ପାଳଲହଡା,୨୯/୧୧ : ପାଳଲହଡ଼ା ଥାନା ୪୯ନମ୍ବର ଜାତୀୟ ରାଜପଥ ମାଲ୍ୟାଗିରି ମହାବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ମହାବିଦ୍ୟାଳୟର ଅଧ୍ୟାପକ ଗୁରୁତର ହୋଇଥିବା ଜଣାପଡ଼ିଛି । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ୪୯ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ସହ ସହ ଗାଡ଼ି ଅଟକି ରହିଥିଲା ।

ସୂଚନା ଅନୁସାରେ, ଆଜି ପାଳଲହଡ଼ା ମାଲ୍ୟାଗିରି ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା କାର୍ଯ୍ୟକ୍ରମ ଚାଲୁଥିଲା । ଏତିକିବେଳେ ଅପରାହ୍ନ ୩ଟା ସମୟରେ ମାଲ୍ୟାଗିରି ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ(୪୮)ଉଦୟପୁରସ୍ଥିତ ଭଡ଼ା ଘରକୁ ଏକ ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ଦେବଗଡ଼ ପଟୁ କେନ୍ଦୁଝର ପଟକୁ ଯାଉଥିବା ଏକ କଣ୍ଟେନର ଗାଡ଼ି ମହାବିଦ୍ୟାଳୟ ସମ୍ମୁଖରେ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ବାଇକଟି ଟ୍ରକ୍ ଭିତରେ ଚାପି ହୋଇରହିଥିବାବେଳେ ଅଧ୍ୟାପକ ଜଣକଙ୍କ ଦୁଇ ଗୋଡ଼ ଉପରେ ଟ୍ରକ ଚଢି ଯାଇଥିଲା । ପରେ ଛାତ୍ରଛାତ୍ରୀମାନେ ଗୁରୁତର ଅଧ୍ୟାପକଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅଧ୍ୟାପକଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଅଧ୍ୟାପକଙ୍କ ଘର କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗ୍ରାମରେ ବୋଲି ଜଣାପଡ଼ିଛି । ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ୪୯ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ଉତ୍ତେଜନା ଦେଖିବାକୁ ମିଳିଥିଲା । ପାଳଲହଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା ପରେ ଦୁଇ ଘଣ୍ଟା ପରେ ରାସ୍ତା ସ୍ୱଭାବିକ ହୋଇଥିଲା । ପାଳଲହଡ଼ା ପୁଲିସ କଣ୍ଟେନରକୁ ଜବତ କରିଥିବାବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।