ନୂଆଦିଲ୍ଲୀ ୨୦/୦୫: କ’ଣ ଆପଣ ବେକାର, ଅଳସୁଆ, ସବୁବେଳେ ଅନ୍ଲାଇନ୍ ରହୁଛନ୍ତି ଏବଂ ପେସାଦାର ଭାବେ ଗଣ୍ଡଗୋଳ କରିପାରୁଛନ୍ତି? ଏ ସମସ୍ତ ପ୍ରଶ୍ନର ଉତ୍ତର ଯଦି ହଁ, ତେବେ ଆପଣ କକ୍ରୋଚ୍ ଜନତା ପାର୍ଟି (ସିଜେପି) ର ଜଣେ ସଦସ୍ୟ ହୋଇପାରିବେ । ନୂଆକରି ଲଞ୍ଚ ହୋଇଥିବା ଏହି ଦଳର ଔପଚାରିକ ୱେବ୍ସାଇଟ୍ ଏହା ସ୍ପଷ୍ଟ କରିଛି ।
ଭାରତର ବେକାର ଯୁବଗୋଷ୍ଠୀଙ୍କୁ ଅସରପା ସହ ତୁଳନା କରିଥିବା ଭାରତର ମୁଖ୍ୟ ବିଚାରପତି ସର୍ଯ୍ୟକାନ୍ତଙ୍କୁ ଏହି ପାର୍ଟି ଏକ ବ୍ୟଙ୍ଗାତ୍ମକ ଉତ୍ତର । ସୂର୍ଯ୍ୟକାନ୍ତଙ୍କ ଏହି ବୟାନର ଦିନକ ପରେ ଅର୍ଥାତ୍ ଗତ ୧୬ ତାରିଖରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଜନ୍ମ ନେଇଛି । ସେବେଠୁ ଏକ୍ସ ପ୍ଲାଟ୍ଫର୍ମରେ ସିଜେପିର ଫଲୋଅର୍ ସଂଖ୍ୟା ୩୮ ହଜାର ଟପିଛି । ଇନ୍ଷ୍ଟାଗ୍ରାମ୍ରେ ୪,୨୦,୦୦୦ ୟୁଜର୍ ଏହାକୁ ଫଲୋ କରୁଛନ୍ତି । ସିଜେପିର ଦାବି, ଲଞ୍ଚ ହେବା ପରଠୁ ୧ ଲକ୍ଷ ଲୋକ ଏଥିରେ ଯୋଗ ଦେଇଛନ୍ତି । ଟିଏମ୍ସିର ମହୁଆ ମୋଇତ୍ର ଓ କୀର୍ତ୍ତି ଆଜାଦଙ୍କ ଭଳି ଜଣାଶୁଣା ନାଁ ବି ଏଥିରେ ଏଣ୍ଟ୍ରି ହୋଇଛି ।
ସିଜେପିର ମିଶନ ହେଉଛି ଯେଉଁ ଯୁବଗୋଷ୍ଠୀଙ୍କୁ ସର୍ବଦା ଅଳସୁଆ ଭାବେ ସମ୍ବୋଧନ କରାଯାଉଛି, ଯେଉଁମାନେ ସବୁବେଳେ ଅନ୍ଲାଇନ୍ ରହୁଛନ୍ତି ଏବଂ ଖାସ୍କରି ଏବେ ଏବେ ନୂଆ ନାଁ ‘ଅସରପା’ ପାଇଛନ୍ତି, ସେମାନଙ୍କ ପାଇଁ ଏକ ଦଳ ଗଠନ କରିବା । ଏଠାରେ ବାକି ସବୁ ବ୍ୟଙ୍ଗାତ୍ମକ ବୋଲି ୱେବ୍ସାଇଟ୍ ସ୍ପଷ୍ଟ କରିଛି ।
ସିଜେପିର ପ୍ରତିଷ୍ଠାତା କିଏ?
ଦଳର ୱେବ୍ସାଇଟ୍ ଅନୁସାରେ, ଅଭିଜିତ ଦିପ୍କେ ସିଜେପିର ପ୍ରତିଷ୍ଠାତା । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୩୦ ବର୍ଷୀୟ ଅଭିଜିତ ବୋଷ୍ଟନ ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ଛାତ୍ର । ଏହା ପୂର୍ବରୁ ୨୦୨୦-୨୦୨୩ ପର୍ଯ୍ୟନ୍ତ ସେ ଆମ୍ ଆଦ୍ମୀ ପାର୍ଟି (ଆପ୍) ର ସୋସିଆଲ ମିଡିଆ ଟିମ୍ ସହ ସ୍ୱେଚ୍ଛାସେବୀ ଭାବେ ଜଡ଼ିତ ଥିଲେ । ମୁଖ୍ୟ ବିଚାରପତି ‘ଅସରପା’ ବୟାନକୁ ନେଇ ଦେଇଥିବା ସଫେଇକୁ ଏକ୍ସରେ ଏକ ପୋଷ୍ଟରେ ଅଭିଜିତ ଦୃଢ଼ଭାବେ ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି ‘ସିଜେପିର ପ୍ରତିଷ୍ଠାତା ଭାବେ ମୁଖ୍ୟ ବିଚାରପତିଙ୍କ ସ୍ପଷ୍ଟୀକରଣକୁ ମୁଁ ନିନ୍ଦା କରୁଛି । ପ୍ରଧାନମନ୍ତ୍ରୀଙ୍କ ସହ ମୋର ମତପାର୍ଥକ୍ୟ ରହିଛି କିନ୍ତୁ ମୋ ମତରେ ତାଙ୍କୁ ଅପମାନିତ କରିବାର ଅଧିକାର ମୁଖ୍ୟ ବିଚାରପତିଙ୍କର ନାହିଁ ।
ସିଜେପି ଅନୁସାରେ, ଭାରତର ସମ୍ବିଧାନକୁ ଏହା ଦୃଢ଼ ଭାବେ ବିଶ୍ୱାସ କରେ ଏବଂ ଏହାର ମୂଲ୍ୟବୋଧର ସୁରକ୍ଷା ଦିଗରେ ସର୍ବଦା କାମ କରିବ । ନିଜ ଘୋଷଣାପତ୍ରରେ ଏହା ୫ ବିନ୍ଦୁ ଉପରେ ଆଲୋକପାତ କରିଛି । ଏହା ଅନୁସାରେ, ସିଜେପି ଯଦି କ୍ଷମତାକୁ ଆସେ ଅବସରକାଳୀନ ପୁରସ୍କାର ରୂପେ କୌଣସି ମୁଖ୍ୟ ବିଚାରପତିଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରାଯିବ ନାହିଁ । ସଂସଦରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆରକ୍ଷଣ, ଦଳ-ବଦଳ ମାମଲାରେ ସାଂସଦ ଓ ବିଧାୟକଙ୍କୁ ୨୦ ବର୍ଷ ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ବହିଷ୍କାର କରିବା, ବୈଧ ଭୋଟ ହଟାଇବା ମାମଲାରେ ୟୁଏପିଏ ଅନ୍ତର୍ଗତ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଗିରଫ କରିବା ଏବଂ ଅମ୍ବାନି ଓ ଆଦାନିଙ୍କ ଦ୍ୱାରା ପରିଚାଳିତ ସମସ୍ତ ଗଣମାଧ୍ୟମ ସଂସ୍ଥାର ଲାଇସେନ୍ସ ରଦ୍ଦ କରିବା ଏଥିରେ ରହିଛି ।
ଆହୁରି ପଢ଼ନ୍ତୁ...Petrol Diesel Price Today: ୧୫ ରାଜ୍ୟରେ ଶହେ ପାର୍ ହେଲା ପେଟ୍ରୋଲ; ଗ୍ରାହକଙ୍କୁ ମହଙ୍ଗା ମାଡ଼