ହାଇଦ୍ରାବାଦ,୨୦/୦୫: ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ । ହେଲେ ସଡ଼କ ଦୁର୍ଘଟଣା ସବୁ କିଛି ଉଜାଡ଼ି ଦେଲା । ବାଟରେ ଜଗିଥିଲା ମୃତ୍ୟୁ । ତେଲେଙ୍ଗାନା ଭିକାରାବାଦ ଜିଲ୍ଲା ପାରିଗି ଥାନାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଭିକାରାବାଦ ଜିଲ୍ଲା ପୁଲିସ୍ ସୁପରିଟେଣ୍ଡଣ୍ଟ କେ. ନାରାୟଣନ ରେଡ୍ଡୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଭିକାରାବାଦ ଜିଲ୍ଲା ପାରିଗି ଥାନା ଅଞ୍ଚଳ ବିଜାପୁର- ହାଇଦ୍ରାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିଲା । ଏହି ସମୟରେ ରଙ୍ଗାରେଡ୍ଡୀ ଜିଲ୍ଲା ଚେନାଭେଲି ଗାଁରୁ ପାରିଗି ଯାଉଥିବା ଏକ ଟୁରିଷ୍ଟ ବସ୍‌ ଟ୍ରକକୁ ପଛରୁ ପିଟି ଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ଜଣ ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଥିଲେ । ଏହି ଦୁର୍ଘଟଣାରେ ୧୭ଜଣ ଆହତ ହୋଇଛନ୍ତି । ୬ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଆହତଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ବସ୍‌ଟି କିପରି ଆସି ଟ୍ରକରେ ପିଟି ହେଲା ତା'ର କାରଣ ଜଣାପଡିନାହିଁ । ହୁଏତ ବସ୍‌ ଚାଳକ ନିୟନ୍ତ୍ରଣ ହରାଇଥିବେ ନଚେତ୍ ଆଖି ଲାଗି ଯାଇଥିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।