ଭୁବନେଶ୍ଵର, ୬/୬ : ଭୁବନେଶ୍ବରସ୍ଥିତ ରେଳ ଅଡ଼ିଟୋରିୟମଠାରେ ଶୁକ୍ରବାର ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ୭ଟି ବିଭାଗର ୧୨୯୪ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ। ସେହି କ୍ରମରେ ଏକକାଳୀନ ୧୨ଶହ ୯୪ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହା ଆଧୁନିକ ଓଡ଼ିଶା ଇତିହାସର ଏକ ସ୍ମରଣୀୟ ଦିନ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ୭ଟି ପ୍ରମୁଖ ବିଭାଗକୁ ନେଇ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଯାହା ଆମ ରାଜ୍ୟର ପ୍ରଗତିରେ ଏକ ମାଇଲଖୁଣ୍ଟ ।
ଓଡ଼ିଶା ସରକାରଙ୍କ ପ୍ରମୁଖ ୭ ବିଭାଗ ଯଥା- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ପଞ୍ଜାୟତିରାଜ ଓ ପାନୀୟ ଜଳ ବିଭାଗ, ଅବକାରୀ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସର୍ବମୋଟ୍ ୧୨ଶହ ୯୪ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଆଜି ମୋଟ୍ ୮୨୬ ଜଣ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟି ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ମୋଟ୍ ୨୨୪ଜଣଙ୍କୁ ନିଯୁକ୍ତି ଦିଆଯିବ, ଯେଉଁଥିରେ ୧୨ଜଣ ସହକାରୀ ପ୍ରଧ୍ୟାପକ, ୪୬ ଡ୍ରଗ ଇନ୍ସପେକ୍ଟର, ୫ ଜଣ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଅଧିକାରୀ, ୧୧୧ଜଣ ନର୍ସିଂ ଅଫିସର୍, ୩୨ଜଣ ବରିଷ୍ଠ ପ୍ରୟୋଗଶାଳା ସହାୟକ, ୬ ଜଣ କ୍ଲିନିକାଲ୍ ମନୋବିଜ୍ଞାନୀ, ୧୨ଜଣ ମନସ୍ତତ୍ଵ ସାମାଜିକ କର୍ମୀ ରହିଛନ୍ତି ।
ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ୮୧ଜଣ ଅଧ୍ୟାପକ ଷ୍ଟେଜ-୧ଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ମୋଟ୍ ୬୩ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । କରାଯିବ, ଯେଉଁଥିରେ ୪୦ଜଣ ମୋଟରଯାନ କନିଷ୍ଠ ଇନ୍ସପେକ୍ଟର ଓ ୨୩ ଜଣ ଟ୍ରାଫିକ୍ କନଷ୍ଟେବଳ ଅଛନ୍ତି । ଏଥିସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ୪୯ଜଣ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ସେହିପରି ଅବକାରୀ ବିଭାଗ ଅଧିନରେ ୩୨ଜଣ ଅବକାରୀ ସବ୍ ଇନ୍ସପେକ୍ଟର, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ୧୦ ଜଣ କନିଷ୍ଠ ଷ୍ଟେନୋଗ୍ରାଫର, ଜଣେ ଫିଜିଓଥେରାପିଷ୍ଟ, ଜଣେ ମେଡିକାଲ୍ ସାମାଜିକ କର୍ମୀ, ୪ ଜଣ ଅପରେସନ୍ ଥିଏଟର ଟେକ୍ନିସିଆନ୍, ଜଣେ ସିଏସଏସଡ଼ି ଟେକ୍ନିସିଆନ, ଜଣେ ସିଏସଏସଡ଼ି ସହକାରୀ, ଜଣେ ଡାର୍କ ରୁମ୍ ସହକାରୀ ଭାବରେ ନିଯୁକ୍ତି ପାଇଛନ୍ତି ।
ନିଯୁକ୍ତି ମେଳା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ ।