ନଦୀନାଳ ପରେ ଏବେ ମଣିଷ ପାହାଡ଼ ଉପରେ ଆଖି ପକାଇଛି । ଅଟ୍ଟାଳିକା, ହୋଟେଲ, ରେସ୍ତୋରାଁରୁ ଶିଳ୍ପ ପ୍ରକଳ୍ପ ମଧ୍ୟ ପାହାଡ଼ ତାଡ଼ି ନିର୍ମାଣ କରୁଛି । ସଂକୁଚିତ ହେଉଛି ପାହାଡ଼ର ସବୁଜିମା । ଚୁପ୍ ହୋଇ ବସିନି ପ୍ରକୃତି । ବାଦଲଫଟା ବର୍ଷା, ଭୂସ୍ଖଳନ ଓ ବନ୍ୟା ବିଭୀଷିକାରେ ଆମ ଜୀବନ ଛଟପଟ । ଲାଗୁଛି ପ୍ରକୃତିରାଣୀ ଏବେ ପ୍ରତିଶୋଧମୁଦ୍ରାରେ ।

ବାଦଲ ଫଟା ବର୍ଷା । ଭୟଙ୍କର ଭୂସ୍ଖଳନ, ବନ୍ୟା ବିଭୀଷିକା । ପୋଛିନେଉଛି ଗାଁ, ରାସ୍ତା ଅବରୋଧ କରୁଛି ପାହାଡ଼ ଧସା ପଥର । କଳିଙ୍ଗା ଘାଟିରେ ଯାତାୟତ ବନ୍ଦ । ଗତ ତିନି ମାସ ହେବ ଏମିତି ଘଟଣା ସବୁ ପାଲଟିଛି ବଡ଼ ଖବର । ଓଡ଼ିଶା ସମେତ କିଛି ରାଜ୍ୟରେ ପ୍ରକୃତିର ଏଭଳି ରାଗ ମିଜାଜ୍ ଚିନ୍ତା ବଢ଼ାଇଛି । କ୍ରମାଗତ ଭାବେ ଏଭଳି ଘଟଣା କ’ଣ ମଣିଷ ଉପରେ ପ୍ରକୃତିର ପ୍ରତିଶୋଧ? ଆମେ ନିୟମିତ ଜଙ୍ଗଲ କାଟୁଛୁ । ମନଇଚ୍ଛା ପାହାଡ଼ ଖୋଳୁଛୁ । ଭଲମନ୍ଦ କି ଆଗତ ଭବିଷ୍ୟତ ବିଚାର ନାହିଁ । ରାତି ପାହିଲେ ପ୍ରକୃତି ଉପରେ ଆମର ନିର୍ଦ୍ଦୟ ଅତ୍ୟାଚାର । ଲକ୍ଷ୍ମଣରେଖା ମାନୁଛି ବା କିଏ ? ଆମ ଶୋଷଣ ଓ ଅତ୍ୟାଚାର ଢେର ମଥାପାତି ସହିଲା ପ୍ରକୃତିରାଣୀ । ଲାଗୁଛି ଏବେ ପୂରା ରାଗି ପାଚି ଲାଲ । କଡ଼ାଗଣ୍ଡା ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛି । ପ୍ରକୃତିର ଯେଉଁ ଜମି, ଜଙ୍ଗଲ ଛଡ଼ାଇ ନେଇ ଆମେ ଆକାଶଛୁଆଁ କୋଠା, ସପିଂ ମଲ୍ ଛିଡ଼ା କରାଇଥିଲୁ, ପାଣିର ଝଟ୍କାରେ ସବୁ ମାଟିରେ ମିଶିଛି । ସତେ ଯେମିତି ଆମଠୁ ନିଜ ଜମି ପୁଣି ଛଡ଼ାଇ ନେଇଛି ପ୍ରକୃତି । ବାଦଲ ଓ ନଦୀ ଆମକୁ ନାଲିଆଖି ଦେଖାଉଛି । ସହର ଭାସୁଛି । ହସୁଛି ପ୍ରକୃତି ।
ଭୂସ୍ଖଳନ, ବନ୍ୟାର ତାଣ୍ଡବ
