ୱାଶିଂଟନ,୧୭/୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତି କୋଳରେ ଅସ୍ୱାଭାବିକ  ଘଟଣାମାନ ଘଟିବାରେ ଲାଗିଛି । ବର୍ଷା ବିତ୍ପାତ, ଅସ୍ୱାଭାବିକ ବନ୍ୟା, ମରୁଡ଼ି, ଗ୍ଲେସିୟର ତରଳିବା  ଏବଂ ଜଙ୍ଗଲ ନିଆଁ ଭଳି ଘଟଣା ଦେହସୁହା  ହୋଇଗଲାଣି । ଏବେ ଜଳବାୟୁ ପରିବର୍ତ୍ତନ ସହ  ଆଉ ଏକ ଭୟଙ୍କର ତଥା ବିନାଶକାରୀ ଘଟଣା  ଯୋଡ଼ି ହୋଇଯାଇଛି । ପ୍ରାଣୀ ଜଗତ ପାଇଁ ଅତ୍ୟନ୍ତ  ଅନିଷ୍ଟକାରୀ ଅଙ୍ଗାରକାମ୍ଳ ବାଷ୍ପର ମାତ୍ରା କ୍ରମେ  ବଢ଼ିବାରେ ଲାଗିଛି । ଆଗ ଭଳି ବୃକ୍ଷ, ମାଟି ଓ  ସମୁଦ୍ର ଆଉ ଏହାକୁ ଶୋଷୁନାହିଁ । ଏହି ପ୍ରାକୃତିକ  ପ୍ରକ୍ରିୟା ମୋଟାମୋଟି ଭାବେ ବନ୍ଦ ହେବାରେ  ଲାଗିଛି । ଗତବର୍ଷ ବୃକ୍ଷ, ମାଟି ଓ ସମୁଦ୍ର ପ୍ରାୟ  କୌଣସି ଅଙ୍ଗାରକାମ୍ଳ ଶୋଷି ନ ଥିବା ଏକ ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏହା ଯୋଗୁ ଆଗକୁ  ଭୟଙ୍କର ବିପତ୍ତି ମାଡ଼ି ଆସିବ । 

ମଣିଷ ଦ୍ୱାରା ସୃଷ୍ଟ ଅଙ୍ଗାରକାମ୍ଳ ବାଷ୍ପକୁ  ଶୋଷିନେବାରେ ପୃଥିବୀର ବିଶାଳ ଜଙ୍ଗଲ, ଘାସ  ପଡ଼ିଆ ଏବଂ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । କିନ୍ତୁ ବର୍ଷ ୨୦୨୩ରେ ସେଭଳି  କିଛି ଘଟିନାହିଁ । ୨୦୨୩ ବର୍ତ୍ତମାନ ପର୍ଯ୍ୟନ୍ତ  ସବୁଠାରୁ ଉତ୍ତପ୍ତ ବର୍ଷ ରହିଥିଲା । ଅସ୍ୱାଭାବିକ  ତାତି ଅନୁଭୂତ ହୋଇଥିଲା । ଏହା ପଛରେ ଜଳବାୟୁ ପରିବର୍ତ୍ତନ ହିଁ ପ୍ରମୁଖ କାରଣ । ପ୍ରଚଣ୍ଡ  ତାତି କାରଣରୁ ପ୍ରକୃତିରେ ଅଙ୍ଗାରକାମ୍ଳ ଶୋଷଣ  ପ୍ରଭାବିତ ହୋଇଛି । 

