଉଛି । ସେହି ଆର୍ଦ୍ରତା ଯେତେବେଳେ ସ୍ଥଳଭାଗ  ଉପରେ ବୁଲି ଏକ ଝଡ଼ରେ ସମାହାର ହୋଇଯାଉଛି,  ସେତେବେଳେ ପ୍ରବଳ ବୃଷ୍ଟିପାତର କାରଣ ସାଜୁଛି । 

ଲାନ୍‌ସେଟ୍‌ କାଉଣ୍ଟଡାଉନ ରିପୋର୍ଟ ଦର୍ଶାଇଛି  ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ବି  ଅନୁଭୂତ ହେଉଛି । ଗତବର୍ଷ ମରୁଡ଼ି ଯୋଗୁ ୧୫.୧୦  କୋଟି ଲୋକ ଖାଦ୍ୟାଭାବର ସାମ୍ନା କରିଥିଲେ ।  ଏହାଯୋଗୁ କୁପୋଷଣ ମାତ୍ରା ବଢ଼ିଥିଲା । ୬୫ ଏବଂ  ତଦୂଦ୍ଧ୍ୱର୍ ବୟସର ଲୋକଙ୍କ ଅଂଶୁଘାତ ଜନିତ ମୃତ୍ୟୁ  ୧୯୯୦ ଦଶକ ତୁଳନାରେ ୧୬୭% ବୃଦ୍ଧି ପାଇଥିଲା । 

ସମ୍ପ୍ରତି ତାପମାତ୍ରା ବୃଦ୍ଧି ଏବଂ ଅଧିକ ବୃଷ୍ଟିପାତ  ମଶାଜନିତ ଭୂତାଣୁଗୁଡ଼ିକର ବୃଦ୍ଧିର କାରଣ ସାଜିଛି ।  ଡେଙ୍ଗୁ ରୋଗ ମାମଲା ସର୍ବକାଳୀନ ରେକର୍ଡ  ସ୍ତର ଛୁଇଁଛି । ଯେଉଁ ସ୍ଥାନରେ ପୂର୍ବରୁ ଡେଙ୍ଗୁ,  ମ୍ୟାଲେରିଆ ଏବଂ ୱେଷ୍ଟ ନାଇଲ୍‌ ଭୂତାଣୁ ଦେଖିବାକୁ  ମିଳୁ ନ ଥିଲା, ସେଠାରେ ବି ଏଗୁଡ଼ିକ ସବୁବେଳେ  ଦେଖାଦେଲାଣି । ଧୂଳି ଝଡ଼ ଯୋଗୁ ଲକ୍ଷ ଲକ୍ଷ ଲୋକ  ବାୟୁ ପ୍ରଦୂଷଣର ସାମ୍ନା କରୁଛନ୍ତି । 

ଲାନ୍‌ସେଟ୍‌ କାଉଣ୍ଟଡାଉନର କାର୍ଯ୍ୟନିର୍ବାହୀ  ନିର୍ଦ୍ଦେଶକ ମେରିନା ରୋମାନେଲ୍ଲୋଙ୍କ ମୁତାବକ,  ଜଳବାୟୁ ଦ୍ରୁତ ବେଗରେ ବଦଳୁଛି । ପୂର୍ବରୁ ଆମେ ଯେଉଁଭଳି ସ୍ଥିତିର ସାମ୍ନା କରୁ ନ ଥିଲେ,  ତାହା ସ୍ୱାଭାବିକ ହେବାରେ ଲାଗିଛି । ୨୦୨୦  ପରଠାରୁ ଉତ୍ତରପୂର୍ବ ସିରିୟା ଏବଂ ଇରାକର କିଛି  ଅଂଶରେ ମରୁଡ଼ି ସ୍ଥିତି ଉତ୍କଟ ହୋଇଛି । ଗତ  କିଛି ବର୍ଷ ହେଲା ସିରିୟାର ହସାକା ସହରରେ  ପାନୀୟ ଜଳ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିଲା ।  ଫଳରେ ଏଠାରେ ବାସ କରୁଥିବା ପ୍ରାୟ ୧୦  ଲକ୍ଷ ଲୋକ ଛଟପଟ ହୋଇଥିଲେ । ହସାକାର  ଲୋକମାନେ ୨୫ କିଲୋମିଟର ଦୂରରେ ଥିବା  କୂପଗୁଡ଼ିକରୁ ଜଳ ସଂଗ୍ରହ କରୁଥିଲେ । ଶେଷରେ ସେଗୁଡ଼ିକ ବି ଶୁଖିଯାଇଥିଲା । 

