ନୂଆଦିଲ୍ଲୀ,୧୩/୦୭:ବଦଳିଲା ସ୍ବାସ୍ଥ୍ୟବୀମା ନିୟମ । ଏଣିକି ୨୪ ଘଣ୍ଟା ନୁହେଁ କେବଳ ୨ ଘଣ୍ଟା ଆଡମିଟ୍ ହେଲେ ବି ମିଳିବ ବୀମା କଭରେଜ । ମୋତିଆବିନ୍ଦୁ ଅପରେସନ, ଡ଼ାୟଲିସିସ, କେମୋଥେରାପି ଆଦି ଲାଗି ମଧ୍ୟ ମିଳି ପାରିବ ମେଡ଼ିକ୍ଲେମ । ନୂତନ ଯୁଗ ସହିତ ଚିକିତ୍ସା ପ୍ରଯୁକ୍ତିବିଦ୍ୟାରେ ହେଉଥିବା ପରିବର୍ତ୍ତନକୁ ନେଇ ହୋଇଛି ଏହି ପରିବର୍ତ୍ତନ ।
ସ୍ୱାସ୍ଥ୍ୟ ବୀମା ପାଇବା ପାଇଁ ଆଉ ଆପଣଙ୍କୁ ହସ୍ପିଟାଲରେ ପୁରା ୨୪ ଘଣ୍ଟା ବିତାଇବାକୁ ପଡ଼ିବନି। ଏବେ ଅନେକ ସ୍ବାସ୍ଥ୍ୟବୀମା କମ୍ପାନି ମାତ୍ର ୨ ଘଣ୍ଟା ଆଡ଼ମିସନରେ ବି ଦେଉଛନ୍ତି ମେଡ଼ିକ୍ଲେମ । ନୂତନ ଯୁଗ ସହିତ ଚିକିତ୍ସା ପ୍ରଯୁକ୍ତିବିଦ୍ୟାରେ ହେଉଥିବା ପରିବର୍ତ୍ତନ ସହିତ ତାଳ ଦେଇ ଏହି ପରିବର୍ତ୍ତନ କରାଯାଉଛି। ରିପୋର୍ଟ ଅନୁଯାୟୀ, ପଲିସି ବଜାରର ସ୍ୱାସ୍ଥ୍ୟ ବୀମା ମୁଖ୍ୟ ସିଦ୍ଧାର୍ଥ ସିଂଘଲ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ, ଉନ୍ନତ ଚିକିତ୍ସା ଏବଂ ଅସ୍ତ୍ରୋପଚାରର ପଦ୍ଧତିରେ ଅନେକ ପରିବର୍ତ୍ତନ ହୋଇଛି ।
ଏହା ହସ୍ପିଟାଲରେ ରହିବାର ସମୟ ସୀମାକୁ ମଧ୍ୟ ହ୍ରାସ କରିଛି। ପୂର୍ବରୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର, କେମୋଥେରାପି କିମ୍ବା ଆଞ୍ଜିଓଗ୍ରାଫି ପାଇଁ ହସ୍ପିଟାଲରେ ରାତିସାରା ରହିବା ଆବଶ୍ୟକ ଥିଲା। କିନ୍ତୁ, ବର୍ତ୍ତମାନ ଚିକିତ୍ସା ପ୍ରଯୁକ୍ତି ଏତେ ଆଗକୁ ବଢ଼ିଛି ଯେ ଏସବୁ କିଛି ଘଣ୍ଟା ମଧ୍ୟରେ ହୋଇଯାଉଛି। ଏହାକୁ ଦୃଷ୍ଟିରେ ରଖି, ଅନେକ ବୀମା କମ୍ପାନୀ ସେମାନଙ୍କର ପଲିସିରେ ୨ ଘଣ୍ଟାର ହସ୍ପିଟାଲିଟିସନ୍ ମଧ୍ୟ କଭର କରୁଛନ୍ତି। ଯାହା ଦ୍ୱାରା ନିଶ୍ଚିତ କରାଯାଇପାରିବ ଯେ କେବଳ ହସ୍ପିଟାଲରେ ରାତି ନ ରହିବା ଯୋଗୁଁ ପଲିସିଧାରୀଙ୍କ କ୍ଲେମ ଯେପରି ପ୍ରତ୍ୟାଖ୍ୟାନ ନହୁଏ। ମୋଟ ଉପରେ କହିବାକୁ ଗଲେ ଏହି ପରିବର୍ତ୍ତନ ଗ୍ରାହକଙ୍କ ନିମନ୍ତେ ଆଶ୍ବସ୍ତିଭରା୍ ଓ ହେଲଥ୍ ଇନସ୍ୟୁରାନ୍ସକୁ ପୂର୍ବ ଅପେକ୍ଷା ଅଧିକା ସୁବିଧାଜନକ କରିଛି।