ପ୍ରକୃତିର ତାଣ୍ଡବ । ପିଛା ଛାଡ଼ୁନି ପ୍ରଳୟ । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସହ ଭୂସ୍ଖଳନ । ପାହାଡ଼ରୁ ମାଡ଼ି ଆସୁଛି ପାଣି । ଘର ମାଟିରେ ମିଶୁଛି । ଜୀବନ ଯାଉଛି ଆରପାରିକୁ । ବନ୍ୟା ବଦଳାଇଦେଉଛି ମାନଚିତ୍ର । ହସଖୁସିରେ ଜୀବନ ଜିଉଁଥିବା ଗାଁକୁ ପୋଛି ନେଉଛି ବନ୍ୟାର ସୁଅ । ଜୀବନର ରମ୍ୟ ରାସସ୍ଥଳୀ ପାଲଟୁଛି ମହାଶ୍ମଶାନ । କିଏ ନିଜ ବାପାଙ୍କୁ ହରାଉଛି, କିଏ ମାଆ ଆଉ କିଏ ନିଜ ଜନ୍ମକଲା ପିଲାକୁ, ପୁଣି କିଏ ନିଜ ଗର୍ଭବତୀ ପତ୍ନୀଙ୍କୁ । ଜଞ୍ଜାଳମୟ ଜୀବନ କେଇ ଘଣ୍ଟାରେ ଶୂନ୍ୟ ଆଉ ମହାଶୂନ୍ୟ । ଛାତି କୋରି ହେଇଯାଉଛି । ପିଣ୍ଡରୁ ଛାଡ଼ିଯାଉଛି ପ୍ରାଣ । ପଞ୍ଜାବ, ଜମ୍ମୁକଶ୍ମୀର, ପଶ୍ଚିମବଙ୍ଗରେ ବନ୍ୟାର ବିଭୀଷିକା । ପାହାଡ଼ କହୁଛି ପ୍ରତିଶୋଧର କାହାଣୀ। ନଦୀ ଏବେ ପୂରାକୁ ପୂରା କ୍ରୋଧମୁଦ୍ରାରେ ।
ହିମାଳୟ ପାଦଦେଶରେ ଥିବା ଅଞ୍ଚଳ ଏବେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଆଇଆଇଟି ଗବେଷଣା କହୁଛି, ସମୁଦ୍ର ପତ୍ତନଠାରୁ ୨୦୦୦ ମିଟର ଉଚ୍ଚତାରେ ଥିବା ଅଞ୍ଚଳକୁ ବାଦଲଫଟା ବର୍ଷାର ବିପତ୍ତି ବେଶୀ । ଆଖି ପିଛୁଳାକେ ସବୁ ଛାରଖାର । ଏବେ ଉଚ୍ଚ ପାହାଡ଼ରେ ବରଫ କମ୍ ପଡ଼ୁଛି । ବାଦଲଫଟା ବର୍ଷାର ଭୟ ବଢ଼ିଛି । ଉତ୍ତରାଖଣ୍ଡରେ ୨୦୧୫-୧୯ ମଧ୍ୟରେ ବର୍ଷକୁ ୫ରୁ ୧୫ଟି ଏଭଳି ବିପର୍ଯ୍ୟୟ ଘଟୁଥିଲା । ୨୦୨୦ଠାରୁ ଏହି ମାତ୍ରା ୧୫ରୁ ୨୮କୁ ବଢ଼ିଛି । କେରଳରେ ବାଦଲଫଟା ବର୍ଷାର ବିଭୀଷିକା ଆଜି ବି ଭୟରେ ଥରାଉଛି । ହେଲେ କାହିଁକି ପ୍ରକୃତିର ଏମିତି ରାଗ? ପ୍ରାକୃତିକ ବିପର୍ଯ୍ୟୟ ତଗଡ଼ା ଆହ୍ୱାନ ଛିଡ଼ା କରାଉଛି । ପରିସ୍ଥିତିର ଗମ୍ଭୀରତାରୁ ସେନା, ଏନ୍ଡିଏଆର୍ଏଫ୍ ଓ ଏସ୍ଡିଆର୍ଏଫ୍ର ଯବାନମାନଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ହେଉଛି । ପ୍ରକୃତି ଆମର ପରୀକ୍ଷା ନେଉଛି । ଆମକୁ ଏଣିକି ପ୍ରକୃତି ଅନୁକୂଳ ମନୋଭାବ ନେଇ ଜୀବନ କାଟିବାର ସମୟ ଆସିଛି ।
