ଭୁବନେଶ୍ୱର ୧୬ /୧୨: ବିଭିନ୍ନ ରୋଗର ଚିକିତ୍ସା କ୍ଷେତ୍ରରେ ଫିଜିଓଥେରାପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ରାଜ୍ୟର ପ୍ରତ୍ୟେକ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଜଣେ ଫିଜିଓଥେରାପିଷ୍ଟଙ୍କୁ ରାଜ୍ୟ ସରକାର ନିଯୁକ୍ତି କରିବାକୁ ଚିନ୍ତା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଆଇନ୍‌, ଅବକାରୀ ଓ ପୂର୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ର ଫିଜିଓଥେରାପି ବିଭାଗ, ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଫିଜିଓଥେରାପି (ଆଇଏପି) ଉକ୍ରଳ ଶାଖା ଏବଂ ଆଇଏପି ମହିଳା ଶାଖା ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳିନୀର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଚିକିତ୍ସା କ୍ଷେତ୍ରରେ ରୋଗର ନିରାକରଣ ଓ ରୋଗୀଙ୍କୁ ସୁସ୍ଥ କରିବା କ୍ଷେତ୍ରରେ ଫିଜିଓଥେରାପିର ବଡ଼ ଭୂମିକା ରହିଛି । କୋଭିଡ୍‌ ପରବର୍ତୀ ସମୟରେ ବ୍ରେନ୍‌ ଷ୍ଟ୍ରୋକ୍‌ ଯୋଗୁଁ ପକ୍ଷାଘାତ ରୋଗୀଙ୍କ ସଂଖ୍ୟା ବଢିଛି । ଗାଁ ଗହଳିରେ ମଧ୍ୟ ରୋଗୀଙ୍କ ପାଇଁ ଫିଜିଓଥେରାପି ଚିକିତ୍ସା ଆବଶ୍ୟକ ହେଉଛି ତେଣୁ ପ୍ରତି ପିଏଚ୍‌ସିରେ ୨୦୨୭ ସୁଦ୍ଧା ଜଣେ ଲେଖାଏଁ ଫିଜିଓଥେରାପିଷ୍ଟ୍‌ ନିଯୁକ୍ତି ଲାଗି ସ୍ୱାସ୍ଥ୍ୟ ବିଭାଗ ସହ ସେ ବିଚାରବିମର୍ଶ କରିବେ ବୋଲି ସେ କହିଥିଲେ । ଦେଶରେ ବୟସ୍କଙ୍କ ସଂଖ୍ୟା ବଢିବାକୁ ଯାଉଛି । ତେଣୁ ସେତେବେଳେ ବୟସ୍କ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବ । ଏ କ୍ଷେତ୍ରରେ ଫିଜିଓଥେରାପିଷ୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । 

ଉଦ୍‌ଯାପନୀ ଉତ୍ସବରେ ଭୂବନେଶ୍ୱର ଉତର ବିଧାୟକ ଶ୍ରୀ ବାବୁ ସିଂ ଯୋଗ ଦେଇ ସୁସ୍ଥ ଭାରତ ଓ ସୁସ୍ଥ ଓଡିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର ବ୍ୟାୟାମ ଏବଂ  ଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ।

କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଫିଜିଓଥେରାପିର ଜାତୀୟ ସଭାପତି ଡକ୍ଟର ସଞ୍ଜୀବ ଝା, ଆଇଏପି ମହିଳା ଶାଖାର ସଭାନେତ୍ରୀ ଡକ୍ଟର ରୁଚି ଭାର୍ସନେ, ସମ୍ମିଳନୀର ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷା ତଥା ସମ୍‌ ହସ୍ପିଟାଲ୍‌ ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ତିତିପ୍ରଜ୍ଞା ଦଳବେହେରା, ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଂଜନ ଦାସ ଓ ଆଇଏପି ଉକ୍ରଳ ଶାଖାର ସମ୍ପାଦକ ଭୁବନାନନ୍ଦ ପାଣି ବକ୍ତବ୍ୟ ରଖିଥିଲେ ।