ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦ ପାୱାର ଗୋଷ୍ଠୀ)ର ରାଜ୍ୟ ସଭାପତି ଜୟନ୍ତ ପାଟିଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କିଛି ଦିନ ପୂର୍ବରୁ ଏ ସମ୍ପର୍କରେ ସଙ୍କେତ ମଧ୍ୟ ଦେଇଥିଲେ। ସେ ଶନିବାର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଜୟନ୍ତ ପାଟିଲଙ୍କ ଇସ୍ତଫା ପରେ, ରାଜ୍ୟ ସଭାପତି ଦାୟିତ୍ୱ ଏବେ ଶଶିକାନ୍ତ ସିନ୍ଦେଙ୍କୁ ଦିଆଯାଇଛି। ଜୟନ୍ତ ପାଟିଲଙ୍କ ଇସ୍ତଫା ପରେ, କଳ୍ପନାଜଳ୍ପନା ଜୋର ଧରିଛି ଯେ, ସେ ଅଜିତ ପାୱାରଙ୍କ ଦଳ ଏନସିପିରେ ଯୋଗ ଦେଇପାରନ୍ତି । ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ବିଭାଜନ ହେବା ପରେ, ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଥିଲା, ଯେଉଁଥିରୁ ଦଳର ଚିହ୍ନ ଏବଂ ଦଳର ନାମ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ନିକଟକୁ ଯାଇଥିଲା ।
ଅଜିତ ପାୱାରଙ୍କ ସମେତ ଦଳର ଅଧାରୁ ଅଧିକ କର୍ମୀ ଦଳ ଛାଡିବା ପରେ ଶରଦ ପାୱାରଙ୍କ ପାଖରେ କିଛି ବିଶ୍ୱସ୍ତ ନେତା ରହିଥିଲେ । ସେମାନଙ୍କ ମଧ୍ୟରୁ ଜୟନ୍ତ ପାଟିଲ ଶରଦ ପାୱାରଙ୍କ ନିକଟତମ ନେତା ଥିଲେ । କିନ୍ତୁ ଦଳର ରାଜ୍ୟ ସଭାପତି ପଦ ଛାଡ଼ିବା ପରେ ସେ ଅଜିତ ପାୱାରଙ୍କ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ୨୦୧୯ ରେ ଯେତେବେଳେ ଅଜିତ ପାୱାର ୮୩ ଘଣ୍ଟାର ବିଜେପି ସରକାରରେ ଶରଦ ପାୱାରଙ୍କୁ ଛାଡି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ସେବେ ଜୟନ୍ତ ପାଟିଲଙ୍କୁ ରାଜ୍ୟ ସଭାପତିର ଦାୟିତ୍ୱ ଦିଆଯାଇଥିଲା ।
ଏହା ପରେ ଅଜିତ ପାୱାର ଫେରିଆସିଥିଲେ ମଧ୍ୟ ଜୟନ୍ତ ପାଟିଲ ଏହି ପଦରେ ଅପରିବର୍ତ୍ତିତ ଥିଲେ । ଅଜିତ ପାୱାର ୨୦୨୪ରେ ପୁଣି ଥରେ ଦାଦା ଶରଦ ପାଓ୍ବାରଙ୍କ ପାଖରୁ ଅଲଗା ହେବା ପରେ ବି ଜୟନ୍ତ ପାଟିଲଙ୍କ ପାଖରେ ରାଜ୍ୟ ସଭାପତି ଦାୟିତ୍ୱ ରହିଥିଲା ।
ଶରଦ ପାଓ୍ବାର ଦଳର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ଜୟନ୍ତ ପାଟିଲ ଅଜିତ ପାଟିଲଙ୍କ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଅଜିତ ପାୱାରଙ୍କ ଗୋଷ୍ଠୀର ଜଣେ ନେତା କହିଛନ୍ତି, ‘ଜୟନ୍ତ ପାଟିଲ ଏବଂ ଅଜିତ ପାୱାରଙ୍କ ମଧ୍ୟରେ ସମ୍ପର୍କରେ କୌଣସି ତିକ୍ତତା ନାହିଁ । ଜୟନ୍ତ ପାଟିଲ ଏବଂ ଅଜିତ ପାୱାର ଏକାଠି କାମ କରିଛନ୍ତି। ଅଜିତ ପାୱାର ଅନେକ ଥର ସାର୍ବଜନୀନ ମଞ୍ଚରେ ପାଟିଲଙ୍କୁ ତାଙ୍କ ଦଳରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ।’
ସେ ଅଜିତ ପାୱାରଙ୍କ ଦଳରେ ଯୋଗଦେବା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। ଉଭୟେ ପୂର୍ବରୁ ଏକାଠି କାମ କରିଛନ୍ତି। ଅଲଗା ହେବା ସତ୍ତ୍ୱେ ସେ ବିରୋଧୀ ଏବଂ ସରକାରରେ କାମ କରିଛନ୍ତି । ତେଣୁ ସେ ଅଜିତ ପାୱାରଙ୍କ ସହିତ ଗଲେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ, ଅଜିତ ପାୱାରଙ୍କ ଗୋଷ୍ଠୀର ଜଣେ ବଡ଼ ନେତା କହିଛନ୍ତି, ‘ଜୟନ୍ତ ପାଟିଲ ଯୋଗାଯୋଗରେ ଅଛନ୍ତି ସତ, କିନ୍ତୁ ଦେବେନ୍ଦ୍ର ଫଡନବିସଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ବହୁତ ଭଲ । ତେଣୁ ଏପରି ପରିସ୍ଥିତିରେ ତାଙ୍କ ପାଖରେ ଅନେକ ବିକଳ୍ପ ଅଛି । ଜୟନ୍ତ ପାଟିଲ ଆସିପାରିନ୍ତି ବୋଲି ଆଲୋଚନା ହେଉଛି, କିନ୍ତୁ ସେ ଏକା ଆସିବେ ନାହିଁ। ଯଦି ସେ ଆସନ୍ତି, ତେବେ ସେ ତାଙ୍କ ସହିତ ୫-୬ ବିଧାୟକଙ୍କୁ ଆଣିବେ କିମ୍ବା ଦଳକୁ ମଧ୍ୟ ମିଶ୍ରଣ କରାଯାଇପାରିବ।’