ପରିବେଶବିତ୍ଙ୍କ ଅଭିଯୋଗ, ନଦୀନାଳ ପରେ ଏବେ ମଣିଷ ପାହାଡ଼ ଉପରେ ଆଖି ପକାଇଛି । ଅଟ୍ଟାଳିକା, ହୋଟେଲ, ରେସ୍ତୋରାଁରୁ ଶିଳ୍ପ ପ୍ରକଳ୍ପ ମଧ୍ୟ ପାହାଡ଼ ତାଡ଼ି ନିର୍ମାଣ କରୁଛି । ପାହାଡ଼ର ସବୁଜିମା ଉପରେ ଜବରଦଖଲ କରି ନିଜର ଲୋଭ ପୂରଣ କରୁଛି । ଆମକୁ ପ୍ରକୃତି ଦେଇଛି ଅନେକ କିଛି । ବିସ୍ତୀର୍ଣ୍ଣ ବେଳାଭୂମି, ବହୁ ନଦୀ, ଝରଣା, ଘଞ୍ଚ ଜଙ୍ଗଲ ସହ ପାହାଡ଼ ପର୍ବତ ଆମ ଦେଶର ବଡ଼ ସମ୍ପଦ । ମାତ୍ର ମଣିଷର ଲୋଭ ପାଇଁ ଜୈବ ସନ୍ତୁଳନ ଏବେ ବିଗିଡ଼ିବାକୁ ବସିଛି । ମାଡ଼ି ଆସିଲାଣି ଭୟଙ୍କର ବିପଦ । ଆମ ଲୋଭରୁ ଆମେ ଏବେ ବିପଦର ଯନ୍ତାରେ । ଏ ବୁଢ଼ିଆଣି ଜାଲରୁ କେମିତି ମିଳିବ ମୁକ୍ତି?
ଓଡ଼ିଶାକୁ ଗୋଡ଼ାଉଛି ଭୟ
କନ୍ଧମାଳର କଳିଙ୍ଗା ଘାଟି ଭୟ ଦେଖାଇଲାଣି । ଦୁଇ ଦୁଇଥର ଭୂସ୍ଖଳନରୁ ରାସ୍ତାରେ ପାହାଡ଼ର ଅତଡ଼ା । କନ୍ଧମାଳ ଜିଲ୍ଲାର ଜୀବନରେଖାରେ ଯାତାୟତ ବନ୍ଦ । କଳିଙ୍ଗାଘାଟିର ଭୂସ୍ଖଳନ ମନରେ ଛନକା ପୂରାଇଛି । ମନକୁ ପାପ ଛୁଉଁଛି । ଓଡ଼ିଶାରେ ଉତ୍ତରାଖଣ୍ଡ ଭଳି ସ୍ଥିତି କେବେ ଆସିବ କି? ବଦଳିଛି ଫୁଲବାଣୀ-ଗଞ୍ଜାମକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ରାସ୍ତାର ଚିହ୍ନବର୍ଣ୍ଣ । ଏ ଘାଟିରେ ପୂର୍ବରୁ ଅନେକ ଥର ପଥର ଧସିଛି । ମାତ୍ର ଏଥର ଅପେକ୍ଷାକୃତ ବଡ଼ବଡ଼ ପଥର ଧସିଛି ।
ବିଶେଷଜ୍ଞ କହୁଛନ୍ତି, ୨୦୧୮ରେ ଗଜପତିବାସୀ ତିତ୍ଲି ବାତ୍ୟା ପ୍ରକୋପରେ ଭୂସ୍ଖଳନର ଭୟଙ୍କର ବିତ୍ପାତ ସହିଛନ୍ତି । ୪୯ ଜୀବନ ହାନି ହୋଇଥିଲା । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ପ୍ରକୃତିର କୋପ ଜାରି ରହିଲେ ଆଗକୁ ଓଡ଼ିଶାରେ ବି ବଡ଼ ବିପଦ ଆଶଙ୍କାକୁ ଟାଳି ହେବନି । କେବଳ କନ୍ଧମାଳର କଳିଙ୍ଗା ଘାଟି ନୁହେଁ, କୋରାପୁଟର ସୁକି, କେନ୍ଦୁଝରର କାଞ୍ଜିପାଣି, ମୟୂରଭଞ୍ଜର ଘାଟି ରାସ୍ତାରେ ବି ଏମିତି ଭୟଙ୍କର ବିପଦ ଆସିପାରେ । ରାୟଗଡ଼ାର ବଣ୍ଡା ଘାଟିରେ ବି ଭୂସ୍ଖଳନ ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲାକୁ ଭୂସ୍ଖଳନର ଡର ତ ସବୁଠୁ ବେଶି । ଭୂସ୍ଖଳନ ନେଇ ଆଗୁଆ ପୂର୍ବାନୁମାନ ସହଜ ନୁହେଁ । କେବଳ ସଚେତନତା ହିଁ ଜରୁରୀ । ଯଦିଓ ଇସ୍ରୋର ଭୂସ୍ଖଳନ ପ୍ରବଣ ମାନଚିତ୍ରରେ ଓଡ଼ିଶା ସ୍ଥାନ ପାଇନି । ତଥାପି ପ୍ରକୃତିର ପରିବର୍ତ୍ତିତ ରୂପକୁ ଦେଖି ରାଜ୍ୟର ୭ଟି ଜିଲ୍ଲାକୁ ସମ୍ଭାବ୍ୟ ଭୂସ୍ଖଳନ ପ୍ରବଣ ଅଞ୍ଚଳ ତାଲିକାରେ ଗଜପତି, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ରହିଛି । ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ୨୦୦୬ରେ ରାୟଗଡ଼ାରେ ହୋଇଥିବା ଭୂସ୍ଖଳନରେ ୬ଜଣଙ୍କର ମୃତ୍ୟୁ ପରେ ସରକାର ଏ ଦିଗରେ ଅନେକ ଗବେଷଣା କରିଛନ୍ତି । କଳିଙ୍ଗା ଘାଟିର ଏ ଅଞ୍ଚଳରେ ପୂର୍ବରୁ କେବେ ବଡ଼ ଧରଣର ଭୂସ୍ଖଳନ ତଥ୍ୟ ନଜରକୁ ଆସିନି । ଏହା ଉପରେ ଅଧିକ ଅଧ୍ୟୟନ କରାଯିବ । ପୂର୍ବରୁ ଆଇଆଇଟି ବମ୍ବେ ସହାୟତାରେ ଗଜପତି ଜିଲ୍ଲାକୁ ନେଇ ଭୂସ୍ଖଳନ ସମ୍ପର୍କିତ ଅନୁଧ୍ୟାନ କରାଯାଇଥିଲା । ବର୍ତ୍ତମାନ ତାମିଲନାଡ଼ୁର କୋଏମ୍ବାଟୁରସ୍ଥିତ ଅମ୍ରିତା ବିଶ୍ୱବିଦ୍ୟାଳୟ ସହ ମିଶି ଗଜପତି ସମେତ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ନେଇ ଗବେଷଣା କରାଯାଉଛି। ଏଥିରେ କନ୍ଧମାଳର ଏ ଅଞ୍ଚଳ ଉପରେ ବି ଅନୁଧ୍ୟାନ କରାଯିବ ।
ଲୋଭରେ ଲାଗୁ ଲଗାମ
୨୦୧୩ କେଦାରନାଥରେ ବାଦଲଫଟା ବର୍ଷା ନିର୍ଦ୍ଦୟ ଭାବେ ୬ ହଜାର ମଣିଷଙ୍କ ଜୀବନ ନେଇଥିଲା । କେରଳରେ ବାଦଲଫଟାର ବିତ୍ପାତ ମନେ ପଡ଼ିଲେ ଭୟ ଗୋଡ଼ାଉଛି । ପ୍ରକୃତିର ପ୍ରକୋପ ଆଗରେ ମଣିଷ ଅସହାୟ ହୋଇ ହାତ ଟେକି ଦେଇଥିଲା । ତଥାପି ବୁଦ୍ଧି ପଶିଲାନି । ଯେମିତି କର୍ମ ସେମିତି ଫଳ । ଗାତ ଖୋଳୁଛୁ । ସେଇ ଗାତର ନିଜେ ପଡ଼ୁଛୁ । ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁଛୁ । ପ୍ରକୃତି ଦେଖାଉଛି କରାଳ ରୂପ । ଲୋଭ ଓ ମୋହରୁ ଆମର ମୁକ୍ତି ବା କାହିଁ?