ହଜାର ହଜାର ପ୍ରାକୃତିକ ଗତିବିଧି ପୃଥିବୀର  ଜଳବାୟୁକୁ ନିୟନ୍ତ୍ରଣ କରିଥାଏ । ସଦ୍ୟ ଗବେଷଣା  ମୁତାବକ ସମୁଦ୍ର, ଜଙ୍ଗଲ ଏବଂ ମାଟିର ଅଙ୍ଗାରକାମ୍ଳ  ଶୋଷଣ କ୍ଷମତା ଉଲ୍ଲେଖନୀୟ ଭାବେ କମିଛି ।  ଅଙ୍ଗାରକାମ୍ଳ ଶୋଷଣ ପ୍ରକ୍ରିୟାକୁ ଏକ ‘ସ୍ପଞ୍ଜ୍‌’ର  ଉଦାହରଣ ଭାବେ ନେଇହେବ । ସ୍ପଞ୍ଜ୍‌ ଯେମିତି  ଅନ୍ୟ ସାମଗ୍ରୀକୁ ଶୋଷିନିଏ, ଠିକ୍‌ ସେମିତି ଆମ  ଚତୁଃପାଶ୍ୱର୍ରେ ଥିବା ବୃକ୍ଷ, ମହାସାଗର ଏବଂ ମାଟି  ସ୍ପଞ୍ଜ୍‌ ଭାବେ କାମ କରିଥାନ୍ତି । ବୃକ୍ଷ, ମହାସାଗର ଓ  ମାଟି ବାୟୁମଣ୍ଡଳକୁ ଯେତେ ଅଙ୍ଗାରକାମ୍ଳ ଛାଡ଼ନ୍ତି,  ତା’ଠାରୁ ଢେର ଅଧିକ ଶୋଷି ନେଇଥାନ୍ତି ।  ଏହାଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା  ସନ୍ତୁଳିତ ରହିଥାଏ । ତେଣୁ ସବୁବେଳେ ଅଧିକ  ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଥାଏ । 

‘ଦ ଗାର୍ଡିଆନ୍‌’ରେ ପ୍ରକାଶିତ ରିପୋର୍ଟ  ମୁତାବକ, ପୃଥିବୀରେ ଥିବା ମହାସାଗର, ଜଙ୍ଗଲ,  ମାଟି ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରକ୍ରିୟା ମାନବ ଦ୍ୱାରା ସୃଷ୍ଟି ହେଉଥିବା  ଅଙ୍ଗାରକାମ୍ଳର ପ୍ରାୟ ଅଧା ଭାଗକୁ ଶୋଷି  ନେଇଥାଏ । କିନ୍ତୁ ପୃଥିବୀ ଯେଉଁଭଳି ଭାବେ  ଗରମ ହେବାରେ ଲାଗିଛି, ତାହାକୁ ନେଇ  ବୈଜ୍ଞାନିକମାନଙ୍କୁ ଚିନ୍ତା ଖାଉଛି ଯେ ପ୍ରକୃତିରେ  ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକ୍ରିୟା ଏବେ ବିପଦରେ  ପଡ଼ିଛି । 

ଗ୍ରୀନଲାଣ୍ଡର ଗ୍ଲେସିୟର ଏବଂ ଆର୍କଟିକର  ବରଫ ଚାଦର ଦ୍ରୁତ ଗତିରେ ତରଳିବାରେ  ଲାଗିଛି । ଏହାଦ୍ୱାରା ଗଲ୍‌ଫ ଷ୍ଟ୍ରିମ୍‌ ମହାସାଗରର ଧାରା ପ୍ରଭାବିତ ହେଉଛି । ଏହି କାରଣରୁ  ମହାସାଗରର ଅଙ୍ଗାରକାମ୍ଳ ଶୋଷିବା ହାର  ତଳମୁହାଁ ହେଉଛି । ରିପୋର୍ଟ ମୁତାବକ, ସାମୁଦ୍ରିକ ବରଫ ଏଲ୍‌ଗି ଖାଉଥିବା ଜୁପ୍‌ଲାଙ୍କଟନ୍‌ (ପାଣିରେ  ସନ୍ତରଣ କରୁଥିବା ଛୋଟ ଜୀବ)କୁ ଅତ୍ୟଧିକ  ଖରା ସଂସ୍ପର୍ଶରେ ଆଣୁଛି । ବୈଜ୍ଞାନିକଙ୍କ ମତ ଯେ  ଏହି ପରିବର୍ତ୍ତନ ଯୋଗୁ ସେଗୁଡ଼ିକୁ ଦୀର୍ଘ ସମୟ  ଧରି ଗଭୀରରେ ରହିବାକୁ ପଡ଼ିପାରେ । ଏହି  କାରଣରୁ ସମୁଦ୍ର ତଳଭାଗରେ ଅଙ୍ଗାରକାମ୍ଳକୁ ଗଚ୍ଛିତ ରଖିବା ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି  ହୋଇପାରେ । 

