ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଳୀ ଗାଁରେ ମଙ୍ଗଳବାର ଦିନ ଦିପହର ସମୟରେ ଭୟଙ୍କର ବାଦଲ ଫଟା ବର୍ଷା ହେବା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ଖୀର ଗଙ୍ଗା ନଦୀର ନିକଟରେ ହୋଇଥିବା ଏହି ବାଦଲ ଫଟା ବର୍ଷା ଯୋଗୁଁ ପାଣି ଓ ମାଟିକାଦୁଅର ଏକ ପ୍ରଚଣ୍ଡ ସୁଅ ଧରାଳୀ ଗାଁ ଦେଇ ପ୍ରବାହିତ ହୋଇଛି। ଯାହା ଅନେକ ଘର, ହୋଟେଲ ଓ ହୋମଷ୍ଟେକୁ ନଷ୍ଟ କରିଦେଇଛି। ଗଙ୍ଗୋତ୍ରୀ ଧାମ ଆଡ଼କୁ ଯାତ୍ରା କରୁଥିବା ବେଳେ ରାସ୍ତାରେ ପଡୁଥିବା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରସିଲ ନିକଟସ୍ଥ ଏହି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ମୁଁ ଧରାଳୀ, ଉତ୍ତରକାଶୀରେ ହୋଇଥିବା ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି। ମୁଁ ସମସ୍ତ ପୀଡ଼ିତଙ୍କ ମଙ୍ଗଳ କାମନା କରୁଛି। ମୁଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ସୂଚନା ନେଇଛି। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ରିଲିଫ ଓ ରେସ୍କ୍ୟୁ ଟିମ୍ଗୁଡ଼ିକ ସମସ୍ତ ସମ୍ଭାବ୍ୟ ଉଦ୍ୟମ ଜାରି ରଖିଛନ୍ତି। ଲୋକଙ୍କୁ ସମସ୍ତ ସମୟରେ ସାହାଯ୍ୟ ପହଞ୍ଚାଇବା ପାଇଁ ରିଲିଫ୍ ଦଳ ପ୍ରସ୍ତୁତ ରହିଛି।"

ମୁଖ୍ୟମନ୍ତ୍ରୀଙ୍କ ବୟାନ:
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଘଟଣାକୁ "ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ" ବୋଲି ବର୍ଣ୍ଣନା କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ୟେ, "ଧରାଳୀରେ ବାଦଲଫଟା ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଖବର ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ। ଏସଡିଆରଏଫ, ଏନଡିଆରଏଫ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ସମ୍ପୃକ୍ତ ଟିମ୍ଗୁଡ଼ିକ ଜରୁରିକାଳିନ ଭିତ୍ତିରେ ରିଲିଫ ଓ ରେସ୍କ୍ୟୁ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଁ ସମସ୍ତଙ୍କ ନିରାପଦ ଥିବା ନେଇ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି।"
ଜାରି ରହିଛି ରେସ୍କ୍ୟୁ ଅପରେସନ:
ଭାରତୀୟ ସେନାର ଆଇବେକ୍ସ ବ୍ରିଗେଡ୍, ଏସଡିଆରଏଫ, ଏନଡିଆରଏଫ, ଉତ୍ତରକାଶୀ ପୋଲିସ ଏବଂ ଅନ୍ୟାନ୍ୟ ରିଲିଫ ଟିମ୍ଗୁଡ଼ିକ ତୁରନ୍ତ ରେସ୍କ୍ୟୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେନାର ଏକ ବିବୃତି ଅନୁସାରେ, ହରସିଲସ୍ଥିତ ସେନା ଶିବିରରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ଧରାଳୀରେ ଏହି ଘଟଣା ଘଟିଥିଲା। ସେନା କର୍ମଚାରୀମାନେ ୧୦ ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ୧୫-୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଆହତମାନଙ୍କୁ ହରସିଲସ୍ଥିତ ସେନାର ମେଡିକାଲ ଗୁଡିକରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ଏକ ୧୬ ଜଣିଆ ଆଇଟିବିପି ଟିମ୍ ଏବଂ ମାନେରା, ବାଟକୋଟ ଓ ଦେହରାଦୂନରୁ ତିନୋଟି ଏନଡିଆରଏଫ ଟିମ୍ ମଧ୍ୟ ରେସ୍କ୍ୟୁ କାର୍ଯ୍ୟରେ ସାମିଲ ହୋଇଛନ୍ତି।
