ଭୁବନେଶ୍ୱର,୧୮/୧୧: ଆମେ ଅନୁକୂଳ ପରିବେଶ ଦେବୁ । ସବୁ ବ୍ୟବସ୍ଥା, ସୁବିଧା ଓ ଭିତ୍ତିଭୂମି ଯୋଗାଇ ଦେବୁ । ଓଡ଼ିଶା ଆସନ୍ତୁ, ନିବେଶ କରନ୍ତୁ । ନିଜ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତରେ ସିଙ୍ଗାପୁରରେ ନିବେଶକମାନଙ୍କ ଉଦ୍ଦେଶ୍ୟରେ ଏଭଳି ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଓଡ଼ିଶାକୁ ଶିଳ୍ପ ଓ ନିବେଶ ଆଣିବା ପାଇଁ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାଇଥିବା ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ବି ଯାଇଛନ୍ତି । ପ୍ରଥମ ଦିନରେ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ସାକ୍ଷାତ ଥିଲା ସିଟି ମେଟ୍ରିକ୍ସର ପ୍ରତିଷ୍ଠାତା ଡ.ଏଡୱାର୍ଡ ମୋର୍ଟନଙ୍କ ସହ ।
ଓଡ଼ିଶାରେ କିଭଳି କମ୍ପାନି ଆଇଟି, ସେମି କଣ୍ଡକ୍ଟର, ମେଡିକାଲ ଉପକରଣ ଉତ୍ପାଦନ ୟୁନିଟ୍ ଓ ସ୍ମାର୍ଟ ସିଟି ସଲ୍ୟୁସନ କ୍ଷେତ୍ରରେ ନିବେଶ କରିପାରିବ, ସେ ଦିଗରେ ଲମ୍ବା ଆଲୋଚନା ହୋଇଥିଲା । ଡ. ମୋର୍ଟନଙ୍କୁ ଓଡ଼ିଶା ଆସିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ । ଏହାପରେ ଭିସା ଗ୍ରୁପ ଲିଃ ନିର୍ଦ୍ଦେଶକ ବିବେକ ଅଗ୍ରୱାଲଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଇସ୍ପାତ ଓ ଫେରୋକ୍ରମ କ୍ଷେତ୍ରରେ ନିବେଶ କରିବା ସହ କିଭଳି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, ସେ ଦିଗରେ ଆଲୋଚନା କରିଥିଲେ ।
ଜୈବିକ ସାର କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହୀ ଓରିଣ୍ଡ ସିଙ୍ଗାପୁର ପିଟିଇ ଲିଃର ଚେୟାରମ୍ୟାନ୍ ରବିନ ଝୁନଝୁନୱାଲାଙ୍କ ସହ ସକରାତ୍ମକ ଆଲୋଚନା କରିଥିଲା ଓଡ଼ିଶାର ପ୍ରତିନିଧି ଦଳ । ଏହି ଅବସରରେସମସ୍ତ ପ୍ରକାର ସହଯୋଗ, ଭିତ୍ତିଭୂମି, ଅନୁକୂଳ ବାତାବରଣ ଯୋଗାଇ ଦେବାକୁ ଭରସା ଦେବା ସହ ଓଡ଼ିଶାରେ ନିବେଶ ପାଇଁ ଝୁନଝୁନୱାଲାଙ୍କୁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ନେଇ ସିଙ୍ଗାପୁରସ୍ଥିତ ସେମ୍ବକ୍ରପ ଇଣ୍ଡଷ୍ଟ୍ରିଜ୍ ଲିଃର ପ୍ଲାଣ୍ଟ ବୁଲି ଦେଖିଥିଲେ ଓଡ଼ିଶାର ପ୍ରତିନିଧି ଦଳ ।
ଅକ୍ଷୟ ଶକ୍ତି କ୍ଷେତ୍ରରେ କମ୍ପାନି କିଭଳି ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗ କରୁଛି, ତାହା ଦେଖିଥିଲେ । ଏହି ଅବସରରେ ଓଡ଼ିଶାରେ ସେମ୍ବକ୍ରପ୍ ଗ୍ରୀନ ଆମୋନିଆ ପ୍ରକଳ୍ପ ଅନୁମୋଦନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ଅକ୍ଷୟ ଶକ୍ତି, ସବୁଜ ଇନ୍ଧନ କ୍ଷେତ୍ର ଓ ଏହା ସହ ଜଡ଼ିତ କ୍ଷେତ୍ରରେ ନିବେଶ ପାଇଁ ନିବେଶକଙ୍କୁ ଆକର୍ଷିତ କରିବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପରେ ଏହା ମୋର ପ୍ରଥମ ବିଦେଶ ଗସ୍ତ । ଭିତ୍ତିଭୂମି, ଲିଜିଷ୍ଟିକ, ସହରୀ ପରିଚାଳନାରେ ଉତ୍କର୍ଷ ପାଇଁ ଆମେ ସିଙ୍ଗାପୁରକୁ ବାଛିଛୁ । ଓଡ଼ିଶାରେ ଦ୍ରୁତ ସହରୀକରଣରେ ଏହି ଗସ୍ତ ବେଶ୍ ସହାୟକ ହେବ । ଭାରତ ଓ ସିଙ୍ଗାପୁର ମଧ୍ୟରେ ସୁଦୃଢ଼ ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କ ରହିଛି । ଏହି ସହଭାଗିତା ସମ୍ପର୍କକୁ ଓଡ଼ିଶା ଆହୁରି ଆଗେଇ ନେବ ।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ପୂର୍ବ ଭାରତରେ ଓଡ଼ିଶାର ଅବସ୍ଥିତି ଏହାକୁ ସାମୁଦ୍ରିକ ବ୍ୟବସାୟିକ ସମ୍ପର୍କର ହବ୍ ଭାବେ ପ୍ରତିଷ୍ଠିତ କରିଛି । ସବୁଜ ଇନ୍ଧନ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ହବ୍ ହେବ।
୨୦୨୫ରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାକୁ ଦୃଷ୍ଟିରେ ରଖି ଏହି ଗସ୍ତ ଓଡ଼ିଶାକୁ ନିବେଶକଙ୍କୁ ଆକୃଷ୍ଟ କରିବ । ଏହି ଗସ୍ତ ଅବସରରେ ଭାରତର ରାଷ୍ଟ୍ରଦୂତଙ୍କ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କରାଯିବା ସହ ସେମାନଙ୍କ ପାଇଁ ନୈଶ୍ୟ ଭୋଜିର ଆୟୋଜନ କରାଯାଇଥିଲା ।