ନ୍ୟୁୟର୍କରେ ସଦ୍ୟ ଅନୁଷ୍ଠିତ ଏକ  କାର୍ଯ୍ୟକ୍ରମରେ ପୋଟ୍‌ସଡାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌  କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ୍ଚ ନିର୍ଦ୍ଦେଶକ ଜୋହାନ୍‌  ରକ୍‌ଷ୍ଟ୍ରମ୍‌ କହିଥିଲେ, ପୃଥିବୀର ପ୍ରଣାଳୀରେ  ଆମେ ଅନେକ ପ୍ରକାର ପ୍ରତିବନ୍ଧକ ଆସୁଥିବା  ଦେଖିବାକୁ ପାଉଛୁ । ଭୂମିରେ ଅନେକ ଫାଟ  ସୃଷ୍ଟି ହେଉଛି । ଭୂମି ନିଜ ଅଙ୍ଗାରକାମ୍ଳ ଶୋଷିବା  କ୍ଷମତାକୁ ହରାଇବାରେ ଲାଗିଛି । ମହାସାଗର  ବି ଅସ୍ଥିରତାର ସଂକେତ ଦେଉଛି । ପ୍ରକୃତି  ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଦ୍ୱାରା ସୃଷ୍ଟି ହେଉଥିବା  ଅଙ୍ଗାରକାମ୍ଳକୁ ସନ୍ତୁଳିତ ରଖିଆସୁଛି । କିନ୍ତୁ ଏବେ  ଏହି ପ୍ରକ୍ରିୟା ଶେଷ ହେବାରେ ଲାଗିଛି । 

ରିପୋର୍ଟ ମୁତାବକ, ୨୦୨୩ରେ ଅଙ୍ଗାରକାମ୍ଳ  ଶୋଷଣରେ ହ୍ରାସ ଦେଖାଯିବା ଘଟଣା ଅସ୍ଥାୟୀ  ହୋଇପାରେ । କିନ୍ତୁ ମଣିଷ ସମାଜ ପାଇଁ ଏହା  ଏକ ଚେତାବନୀ ସଦୃଶ । ଯଦି ମରୁଡ଼ି ସ୍ଥିତି ବା  ଜଙ୍ଗଲ ନିଆଁ ଭଳି ଘଟଣା ନ ଘଟେ, ତେବେ ଭୂମି  ପୁଣି ଅଙ୍ଗାରକାମ୍ଳ ଶୋଷିବା ପ୍ରକ୍ରିୟାକୁ ଫେରି  ପାଇପାରିବ । ପରିସଂସ୍ଥାନର ଏହି ଭୟଙ୍କର  ପରିବର୍ତ୍ତନ ଦର୍ଶାଉଛି ଯେ ଜଳବାୟୁ ସଙ୍କଟ  ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିପାରେ । 

ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରକୃତିର  ସହାୟତା ବିନା ଶୂନ ପ୍ରତିଶତ ଅଙ୍ଗାରକାମ୍ଳ  ନିର୍ଗମନରେ ପହଞ୍ଚିବା ଅସମ୍ଭବ । ୨୦୨୩ରେ  ଅଙ୍ଗାରକାମ୍ଳ ପ୍ରଦୂଷଣ ରେକର୍ଡ ୩୭.୪ ବିଲିୟନ୍‌  ଟନ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ବାୟୁମଣ୍ଡଳୀୟ  ଅଙ୍ଗାରକାମ୍ଳକୁ ବୃହତ୍‌ ମାତ୍ରାରେ ହଟାଉଥିବା  ସାଧନରେ ଅଭାବ ଯୋଗୁ ପୃଥିବୀର ବିଶାଳ  ଜଙ୍ଗଲ, ଘାସ ଏବଂ ପଡ଼ିଆ ଓ ମହାସାଗର ହିଁ  ଅଙ୍ଗାରକାମ୍ଳ ଶୋଷିବାରେ ଏକମାତ୍ର ବିକଳ୍ପ ।  ୧୧୮ ଦେଶ ରାଷ୍ଟ୍ରୀୟ ଜଳବାୟୁ ଲକ୍ଷ୍ୟ ପୂରଣ  ନିମନ୍ତେ ଭୂମି ଉପରେ ନିର୍ଭର କରୁଛନ୍ତି । କିନ୍ତୁ  ବର୍ଦ୍ଧିତ ତାପମାତ୍ରା, ପ୍ରତିକୂଳ ପାଣିପାଗ ଏବଂ  ମରୁଡ଼ି କାରଣରୁ ଏହା ଉପର କୁପ୍ରଭାବ ପଡ଼ୁଛି । 

ରିପୋର୍ଟ ମୁତାବକ, କେବଳ କଙ୍ଗୋ  ବେସିନ୍‌ରେ ଏକ ମଜଭୁତ ଅଙ୍ଗାରକାମ୍ଳ  ଶୋଷଣ ପ୍ରକ୍ରିୟା ବଳବତ୍ତର ରହିଛି । ଯାହା  କି ବାୟୁମଣ୍ଡଳରେ ଯେତେ ଅଙ୍ଗାରକାମ୍ଳ ସୃଷ୍ଟି  ହେଉଛି, ତାହାକୁ ଶୋଷି ନେଉଛି । ଅନ୍ୟପକ୍ଷରେ  ଏଲ୍‌ ନିନୋ, ଜଙ୍ଗଲ ନଷ୍ଟ ଓ ବିଶ୍ୱତାପନ  କାରଣରୁ ଆମାଜନ୍‌ ବେସିନ୍‌ ରେକର୍ଡ ମରୁଡ଼ିର  ସାମ୍ନା କରୁଛି । ଏଠାରେ ନଦୀଗୁଡ଼ିକର ଜଳସ୍ତର  ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ପ୍ରକୃତିରେ  ମହାସାଗର ସବୁଠାରୁ ଅଧିକ ଅଙ୍ଗାରକାମ୍ଳ  ଶୋଷିନେଇଥାଏ । ବିଗତ ଦଶନ୍ଧିଗୁଡ଼ିକରେ  ମହାସାଗରଗୁଡ଼ିକ ଜୀବାଶ୍ମ ଇନ୍ଧନରୁ ସୃଷ୍ଟ ୯୦  ପ୍ରତିଶତ ଗରମକୁ ଟାଣିନେଇଛି । ଏହି କାରଣରୁ  ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଛି । ଏହାଦ୍ୱାରା  ମହାସାଗରର ଅଙ୍ଗାରକାମ୍ଳ ଶୋଷଣ କ୍ଷମତା  ଦୁର୍ବଳ ହେବାରେ ଲାଗିଛି । ଯଦି ଏହିଭଳି ଭାବେ  ଅଙ୍ଗାରକାମ୍ଳ ଶୋଷଣ ପ୍ରଭାବିତ ହୁଏ, ମାନବ  ସମାଜ ପାଇଁ ଏହା ଭୟଙ୍କର ବିପତ୍ତି ଡାକିଆଣିବ ।