ନୂଆଦିଲ୍ଲୀ : ଛିଡୁନି କର୍ଣ୍ଣାଟକ କଂଗ୍ରେସ କଳି । କ୍ଷମତାକୁ ନେଇ ଏବେବି ସସପେନ୍ସ ଜାରି । କାହା ପାଖରେ ରହିବ ମୁଖ୍ୟମନ୍ତ୍ରୀ ଚୌକି । ସିଦ୍ଧରମୈୟା ନାଁ ଡିକେ ଶିବକୁମାର ?। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବଦଳକୁ ନେଇ ଏକ ରାଜନୈତିକ ଯୁଦ୍ଧ ଚାଲିଛି । ସିଦ୍ଧରମୈୟାଙ୍କ ସ୍ଥାନ ନେଇ ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜନୈତିକ କଳ୍ପନାଜଳ୍ପନା ଏବେ ଜୋର ଧରିଛି। ଆଉ ଏହି କଳ୍ପନାଜଳ୍ପନା ମଧ୍ୟରେ, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଶବ୍ଦର ଶକ୍ତି ହେଉଛି ବିଶ୍ବର ଶକ୍ତି ଏବଂ ପ୍ରତିଶ୍ରୁତି ପାଳନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି । ଏହି ସମୟରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ତାଙ୍କୁ ଏପର୍ଯ୍ୟନ୍ତ ହାଇକମାଣ୍ଡଙ୍କ ଠାରୁ କୌଣସି ସିଗନାଲ ମିଳିନାହିଁ, କିନ୍ତୁ ଯଦି ତାଙ୍କୁ ଫୋନ୍ ଆସିବ ତେବେ ସେ ଦିଲ୍ଲୀ ଯିବେ…

ଏହି ସମୟରେ, କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ସନ୍ଦୀପ ଦୀକ୍ଷିତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି, କହିଛନ୍ତି ଯେ, ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ। ସେ ବିଜେପି ଉପରେ ମଧ୍ୟ କଟାକ୍ଷ କରି କହିଛନ୍ତି କି,"ବିଜେପି ମନେ ମନେ ଖୁସି ହେଉଛି, କିନ୍ତୁ କର୍ଣ୍ଣାଟକରେ ଆମର ସ୍ଥିତି ସ୍ପଷ୍ଟ। ଯଦି ନେତୃତ୍ୱ ପରିବର୍ତ୍ତନ ହୁଏ, ତେବେ ଏହା ଆମର ବିଧାୟକ ଏବଂ ହାଇକମାଣ୍ଡ ଦ୍ୱାରା ସ୍ଥିର କରାଯାଏ। ବିଜେପି ପରି ନୁହେଁ, ଯେଉଁଠାରେ ପାଞ୍ଚ କିମ୍ବା ଛଅ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଯାଏ।"

ତେବେ ରାଜ୍ୟରେ ଜାରି ରହିଥିବା ଏଭଳି ରାଜନୈତିକ ଘଡିସନ୍ଧି ମୂହୁର୍ତ୍ତରେ ଏହି ରାଜନୈତିକ ଲଢ଼େଇ ଏବେ ମଠ ମନ୍ଦିର ଗୁଡ଼ିକରେ ପହଞ୍ଚିଛି। ଚୁନଚୁନଗିରୀ ମଠର ମୁଖ୍ୟ ସ୍ୱାମୀ ନିର୍ମଳାନନ୍ଦ ଏବଂ କନକା ପୀଠର ନିରଞ୍ଜନା ନନ୍ଦ ପୁରୀ ସ୍ୱାମୀ ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଏବେ ଆସନ୍ତୁ ଜାଣିବା ଉଭୟ ମଠର ମୁଖ୍ୟ କ'ଣ କହିଛନ୍ତି...

ସ୍ୱାମୀ ନିର୍ମଳାନନ୍ଦ କ'ଣ କହିଛନ୍ତି ?

ଗତ ନିର୍ବାଚନରେ, ବୋକ୍କାଲିଗା ସମ୍ପ୍ରଦାୟ ଏହି ଦଳକୁ ଭୋଟ ଦେଇଥିଲେ, ଏହି ଆଶାରେ ଯେ ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ତାହା ହୋଇନଥିଲା। ଆମେ ଆଶା କରିଥିଲୁ ଯେ ଏହା ଅଢ଼େଇ ବର୍ଷ ପରେ ହେବ, କିନ୍ତୁ ଏବେ ତାହା ହେଉନାହିଁ, କିମ୍ବା ଏହା ଘଟିବା ପରି ମନେ ହେଉନାହିଁ, ଯାହା ଫଳରେ ଲୋକ ମାନେ କ୍ରୋଧିତ ହେଉଛନ୍ତି। ଆମର ଅନେକ ଅନୁଗାମୀ ଆମ ସହିତ ଯୋଗାଯୋଗ କରୁଛନ୍ତି । ହାଇକମାଣ୍ଡ ଏହି ଦିଗରେ ସ୍ପଷ୍ଟତାର ସହିତ କାମ କରିବା ଉଚିତ। ଏହା ଆମର ଆଶା ଥିଲା, ଏବଂ ସମ୍ପ୍ରଦାୟର ଆଶା ଥିଲା ଯେ ଡି.କେ. ଶିବକୁମାର ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ହେବେ। ହାଇକମାଣ୍ଡ ଏହା କରିବା ଉଚିତ।

ନିରଞ୍ଜନା ନନ୍ଦ ପୁରୀ ସ୍ୱାମୀ କ’ଣ କହିଛନ୍ତି ?

ସମ୍ବିଧାନ କ’ଣ ଜଣେ ମୁଖ୍ୟଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ବାଛିବାର ସ୍ୱାଧୀନତା ପ୍ରଦାନ କରେ ? ସମ୍ବିଧାନ ଅନୁଯାୟୀ, କେବଳ ବିଧାୟକ ମାନଙ୍କର ମୁଖ୍ୟମନ୍ତ୍ରୀ ବାଛିବା କିମ୍ବା ବଦଳାଇବାର ଅଧିକାର ଅଛି। ଏପରି ପରିସ୍ଥିତିରେ, କେବଳ ବିଧାୟକ ମାନେ ଏହି ବିଷୟରେ ନିଷ୍ପତ୍ତି ନେବା ଉଚିତ । ସନ୍ଥ ମାନେ ଏପରି କରିବାରୁ ନିବୃତ୍ତ ରହିବା ଉଚିତ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାଜ୍ୟରେ ଉଠିଥିବା ଏହି ରାଜନୈତିକ ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଦିଲ୍ଲୀ ଗସ୍ତରେ ଅଛନ୍ତି। କୁହାଯାଉଛି କି ଖୁବଶୀଘ୍ର ଏହି ପ୍ରସଙ୍ଗରେ ଯବନିକା ଆସିବ । ଆଉ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ବିବାଦର ଅନ୍ତହେବ ।