ପାହାଡ଼ ଉପରେ ସେଲ୍ଫି ପଏଣ୍ଟରେ ସେଲଫି ନେଉଛୁ । ରିଲସ୍ କରୁଛୁ । ନିଜକୁ ଶାନ୍ତ କରିବାକୁ ପ୍ରକୃତି କୋଳକୁ ଧାଇଁ ଯାଉଛୁ । ହେଲେ ନିର୍ଦ୍ଦୟ ଭାବେ ସେଇ ପ୍ରକୃତିକୁ ଅଶାନ୍ତ କରି ଚାଲିଛୁ । ପ୍ରକୃତିର ଜମି ଆମେ ଛଡ଼ାଇ ନେଇ ଅଟ୍ଟାଳିକା ଛିଡ଼ା କରୁଛୁ । ପ୍ରକୃତି ଇଟାର ଜବାବ ପଥରରେ ଦେଉଛି । ଭୂସ୍ଖଳନ, ଭୀଷଣ ବନ୍ୟାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଘର ମାଟିରେ ମିଶୁଛି । ମଣିଷଙ୍କ ଜୀବନ ବି ଯାଉଛି । ପ୍ରକୃତି ସତେ ଯେମିତି ରାଣ ନିୟମ ଖାଇଛି, ଆମଠାରୁ ତା’ ଜମି ଫେରାଇ ନେବ । କଳେ ବଳେ ବା କୌଶଳେ ।ଜଳବାୟୁ ଜାରି କରିଛି ଜରୁରୀ ପରସ୍ଥିତି । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା । ପ୍ରାୟ ପ୍ରତିବର୍ଷ ଆମକୁ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼େ । ଭୂସ୍ଖଳନ ବିପଦର ମୁକାବିଲା ପାଇଁ ସ୍ୱଳ୍ପକାଳୀନ ନୁହେଁ ଦୀର୍ଘମିଆଦି ଯୋଜନା ଲୋଡ଼ା । ବ୍ୟାପକ ଖଣି ଓ ପଥର ବ୍ଲାଷ୍ଟିଂ ବନ୍ଦ ନ ହେଲେ ଭୂସ୍ଖଳନ ବିପଦ ବଢ଼ିବ । ସରକାରୀ ସ୍ତରରେ ଯେତିକି ପଦକ୍ଷେପ ନିଆଯିବ, ତା’ଠୁ ଅଧିକ ସଚେତନ ଆମକୁ ହେବାକୁ ପଡ଼ିବ । ଆମର ଅଭାବକୁ ନିୟନ୍ତ୍ରଣ କରିବାକୁ ହେବ । ପାହାଡ଼ରୁ ମନଇଚ୍ଛା ଗଛକଟା ରୋକିବା । ପ୍ରକୃତି ଉପରେ ଆମେ ଅତ୍ୟାଚାରରେ ତାଲା ମାରିବା । ଆସନ୍ତୁ ସୁରକ୍ଷିତ ଜୀବନ ପାଇଁ ପ୍ରକୃତିର ସୁରକ୍ଷା ପାଇଁ ଶପଥ ନେବା । ଆମର ନିଷ୍ଠାପଣ ଆଗାମୀ ପିଢ଼ି ପାଇଁ ହେବ ଆଶୀର୍ବାଦ ।