ନୂଆଦିଲ୍ଲୀ : ୟୁପି ୧୧୨ ର ସୋସିଆଲ ମିଡିଆ ଡେସ୍କର ହ୍ୱାଟସ୍ଆପ୍କୁ ଏକ ମେସେଜ୍ ପଠାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବା ଏବଂ ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ୟୁପି ୧୧୨ ମୁଖ୍ୟାଳୟର ଇନ୍ସପେକ୍ଟର ସହେନ୍ଦ୍ର କୁମାର ଯାଦବ ସୁଶାନ୍ତ ଗଲ୍ଫ ସିଟି ଥାନାରେ ହ୍ୱାଟସ୍ଆପ୍ ନମ୍ବର ଆଧାରରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଉତ୍ତର ପ୍ରଦେଶ ଏଡିଜି (ଆଇନ ଶୃଙ୍ଖଳା ବ୍ୟବସ୍ଥା), ଏଟିଏସ୍ ଏବଂ ସୁରକ୍ଷା ମୁଖ୍ୟାଳୟକୁ ଅବଗତ କରାଯାଇଛି। ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲର୍ଟ ଜାରି କରାଯାଇଛି। ଗୋଇନ୍ଦା ସଂସ୍ଥା, ଏସଟିଏଫ୍ (STF), ସାଇବର କ୍ରାଇମ ଟିମ୍ ଏବଂ ପୁଲିସ ମେସେଜ୍ ପଠାଇଥିବା ବ୍ୟକ୍ତିକୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛନ୍ତି।
ଇନ୍ସପେକ୍ଟର ସହେନ୍ଦ୍ରଙ୍କ ଅନୁଯାୟୀ, ଲକ୍ଷ୍ନୌସ୍ଥିତ ୟୁପି ୧୧୨ ମୁଖ୍ୟାଳୟର ସୋସିଆଲ ମିଡିଆ ହ୍ୱାଟସ୍ଆପ୍ ଡେସ୍କକୁ ଏକ ମୋବାଇଲ ନମ୍ବରରୁ ମେସେଜ୍ ଆସି ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୨୪ ଘଣ୍ଟା ମଧ୍ୟରେ ଜୀବନରୁ ମାରି ଦେବା ଏବଂ ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇବାକୁ ଧମକ ଦିଆ ଯାଇ ଥିଲା। ଶନିବାର ସନ୍ଧ୍ୟା ୫ଟା ୧୬ ମିନିଟରେ ସେଠାରେ ନିଯୁକ୍ତ ସମ୍ବାଦ ଅଧିକାରୀ ଶାରଦା ଯାଦବ ଏହି ମେସେଜ୍ ଦେଖି ଥିଲେ। ଏହାପରେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା ଏବଂ ରବିବାର ଦିନ ସମ୍ପୃକ୍ତ ନମ୍ବର ବିରୋଧରେ ମାମଲା ରୁଜୁ ହୋଇ ଥିଲା।
ଇନ୍ସପେକ୍ଟର ସୁଶାନ୍ତ ଗଲ୍ଫ ସିଟି ଥାନା ପୋଲିସକୁ ଧମକପୂର୍ଣ୍ଣ ମେସେଜର ସ୍କ୍ରିନସଟ୍ ଏବଂ ଅନ୍ୟାନ୍ୟ ପ୍ରମାଣ ହସ୍ତାନ୍ତର କରିଛନ୍ତି। ଏସିପି ଋଷଭ ଯାଦବଙ୍କ ଅନୁଯାୟୀ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଏବଂ ଧମକ ଦେବା ଭଳି ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।
ଅତିରିକ୍ତ ପୁଲିସ କମିଶନର (ଦକ୍ଷିଣ) ରଲ୍ଲାପଲ୍ଲୀ ବସନ୍ତ କୁମାର ଜଣାଇଛନ୍ତି ଯେ, ମେସେଜ୍ ପଠାଇ ଥିବା ବ୍ୟକ୍ତିର ଲୋକେସନ ଏବଂ ଆଇପି ଆଡ୍ରେସ୍ ଖୋଜା ଯାଉଛି। ସାଇବର କ୍ରାଇମ ସେଲକୁ ଏହାର ସବିଶେଷ ତଥ୍ୟ ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଏଜେନ୍ସିକୁ ସତର୍କ କରାଯାଇଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ଏକାଧିକ ଟିମ୍ କାମ କରୁଛନ୍ତି।