ଜି.ଉଦୟଗିରି, ୧୪/୧୦: ହାଡ଼ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି ଓ ଦାରିଙ୍ଗିବାଡ଼ି । ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି । ରାସ୍ତା କଡ଼ରେ ବସୁଥିବା ଛୋଟ ବ୍ୟବସାୟୀମାନେ ଅଧିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଶୀତ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ଦିନ ୧୦ଟାରେ ବି ଘରୁ ବାହାରିବାକୁ କଷ୍ଟ ହେଉଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି । ଶୀତ ସାଙ୍ଗକୁ କୋହଲା ପବନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି ।

ଅନ୍ୟପଟେ ଶୀତର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଆସିବା ଆରମ୍ଭ ହୋଇଯାଉଛି । କଳିଙ୍ଗା ବନ ଉଦ୍ୟାନ, ମୁକୁଲିଙ୍ଗିଆ ହିଲ୍‌ ଟପ୍, ଶିରିକି ପାର୍କ ଓ ଡ୍ୟାମ୍, କଫି ବଗିଚା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି । ଶୀତ ହେଉଥିବାରୁ ଗଛରେ ଭରପୁର ଭାବେ ଫୁଲ ଭର୍ତ୍ତି ହୋଇଅଛି । କିନ୍ତୁ ତାପମାତ୍ରା ୩ ଡିଗ୍ରୀ ହେଲେ ଫୁଲ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ଉଦ୍ୟାନ ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ସକାଳୁ ସକାଳୁ ଶୀତ ଓ କୁହୁଡି ଯୋଗୁଁ ପାହାଡ ତଳିଆ ଅଞ୍ଚଳ ବହୁ ସୁନ୍ଦର ଦିଶୁଛି । ବିଶେଷ କରି ରାସ୍ତା ଓ ଗଛଗୁଡ଼ିକ ସ୍ପଷ୍ଟ ଜଣା ପଡ଼ିନାହିଁ । ଆହୁରି ଅଧିକ ଶୀତ ହେବ ବୋଲି ଅନୁମାନ କରାଯାଉଛି।