ପାଣି ନ ମିଳିବାରୁ ଲୋକମାନେ ଗାଧୋଇ ପାରି ନ ଥିଲେ । ସେମାନେ ମଇଳା ପୋଷାକ ପିନ୍ଧିବାକୁ ବାଧ୍ୟ ହୋଇଥିଲେ । ଏହାଦ୍ୱାରା ଚର୍ମ ରୋଗ, ଡାଇରିଆ ଭଳି ରୋଗ ସାଙ୍ଘାତିକ ଭାବେ ବ୍ୟାପିଥିଲା । ଜଳ ପାଇଁ ଲୋକମାନେ ପରସ୍ପରକୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ପ୍ରତ୍ୟେକ  ଦିନ ଲୋକେ ପାଣି ପାଇଁ ଡହଳବିକଳ ହୋଇଥିଲେ । 

ଗତବର୍ଷ ଦକ୍ଷିଣ ସୁଦାନର ୭୭% ଭାଗ ମାସକ  ପାଇଁ ସାଙ୍ଘାତିକ ମରୁଡ଼ିର ସାମ୍ନା କରିଥିଲା ବେଳେ ୬  ମାସ ପାଇଁ ଅଧା ଭାଗ ଅତ୍ୟଧିକ ମରୁଡ଼ିର ସମ୍ମୁଖୀନ  ହୋଇଥିଲା । ଏହି ସମୟରେ ୭ ଲକ୍ଷରୁ ଅଧିକ  ଲୋକ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲେ । 

ମରୁଡ଼ି ସ୍ଥିତି ଅଧିକ ଦିନ ରହିବା ଫଳରେ ନଦୀ, ନାଳ ଓ ହ୍ରଦ ଆଦି ଅତି ମାତ୍ରାରେ ଶୁଖିଯାଏ । ଏହାର ତଳ ଭାଗ ଏତେ କଠିନ ହୋଇଯାଏ ଯେ ପ୍ରବଳ ବୃଷ୍ଟିପାତ ବେଳେ ବି ଏହା ଜଳକୁ ଶୋଷିପାରି ନ ଥାଏ । ଯାହା ଅଚାନକ ବନ୍ୟାର କାରଣ ସାଜି ଧନଜୀବନ  ନଷ୍ଟ କରିଦେଇଥାଏ । 

ରୋମାନେଲ୍ଲୋଙ୍କ ମୁତାବକ, ଗଛଗୁଡ଼ିକ ଅତ୍ୟଧିକ ମରୁଡ଼ିକୁ ସହ୍ୟ କରିପାରିବେ ।  କିନ୍ତୁ ବନ୍ୟା ଯୋଗୁ ସେଗୁଡ଼ିକର ଢାଞ୍ଚା ବି ପ୍ରଭାବିତ ହେଉଛି । ଏହା ଖାଦ୍ୟ ସୁରକ୍ଷା ପାଇଁ ଅତ୍ୟନ୍ତ ଖରାପ । ଏଭଳି ସ୍ଥିତିରେ ଆମକୁ ସବୁଜଗୃହ ବାଷ୍ପ ନିର୍ଗମନ ମାତ୍ରା କମାଇବାକୁ ହେବ। ବିଶ୍ୱ ତାପନ ଯେମିତି ଆହୁରି ନ ବଢ଼େ, ତାହାକୁ ସୁନିଶ୍ଚିତ କରିବାକୁ ହେବ । ଯଦି ତାହା ନ ହୁଏ, ତେବେ ଆଗକୁ ଆହୁରି ମରୁଡ଼ି ଏବଂ ପ୍ରବଳ ବୃଷ୍ଟିପାତର ସାମ୍ନା କରିବା ବୋଲି ରୋମାନେଲ୍ଲୋ ସତର୍କ  କରାଇଛନ୍ତି । ତାଙ୍କ ମୁତାବକ, ୨୦୨୩ ସବୁଠୁ  ଉତ୍ତପ୍ତ ବର୍ଷ ରହିଥିଲା । ଆଗକୁ ଏହାଠାରୁ  ଆହୁରି ନୂଆ ରେକର୍ଡ ସୃଷ୍ଟି ହୋଇ ଚାଲିବ ।  ବିଶ୍ୱ ତାପନ ଯେତେ ଉପରମୁହାଁ ହେବ,  ସେତେ ଖରାପ ଘଟଣାମାନ ଘଟିଚାଲିବ।