କେନ୍ଦ୍ର ସରକାରଙ୍କ ସହାୟତା:
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିର ସୂଚନା ନେଇଛନ୍ତି ଏବଂ ସମସ୍ତ ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, "ଆଇଟିବିପିର ୩ଟି ଟିମ୍ ଓ ୪ଟି ଏନଡିଆରଏଫ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି, ଯେଉଁମାନେ ଶୀଘ୍ର ପହଞ୍ଚି ରେସ୍କ୍ୟୁ କାର୍ଯ୍ୟରେ ଯୋଗଦେବେ।"

କ’ଣ ରହିଛି ବର୍ତ୍ତମାନର ପରିସ୍ଥିତି:
ସ୍ଥାନୀୟ ଲୋକଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ, ଖୀର ଗଙ୍ଗା ନଦୀରୁ ଆସିଥିବା ପ୍ରଚଣ୍ଡ ପାଣି ଓ ମାଟିକାଦୁଅ ଗାଁର ଅନେକ ଘର, ହୋଟେଲ ଓ ହୋମଷ୍ଟେକୁ ନଷ୍ଟ କରିଦେଇଛି। ଜଣେ ସ୍ଥାନୀୟ ବାସିନ୍ଦା ରାଜେଶ ପାନୱାରଙ୍କ ଅନୁସାରେ, ପ୍ରାୟ ୧୦-୧୨ ଜଣ ମାଟିକାଦୁଅ ତଳେ ଚାପି ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ଏବଂ ୨୦-୨୫ଟି ହୋଟେଲ ଓ ହୋମଷ୍ଟେ ଧୋଇ ହୋଇଯାଇଛି ବୋଲି କହିଛନ୍ତି। ପର୍ଯ୍ୟଟକମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ପାହାଡ଼ରୁ ପାଣି ଓ ମାଟିକାଦୁଅର ଏକ ପ୍ରଚଣ୍ଡ ସୁଅ ଗାଁ ଆଡ଼କୁ ଧସେଇ ପଶୁଥିବା ଦେଖାଯାଇଛି, ଯାହା ଅନେକ ଘରକୁ ସାଙ୍ଗରେ ଭସାଇ ନେଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇ କହିଛନ୍ତି ଯେ, "ହୋଟେଲରୁ ବଜାର ପର୍ଯ୍ୟନ୍ତ ସବୁ ନଷ୍ଟ ହୋଇଯାଇଛି... ମୁଁ ଏପରି ବିପର୍ଯ୍ୟୟ ପୂର୍ବରୁ କେବେ ଦେଖିନଥିଲି।"
ଏହି ଘଟଣା ଘଟିବାର ପ୍ରାୟ ୩ ଘଣ୍ଟା ମଧ୍ୟରେ ଧରାଳୀଠାରୁ ୧୬ କିଲୋମିଟର ଦୂରରେ ଥିବା ସୁକ୍କୀ ନାମକ ସ୍ଥାନରେ ଆଉ ଏକ ବାଦଲଫଟା ବର୍ଷା ହୋଇଥିବା ନେଇ ରିପୋର୍ଟ ମିଳିଛି। ଜିଲ୍ଲା ପ୍ରଶାସନ ଅନୁସାରେ, ଅବିରତ ବର୍ଷା ଓ ରାସ୍ତା ଅବରୋଧ ହେତୁ ରେସ୍କ୍ୟୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, କିନ୍ତୁ ନିଖୋଜ ଲୋକଙ୍କୁ ଖୋଜିବା ଓ ପ୍ରଭାବିତମାନଙ୍କୁ ସାହାଯ୍ୟ ପହଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗଙ୍ଗୋତ୍ରୀ ଧାମ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଧରାଳୀରେ ବ୍ୟାପକ ବାଣିଜ୍ୟିକରଣ ଯୋଗୁଁ ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଯେଉଁଥି ପାଇଁ ବନ୍ୟା ଓ ପ୍ରବାହରେ ଅଧିକ କ୍ଷୟକ୍ଷତି ଘଟାଇଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ସଙ୍କଟକୁ ମୁକାବିଲା କରିବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି, ଏବଂ ରେସ୍କ୍ୟୁ ଓ ରିଲିଫ କାର୍ଯ୍ୟ ପୂର୍ଣ୍ଣ ଜୋରରେ ଜାରି ରହିଛି।