କଟକ,୨୭/୦୨: କଟକ ମହାନଗର  ନିଗମ(ସିଏମ୍‌ସି)ରେ ପରିମଳ ପରିଚାଳନା  କ୍ଷେତ୍ରରେ ଆଉ ଏକ ନୂଆ ପଦକ୍ଷେପ  ଗ୍ରହଣ କରାଯାଇଛି । ବିଭିନ୍ନ ମହାନଗର  ନିଗମ ପରେ ଏବେ ସିଏମ୍‌ସିରେ ନିର୍ଗତ  ହେଉଥିବା ଜୈବ ବର୍ଜ୍ୟବସ୍ତୁରୁ ଉତ୍ପନ ହେବ  ଇନ୍ଧନ ଗ୍ୟାସ୍‌ । ସାଧାରଣ ଲୋକଙ୍କ ପାଇଁ  ଏହାକୁ ସଂରକ୍ଷିତ କରି ପ୍ରଦାନ କରାଯିବ ।  ଏଥିପାଇଁ ଜଗତପୁର ଅଞ୍ଚଳରେ ତିଆରି  କରାଯିବ ବାୟୋ ମିଥାନେସନ୍‌ ପ୍ଲାଣ୍ଟ୍‌ । ଏହି  ପ୍ଲାଣ୍ଟ୍‌ ନିର୍ମାଣ କରିବାକୁ ବଜେଟ୍‌ରେ ୩୦  କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।  ପରିମଳ ପରିଚାଳନା କ୍ଷେତ୍ରରେ ଏହା ବେଶ୍‌  ସହାୟକ ହେବ ।

ସିଏମ୍‌ସିରେ ଏବେ  ଦୈନିକ ୨୩୪.୨୫  ମେଟ୍ରିକ୍‌ ଟନ୍‌ ଆବର୍ଜନା  ବାହାରୁଛି । ସେଥିରେ  ୧୧୯.୭୪ ମେଟ୍ରିକ୍‌  ଟନ୍‌ ଓଦା ଆବର୍ଜନା ତଥା ଜୈବ ଆବର୍ଜନା ଥିବାବେଳେ  ୧୧୪.୫୧ ମେଟ୍ରିକ୍‌ ଟନ୍‌ ହେଉଛି ଶୁଖିଲା  ଅଳିଆ । ତେବେ ସିଏମ୍‌ସିରୁ ବର୍ତ୍ତମାନ  ବାହାରୁଥିବା ୨୩୪ ମେଟ୍ରିକ୍‌ ଟନ୍‌ରୁ ୧୫୦  ମେଟ୍ରିକ୍‌ ଟନ୍‌ ଆବର୍ଜନାକୁ ପ୍ରକ୍ରିୟାକରଣ  କରାଯାଉଥିଲାବେଳେ ଏବେ ଦୈନିକ  ୮୪.୨୫ ମେଟ୍ରିକ୍‌  ଟନ୍‌ ଆବର୍ଜନା  ଚକ୍ରଧରପୁରରେ ଯାଇ  ଗଦା ହେଉଛି । ଏହା  ମଧ୍ୟରେ ସହରରେ ଥିବା  ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌  ବନ୍ଦ ହେବା ପରିସ୍ଥିତିରେ । ତେଣୁ ସହରରେ ନିର୍ଗତ  ହେଉଥିବା ଆବର୍ଜନା  ପରିମାଣ ଦିନକୁ ଦିନ ବଢୁଥିଲାବେଳେ  ଏହାକୁ ନଷ୍ଟ କରିବା ପାଇଁ ସିଏମ୍‌ସି ପାଇଁ ବଡ  ଚିନ୍ତାର ବିଷୟ ପାଲଟିଛି । ଏଭଳି ସ୍ଥିତିରେ  ସିଏମ୍‌ସି ଦ୍ୱାରା ଜୈବ ଆବର୍ଜନାରୁ ଇନ୍ଧନ  ଗ୍ୟାସ୍‌ ଉତ୍ପାଦନ ପାଇଁ ଯୋଜନା କରାଯାଇଛି । 

 ଏଥିପାଇଁ ୩୦ କୋଟି ବ୍ୟୟରେ ଜଗତପୁର  ଅଞ୍ଚଳରେ ବାୟୋ ମିଥାନେସନ୍‌ ପ୍ଲାଣ୍ଟ୍‌ ତିଆରି  ହେବ । ସେଠାରେ ପ୍ରଥମ ପର୍ଯ୍ୟାୟରେ  ମିଥେନ୍‌ ଗ୍ୟାସ୍‌କୁ ରନ୍ଧନ କ୍ଷେତ୍ରରେ  ବ୍ୟବହାର କରାଯିବ । ତାହାପରେ ପାୱାର୍‌  ପ୍ଲାଣ୍ଟ୍‌ ସ୍ଥାପନ କରାଯାଇ ସେଥିରୁ ବିଦ୍ୟୁତ୍‌ ଶକ୍ତି  ଉତ୍ପନ କରାଯିବ ବୋଲି ସିଏମ୍‌ସି କର୍ତ୍ତୃପକ୍ଷ  ଯୋଜନା କରିଛନ୍ତି । ଯାହା ସିଏମ୍‌ସିର  ରାଜସ୍ୱ ବୃଦ୍ଧି କରିବା ସହିତ ସାଧାରଣ  ଲୋକଙ୍କ ପାଇଁ ଲାଭଦାୟକ ମଧ୍ୟ ହେବ ।