ଭୁବନେଶ୍ବର,୨୮/୧୧: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ ଆଗତ କରିଛନ୍ତି। ବିଭିନ୍ନ ବିଭାଗର ବିକାଶକୁ ନଜରରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯଦି ଆମେ ସ୍ବାସ୍ଥ୍ୟ ବିଭାଗ ଉପରେ ନଜର ପକାଇବା ତେବେ, ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୁମୀର ବିକାଶ ପାଇଁ ସରକାର ୧୧୬୪ କୋଟି ଟଙ୍କାର ଅତିରିକ୍ତ ବଜେଟ ମଞ୍ଜୁର କରିଛନ୍ତି।ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ବାବଦକୁ ରାଜ୍ୟ ସରକାର ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ସେହିପରି ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ କଟକ ମେଡିକାଲ କଲେଜର ଉନ୍ନତିକରଣ ବାବଦକୁ ୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ଓ ଔଷଧ କ୍ରୟ ବାବଦକୁ ୧୪ କୋଟି ଟଙ୍କା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।